ଭାରସାମ୍ୟ ହରାଇ ରାସ୍ତାକୁ ଓଲଟିଲା କାର୍
ବାରଙ୍ଗ : ଗୋଡିସାହି ଫାଣ୍ଡି ଅନ୍ତର୍ଗତ ଷଣ୍ଢପୁର ବାଙ୍କ ନିକଟରେ ତ୍ରିଶୂଳିଆ ବାଙ୍କୀ ମୁଖ୍ୟରାସ୍ତା କଡକୁ ଏକ ସ୍କର୍ପିଓ ଓଲଟି ପଡ଼ିଛି । ପ୍ରକାଶ ଯେ, ଅନୁଗୋଳ ଛେଳିଆପଡା ଗ୍ରାମର କୁମର ମୁଦୁଲି ନାମକ ବ୍ୟକ୍ତି ପରିବାର ସହ ଓଆର ୦୪ଡି ୭୭୨୭ ନମ୍ୱର ସ୍କର୍ପିଓକୁ ନିଜେ ଚଳାଇ ପୁରୀ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିବାକୁ ଯାଉଥିଲେ । ତ୍ରିଶୂଳିଆ ବାଙ୍କୀ ମୁଖ୍ୟରାସ୍ତାର ଷଣ୍ଢପୁର ବାଙ୍କ ନିକଟ ହମ୍ପସରେ କାରଟି ପଡିଯିବାରୁ ଗାଡି ଆଗରେ ଥୁଆ ହୋଇଥିବା ପାଣି ବୋତଲଟି କୁମରଙ୍କ ଗୋଡ଼ ପାଖକୁ ପଳାଇ ଆସିଥିଲା । ପାଣି ବୋତଲକୁ ଗୋଡ଼ ପାଖରୁ ଆଣିବା ବେଳେ ସ୍କର୍ପିଓଟି ଭାରସାମ୍ୟ ହରାଇ ମୁଖ୍ୟରାସ୍ତା କଡ଼କୁ ଓଲଟି ପଡ଼ିଥିଲା । ସ୍କର୍ପିଓରେ ଥିବା ୮ଜଣ ଆହତ ହୋଇଥିବା ବେଳେ ସମସ୍ତେ ଏକ ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଥିଲେ । ଖବର ପାଇ ଗୋଡିସାହି ଫାଣ୍ଡି ଅଧିକାରୀ ବିଚିତ୍ରାନନ୍ଦ ପ୍ରଧାନ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଗାଡ଼ିରୁ ଉଦ୍ଧାର କରି ଚିକିସôା ପାଇଁ ପଠାଇଥିଲେ । ପରେ ପ୍ରାଥମିକ ଚିକିସôା ହୋଇ କୁମରଙ୍କ ପରିବାର ଲୋକେ ଅନ୍ୟ ଏକ ଗାଡ଼ିରେ ପୁରୀ ନ ଯାଇ ନିଜ ଘର ଅନୁଗୋଳ ଛେଳିଆପଡା ଗ୍ରାମକୁ ଫେରି ଯାଇଥିଲେ । ଗୋଡିସାହି ଫାଣ୍ଡି ପୁଲିସ ଦୁଘଟଣାଗ୍ରସ୍ତ ଗାଡ଼ିଟିକୁ ଜବତ କରି ତଦନ୍ତ ଜାରି ରଖିଛନ୍ତି ।