ଖୋର୍ଦ୍ଧା ରୋଡ୍‌-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପକୁ ମିଳିଲା ଜଙ୍ଗଲ ଜମିରେ ନିର୍ମାଣ ଅନୁମତି

ଭୁବନେଶ୍ୱର: ଆଉ ପାଦେ ଆଗେଇଲା ଖୋର୍ଦ୍ଧା ରୋଡ୍‌-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ କାମ ।  ଦଶପଲ୍ଲା ଏବଂ ଆଢ଼େଣିଗଡ଼ ମଧ୍ୟରେ ଥିବା ରେଳ  ସେକ୍ସନ ପାଇଁ ନିହାତି ଦରକାର ଥିବା ଦ୍ୱିତୀୟ ପର୍ୟ୍ୟାୟ  ଜଙ୍ଗଲ ଜମିରେ କାମ ପାଇଁ ଅନୁମତି(କ୍ଲିୟରାନ୍ସ) ମିଳିଛି । ଏହି ଅନୁମୋଦନ ପ୍ରକଳ୍ପକୁ ସର୍ବନିମ୍ନ ପରିବେଶଗତ  ପ୍ରଭାବ ସହିତ ଆଗକୁ ବଢ଼ିବା ପାଇଁ ସବୁଜ ସଙ୍କେତ  ଦେଇଛି । ବର୍ତ୍ତମାନ ସୁଦ୍ଧା ମୋଟ ୩୦୧ କିଲୋମିଟର  ରେଳ ଲାଇନ ମଧ୍ୟରୁ ୨୨୬ କିଲୋମିଟର ରେଳ  ଲାଇନ୍‌ କାମ ସରିଛି । ସେଥି ମଧ୍ୟରୁ ଖୋର୍ଦ୍ଧା ରୋଡରୁ  ଦଶପଲ୍ଲା ପର୍ୟ୍ୟନ୍ତ ୧୦୬ କିଲୋମିଟର ଏବଂ ବଲାଙ୍ଗୀରରୁ  ପୁରୁଣାକଟକ ପର୍ୟ୍ୟନ୍ତ ୧୨୦ କିଲୋମିଟର କାମ ହୋଇଛି ।  ପୁରୁଣାକଟକ ଏବଂ ଦଶପଲ୍ଲା ମଧ୍ୟରେ ଅବଶିଷ୍ଟ ୭୫  କିଲୋମିଟର ପାଇଁ ନିର୍ମାଣ କାର୍ୟ୍ୟ ଜାରି ରହିଛି ।  

ଏହି ପ୍ରକଳ୍ପ ପାଇଁ ୩,୨୭୪.୩୩୬  ହେକ୍ଟର ଜମି ଅଧିଗ୍ରହଣ ଆବଶ୍ୟକ । ସେଥିରୁ  ୭୪୬.୪୨ ହେକ୍ଟର ଜଙ୍ଗଲ ଜମି ହୋଇଥିବା ବେଳେ ସବୁଠୁ ଗୁରୁତ୍ୱପୂର୍ଣ୍ଣ ଥିବା ଜଙ୍ଗଲ ଜମିରେ ପରିବେଶ  ନେଇ ଆହ୍ୱାନ ଭରି ରହିଥିଲା । ତେବେ ପରିବେଶ  ମନ୍ତ୍ରଣାଳୟ ଓ ବନ ବିଭାଗ ସହିତ ପରାମର୍ଶ କରି,  ପ୍ରକଳ୍ପ ଦଳ ଏକ ବ୍ୟାପକ ବନ୍ୟପ୍ରାଣୀ ସଂରକ୍ଷଣ  ଯୋଜନା କରିଥିଲେ । ଯାହାକୁ ଓଡ଼ିଶାର ପ୍ରମୁଖ ମୁଖ୍ୟ  ବନ ସଂରକ୍ଷକ (ବନ୍ୟପ୍ରାଣୀ) ଅନୁମୋଦନ କରିଥିଲେ ।  

ସେହିପରି ଏହି ରେଳ ଲାଇନରେ ଦଶପଲ୍ଲା ଏବଂ  ପୁରୁଣାକଟକ ମଧ୍ୟରେ ୭୫ କିଲୋମିଟରରେ ୭ଟି ସୁଡ଼ଙ୍ଗ  ରହିଛି । ଯାହାର ମୋଟ ଲମ୍ୱ ୧୨.୭୬ କିଲୋମିଟର ।  ଏହି ସୁଡ଼ଙ୍ଗଗୁଡ଼ିକ ନିର୍ମାଣରେ ସବୁଠାରୁ ଚ୍ୟାଲେଞ୍ଜିଂ  ଇଞ୍ଜିନିୟରିଂ ରହିଛି । ତେବେ ବୁଗୁଡ଼ା ଏବଂ ବାଣିଗୋଚ୍ଛା  ମଧ୍ୟରେ ୪.୮୮୫ କିଲୋମିଟର ଟନେଲ୍‌ ପ୍ରକଳ୍ପର  ସବୁଠାରୁ ଲମ୍ୱା । ଏଥିରେ ସୁରକ୍ଷା ପାଇଁ ୭୦୦ ମିଟରର  ଏକ ଏସ୍କେପ୍‌ ଟନେଲ୍‌ ରହିଛି । ପ୍ରକଳ୍ପର ୭ଟି ସୁଡଙ୍ଗ  ମଧ୍ୟରୁ ୫ଟି ସୁଡଙ୍ଗରେ ସଫଳତା ମିଳିସାରିଛି ।