ଖୋର୍ଦ୍ଧାରେ କେନ୍ଦ୍ରୀୟ ବିଦ୍ୟାଳୟର ଅସ୍ଥାୟୀ କ୍ୟାମ୍ପସ୍ ଲୋକାର୍ପିତ : ପିଲାଙ୍କୁ ଆତ୍ମବିଶ୍ୱାସୀ କରାଇବ ମାତୃଭାଷା
ଭୁବନେଶ୍ୱର : ଖୋର୍ଦ୍ଧା ସ୍ଥିତ ଆଇଟିବିପି କ୍ୟାମ୍ପସ ପରିସରରେ ଖୋଲିଲା କେନ୍ଦ୍ରୀୟ ବିଦ୍ୟାଳୟ । ଏଠାରେ କେନ୍ଦ୍ରୀୟ ବିଦ୍ୟାଳୟର ଅସ୍ଥାୟୀ କ୍ୟାମ୍ପସ୍କୁ ଆଜି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଲୋକାର୍ପଣ କରିଛନ୍ତି । ଏହାସହ ସ୍ଥାୟୀ କେନ୍ଦ୍ରୀୟ ବିଦ୍ୟାଳୟର କ୍ୟାମ୍ପସ ସ୍ଥାପନ ପାଇଁ ଭୂମିପୂଜନ କରିଛନ୍ତି । ୩୦ କୋଟି ବ୍ୟୟରେ କେନ୍ଦ୍ରୀୟ ବିଦ୍ୟାଳୟ ପାଇଁ ସ୍ଥାୟୀ କ୍ୟାମ୍ପସ ନିର୍ମାଣ ହେବାକୁ ଥିବା ବେଳେ ସ୍ୱଳ୍ପ ଦିନ ମଧ୍ୟରେ ଏହି ଅସ୍ଥାୟୀ କ୍ୟାମ୍ପସରେ ଛାତ୍ରଛାତ୍ରୀଙ୍କ ନାମଲେଖା ଆରମ୍ଭ ହେବ ବୋଲି ଆଜି ଧର୍ମେନ୍ଦ୍ର କହିଛନ୍ତି । ଏଥିରେ ପ୍ରଥମ ଶ୍ରେଣୀରୁ ପଞ୍ଚମ ପର୍ଯ୍ୟନ୍ତ ପାଠ ପଢାଯିବ । ଖୋର୍ଦ୍ଧା ଜିଲ୍ଲାରେ ଗୁଣାତ୍ମକ ଶିକ୍ଷାର ବିକାଶ ପାଇଁ ଏହା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଏହା ଉପହାର ବୋଲି ଧର୍ମେନ୍ଦ୍ର କହିଛନ୍ତି । ଓଡ଼ିଶାରେ ଅନୁମୋଦିତ ନୂଆ ଆଠଟି କେନ୍ଦ୍ରୀୟ ବିଦ୍ୟାଳୟକୁ ମିଶାଇଲେ ରାଜ୍ୟରେ ମୋଟ ୭୫ଟି କେନ୍ଦ୍ରୀୟ ବିଦ୍ୟାଳୟ ସ୍ଥାପନା ହୋଇଛି ।
ଶ୍ରୀ ପ୍ରଧାନ କହିଛନ୍ତି ଯେ ପିଲାମାନେ ପ୍ରାରମ୍ଭିକ ସମୟରେ ମାତୃଭାଷାରେ ପଢିଲେ ସେମାନଙ୍କର ମୌଳିକ ଚିନ୍ତନର ପରିପ୍ରକାଶ ହୋଇଥାଏ । ମାତୃଭାଷାରେ ପାଠ ପଢିଲେ ହିଁ ଡ. ଏପିଜେ ଅବଦୁଲ କଲାମଙ୍କ ଭଳି ବ୍ୟକ୍ତିମାନେ ତିଆରି ହେବେ । ପିଲାମାନଙ୍କୁ ସାହସୀ, ଆତ୍ମବିଶ୍ୱାସୀ ଏବଂ ଆତ୍ମନିର୍ଭର କରିବା ପାଇଁ ହେଲେ ମାତୃଭାଷାରେ ଶିକ୍ଷା ଦେବା ପାଇଁ ପଡ଼ିବ । ଏଥିପାଇଁ ଆମକୁ ମାତୃଭାଷାରେ ଶିକ୍ଷା ପ୍ରଦାନ କରିବାକୁ ଦେବ । ଡିଗ୍ରୀ ଅପେକ୍ଷା ଦକ୍ଷତା ବୃଦ୍ଧିକୁ ଗୁରୁତ୍ୱ ଦେବାକୁ ହେବ । ଓଡ଼ିଆ ଯୁବକ ଚାକିରି ଖୋଜିବ ନାହିଁ, ଚାକିରିଦାତା ପାଇଁ ଲକ୍ଷ୍ୟ ରଖିବାକୁ ପଡ଼ିବ । କାର୍ଯ୍ୟକ୍ରମରେ ଯୋଗଦେବା ପୂର୍ବରୁ ଶ୍ରୀ ପ୍ରଧାନ ଆଇଟିବିପି ଖୋର୍ଦ୍ଧା ପରିସରରେ ଶହୀଦ ସ୍ମାରକରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ, ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ ଜଗଦେ୍ଦବ ପ୍ରମୁଖ ଉପସ୍ଥିତ ଥିଲେ ।