ନିଶ୍ଚିତା ପାହାଡରେ ଚାଲିଛି ପଥର ମାଫିଆଙ୍କ ରାଜ୍ 

ଢେଙ୍କାନାଳରୁ ଲକ୍ଷ୍ମୀନାରାୟଣ ତ୍ରିପାଠୀ : ଢେଙ୍କାନାଳ ଜିଲ୍ଲା ଗନ୍ଦିଆ ତହସିଲ ଅନ୍ତର୍ଗତ ନିହାଲପ୍ରସାଦ ରାଜସ୍ୱ ଗ୍ରାମରେ ଥିବା ନିଶ୍ଚିତା ପାହାଡ ଉପରେ ଚାଲିଛି ପଥର ମାଫିଆମାନେ ରାଜ୍ । ପୁଲିସ ପ୍ରଶାସନ ଓ ବନବିଭାଗ ଅଧିକାରୀଙ୍କୁ ହାତବାରିଶ କରି ଦୈନିକ ଶହ ଶହ ଟ୍ରିପ କଳା ମୁଗୁନି ପଥର ଉତ୍ତୋଳନ କରି ଚାଲିଛନ୍ତି । ଏ ନେଇ ଯେତେ ଯିଏ ଅଭିଯୋଗ କଲେ ମଧ୍ୟ ସମସ୍ତେ ନିଦାବିଷ୍ଣୁ ସାଜିଛନ୍ତି । ଫଳରେ ଏ ନେଇ ଏକ ପରିବେଶ ସଂଗଠନ ଜାତୀୟ ଗ୍ରୀନ ଟ୍ରିବୁ୍ୟନାଲରେ ମାମଲା ରୁଜୁ କରିଥିବା ଜଣାଯାଇଛି ।
 ଢ଼େଙ୍କାନାଳରେ ମାତିଛନ୍ତି କଳାପଥର ଲୁଟେରା ଗ୍ୟାଙ୍ଗ । ପୂର୍ବ ସରକାରରେ ରାତିରେ କେବଳ ଚୋରି ହେଉଥିଲା ଏବେ କିନ୍ତୁ ଦିନ ରାତି ସବୁବେଳେ ଚାଲିଛି ଲୁଟ୍ । ଲାଗୁଛି ଯେପରି ଜିଲ୍ଲାର ନେତାମାନଙ୍କ ସଙ୍ଗେ ଏକ ଅଲିଖିତ ବୁଝାମଣା  ଲୁଟେରା ଗ୍ୟାଙ୍ଗମାନଙ୍କର ହୋଇଛି । ଜିଲ୍ଲା ପ୍ରଶାସନର ଜଙ୍ଗଲ ବିଭାଗ, ରାଜସ୍ୱ ବିଭାଗ ଓ ଖଣି ବିଭାଗ ସବୁ ନିରବ ଦ୍ରଷ୍ଟା ସାଜିଛନ୍ତି ।  ଖଣି ବିଭାଗ କହୁଛି ଆମ ପାଖରେ ଷ୍ଟାଫ୍ ନାହାନ୍ତି ତଦାରଖ ପାଇଁ, ରାଜସ୍ୱ ବିଭାଗ କହୁଛି ଏହା ଆମର କାମ ନୁହେଁ ଓ ଜଙ୍ଗଲ ବିଭାଗ ନିଦା ବିଷ୍ଣୁ । ଜିଲ୍ଲାରେ ଯେପରି ଏକ କୋକୁଆ ଭୟ ସୃଷ୍ଟି ହୋଇଛି । ସାଧାରଣ ଲୋକ ଘର ଖଣ୍ଡିଏ କରିବାକୁ ଯଦି ଚୋରା ମାଙ୍କଡ଼ା ପଥର ଗୋଟେ କି ଦୁଇଟା ଗାଡିରେ ନେଉଛନ୍ତି ତାକୁ ଧରି କିଛି ଫାଇନ୍ କରି ବାହାବା ନେଉଛନ୍ତି ବୋଲି ସାଧାରଣରେ ଅଭିଯୋଗ ମିଳୁଛି । ପ୍ରକାଶ ଯେ, ନିହଲ ପ୍ରସାଦରେ ଥିବା ନିଶ୍ଚିତା ପାହାଡରେ ଖାତା ନମ୍ବର ୧୫୧୩, ପ୍ଲଟ ନମ୍ବର ୬୧୬୮/୬୨୬୩ରେ ପାଖାପାଖି ୫୦ ଏକରରୁ ଅଧିକ ଜଙ୍ଗଲ ଜମିରେ ଅବସ୍ଥିତ । ସରକାରଙ୍କ ତରଫରୁ ଏଠାରେ ଥିବା ଦୁଇଟି ରୋଡ଼ ମେଟାଲ୍ କ୍ୱାରୀକୁ ଜଙ୍ଗଲ ଜମି ଥିବା ହେତୁ ବିଗତ ୧୦ ବର୍ଷ ଧରି ନିଲାମ କରାଯାଉ ନାହିଁ । ଏହି ପାହାଡରେ ଜିଲ୍ଲା ପ୍ରଶାସନ ତରଫରୁ ୧୪୪ଧାରା ମଧ୍ୟ ବଳବତ୍ତର ରହିଛି । ଢେଙ୍କାନାଳର ସୀମାବର୍ତ୍ତୀ ଅଞ୍ଚଳ ଧର୍ମଶାଳାରୁ ପାହାଡ ଚୋରିକୁ ସେଠିକାର ବିଧାୟକଙ୍କ ଉଦ୍ୟମରେ ବନ୍ଦ କରାଯାଇଥିବା ଦୃଷ୍ଟିରୁ ସମସ୍ତ ଚୋରା ବେପାରୀ ଗନ୍ଦିଆ ଅଞ୍ଚଳର କିଛି ସରକାରୀ ଦଳର ନେତାଙ୍କୁ ହାତବାରିଶ କରି ଏହି ଲୁଟ ଉଦ୍ୟମ ବିଗତ ଦୁଇ ମାସ ଧରି କରିଆସୁଥିଲେ । ଏ ସମ୍ପର୍କରେ ବାରମ୍ବାର ଗଣମାଧ୍ୟମ ପ୍ରକାଶ ପାଇବା ପାରେ ପ୍ରଶାସନର ଉଦ୍ୟମରେ ତାହା ବନ୍ଦ କରା ଯାଇଥିଲା । ଅପରପକ୍ଷେ ଏହି ବେଆଇନ କାରବାରକୁ ଦୃଷ୍ଟିରେ ରଖି ଏକ ପରିବେଶ ସଂଗଠନ ପକ୍ଷରୁ ଏକ ମାମଲା ଗତ ୧୮.୦୯.୨୦୨୪ ରିଖରେ ଜାତୀୟ ଗ୍ରୀନ ତ୍ରିବୁ୍ୟନାଲରେ ମାମଲା ଦାଖଲ କରାଯାଇ ଢ଼େଙ୍କାନାଳ ଜିଲ୍ଲାପାଳ, ବନ ଅଧିକାରୀ, ରାଜ୍ୟ ପରିବେଶ ବିଭାଗ ଓ ଖଣି ବିଭାଗକୁ ପକ୍ଷ ଭୁକ୍ତ କରାଯାଇଛି । କିନ୍ତୁ ଜିଲ୍ଲା ପୁଲିସ ପ୍ରଶାସନର କିଛି ଅଧିକାରୀଙ୍କ ଠାରୁ ଅଭୟବାଣୀ ପାଇ ଏବେ ୪ ରୁ ୫ ଦିନ ହେବ ପୁଣି ଚୋରା ପଥର ବେପାରୀମାନେ ସକ୍ରିୟ ହୋଇ ପ୍ରାୟ ୧୦୦ଟି ଭାରିଯାନ ଓ ୨୦ଟି ପ୍ଲୋକୋଲିନ ମେସିନ ବ୍ୟବହାର କରି ବିସ୍ଫୋରକ ଦ୍ରବ୍ୟ ବ୍ୟବହାର କରି ପଥର ଚାଲାଣ ଆରମ୍ଭ କରିଛନ୍ତି । ଏହି ଘଟଣାରେ ସ୍ଥାନୀୟ ଅଧିବାସୀମାନେ କ୍ଷତିଗ୍ରସ୍ତ ହେଉଛନ୍ତି । ଏବେ ଜିଲ୍ଲାକୁ ନୂତନ ଭାବେ ଉପଜିଲ୍ଲାପାଳ, ଆରକ୍ଷୀ ଅଧିକ୍ଷକ ଓ ଜିଲ୍ଲାପାଳ ଆସି କାର୍ଯ୍ୟରେ ଯୋଗଦାନ କରିଥିବାରୁ ସେମାନେ ଏହି ଚୋରା କାରବାର ସମ୍ପର୍କରେ ସୂଚନା ପାଇଥିବା ବୋଲି ମନେ ହେଉନାହିଁ । ଏହି ଘଟଣା ସମ୍ବନ୍ଧରେ ଢ଼େଙ୍କାନାଳର ପୂର୍ବତନ ବିଧାୟକ ତଥା ବରିଷ୍ଠ  ନେତା ନବୀନ ନନ୍ଦ ସୋସିଆଲ୍ ମିଡିଆ ମାଧ୍ୟରେ ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାରଙ୍କୁ ସୂଚନା ଦେଇ ତୁରନ୍ତ ଏହି ବେଆଇନ କାର୍ଯ୍ୟ ଜିଲ୍ଲାରୁ ବନ୍ଦ କରିବା ପାଇଁ ଅନୁରୋଧ କରିଛନ୍ତି ।