ଗଣକବି ବୈଷ୍ଣବ ପାଣିଙ୍କ ଶ୍ରାଦ୍ଧବାର୍ଷିକୀ
ନିଶ୍ଚିନ୍ତକୋଇଲି : ଗଣକବି ବୈଷ୍ଣବ ପାଣିଙ୍କ ୬୯ତମ ଶ୍ରାଦ୍ଧ ବାର୍ଷିକ ଅବସରରେ ଶରତକର ଓ ଅନିମା କର ଫାଉଣ୍ଡେସନ ଏବଂ ବର୍ଷିଆନ୍ ଅନୁଷ୍ଠାନ ଗଣକବି ସ୍ମୃତି ସଂସଦ ପକ୍ଷରୁ କବିଙ୍କ ଜନ୍ମ ପୀଠ କୋଠପଦା ଗ୍ରାମ ସ୍ଥିତ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ ସହିତ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି । ପୂର୍ବତନ ବାଚସ୍ପତି ତଥା ମାହାଙ୍ଗାର ବିଧାୟକ ସ୍ୱର୍ଗତ ଶରତ କରଙ୍କ ଦ୍ୱାରା ପ୍ରତିଷ୍ଠିତ ଗଣକବି ସ୍ମୃତି ସଂସଦ ପକ୍ଷରୁ କୁହାଯାଇଛି କି ଗଣକବି ବୈଷ୍ଣବ ପାଣି ୧୮୮୨ ମସିହା କୁମାର ପୂର୍ଣ୍ଣିମାରେ ଜନ୍ମ ଗ୍ରହଣ କରି ୧୯୫୬ ମସିହା ବୈଶାଖ ଅମାବାସ୍ୟାରେ ଇହଲୀଳା ସମ୍ବରଣ କରିଥିଲେ । ତତ୍ ଅନୁଯାୟୀ ପ୍ରତିବର୍ଷ କୁମାର ପୂର୍ଣ୍ଣିମାରେ ଗଣକବିଙ୍କ ଜୟନ୍ତୀ ଓ ବୈଶାଖ ଅମାବାସ୍ୟା ତିଥିରେ ଶ୍ରାଦ୍ଧ ଉତ୍ସବ ପାଳନ କରାଯିବା ବିଧେୟ । ସଂସ୍ଥା ଦ୍ୱୟର ଅଧ୍ୟକ୍ଷ ଶୋଭନ କରଙ୍କ ପରାମର୍ଶ କ୍ରମେ ବହୁ ବୁଦ୍ଧିଜୀବୀ, ବୟୋଜ୍ୟେଷ୍ଠ ମୁରବୀ, ସ୍ଥାନୀୟ ବୈଷ୍ଣବ ପାଣିପ୍ରେମୀ ଜନ ସାଧାରଣଙ୍କ ସମେତ ଅନୁଷ୍ଠାନର କର୍ମକର୍ତ୍ତା ଓ ସଦସ୍ୟବୃନ୍ଦ ଯଥାକ୍ରମେ ରାମଚନ୍ଦ୍ର ମହାପାତ୍ର, ଶୁଭେନ୍ଦୁ କୁମାର ସାମଲ, ରାମଚନ୍ଦ୍ର ବେହେରା, ରତ୍ନାକର ମହାନ୍ତି, କୈଳାସଚନ୍ଦ୍ର ବଳବନ୍ତ ରାୟ, କାର୍ତ୍ତିକ ଚନ୍ଦ୍ର ବିହାରୀ, ସମସେର ଅଲୀ ଖାଁ, ବାସୁଦେବ ପୃଷ୍ଟି, ମାଧବ ଚନ୍ଦ୍ର ପଲେଇ, ହେମନ୍ତ କୁମାର ମହାନ୍ତି, ଭାଗବତ ମଲିକ ଓ ହୃଷିକେଶ ବେହେରା ପ୍ରମୁଖ ଗଣକବିଙ୍କ ସ୍ମୃତିରେ ଶ୍ରଦ୍ଧାଞ୍ଜଳି ବାଢିଥିଲେ ।