ଗଣମାଧ୍ୟମରେ ବିପର୍ଯ୍ୟୟ ଭିଡ଼ିଓ


ବିଭିନ୍ନ ସମୟରେ ଦେଶରେ ତଥା ବିଶ୍ୱର ବିଭିନ୍ନ ସ୍ଥାନରେ ଘଟୁଥିବା ବିଭିନ୍ନ ବିପର୍ଯ୍ୟୟ ଗୁଡ଼ିକ ସମ୍ପର୍କରେ ଜାଣିବା ପାଇଁ ଲୋକମାନେ ପ୍ରବଳ ଆଗ୍ରହ ପ୍ରକାଶ କରିଥାନ୍ତି । ଲୋକଙ୍କର ଆଗ୍ରହକୁ ଦେଖି ବିଭିନ୍ନ ଟିଭି ଚ୍ୟାନେଲ୍ ସେମାନଙ୍କର ସମ୍ବାଦଦାତାମାନଙ୍କୁ ପଠେଇ ସେସବୁର ଭିଡ଼ିଓକୁ ସମ୍ବାଦ ମାଧ୍ୟମରେ ପ୍ରଦର୍ଶନ କରନ୍ତି । ତେବେ ଏ କ୍ଷେତ୍ରରେ ଏହି ଭିଡ଼ିଓ ଗୁଡିକ ଘଟିଥିବା ଘଟଣା ପରବର୍ତ୍ତୀ ସଦ୍ୟତମ ରିପୋର୍ଟ୍ ବୋଲି ସବୁବେଳେ ଗ୍ରହଣ କରାଯାଇପାରିବ ନାହିଁ । କାରଣ ବର୍ତ୍ତମାନର ଟିଭି ଚ୍ୟାନେଲ୍ ଗୁଡ଼ିକ ଏବଂ ସାମାଜିକ ଗଣମାଧ୍ୟମରେ ସକ୍ରୀୟ ଥିବା ବ୍ୟକ୍ତିମାନେ ତଥ୍ୟ ପରିବେଷଣ ଅପେକ୍ଷା ଚାଞ୍ଚଲ୍ୟ ସୃଷ୍ଟି ଉପରେ ଅଧିକ ଗୁରୁତ୍ୱ ଦେଉଛନ୍ତି । ତେଣୁ ବହୁ ସମୟରେ ଦେଖାଯାଉଛି ଯେ ପୁରୁଣା ଭିଡ଼ିଓ ଗୁଡ଼ିକୁ ପ୍ରସାରଣ କରି ବିଭିନ୍ନ ଟିଭି ଚ୍ୟାନେଲ୍ ଲୋକମାନଙ୍କ ଭିତରେ ଚାଞ୍ଚଲ୍ୟ ସୃଷ୍ଟି କରୁଛନ୍ତି । ଏଭଳି କରିବାର ଉଦେ୍ଦଶ୍ୟ ହେଲା ସମ୍ବାଦଟିକୁ ଚାଞ୍ଚଲ୍ୟକର କରିଲେ ଦର୍ଶକ ସଂଖ୍ୟା ବଢ଼ିବ ଏବଂ ଟିଭି ଚ୍ୟାନେଲ୍ର ଟିଆର୍ପି ବଢିବ । ଏହି ଟିଆର୍ପିକୁ ନେଇ ଟିଭି ଚ୍ୟାନେଲ୍ ଗୁଡ଼ିକୁ ବିଜ୍ଞାପନ ଅଧିକ ଆସିବ । ଏ ପ୍ରକାରର କାର୍ଯ୍ୟ ଦର୍ଶକମାନଙ୍କ ପ୍ରତି ଶଠତା । ତେଣୁ ଏଭଳି କାର୍ଯ୍ୟକୁ ରୋକିବା ପାଇଁ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ କିଛି ପରାମର୍ଶ ଜାରି କରାଯାଇଛି । ବିପର୍ଯ୍ୟୟ ସମ୍ପର୍କିତ ପ୍ରତ୍ୟେକ ଭିଡ଼ିଓରେ ଏବଂ ଦୃଶ୍ୟରେ ଭିଡ଼ିଓ ଉତ୍ତୋଳନ କରାଯାଇଥିବାର ସମୟ ଏବଂ ତାରିଖ ଉଲ୍ଲେଖ କରିବା ପାଇଁ ନିଦେ୍ର୍ଦଶ ଦିଆଯାଇଛି । ଏପରି କରାଗଲେ ୫-୭ ଦିନ ତଳର ପୁରୁଣା ଭିଡ଼ିଓକୁ ନୂଆ ଭାବରେ ଟିଭି ଚ୍ୟାନେଲ୍ ଗୁଡ଼ିକ ଆଉ ଦର୍ଶାଇ ପାରିବେ ନାହିଁ । ପୁରୁଣା ଭିଡ଼ିଓ ଗୁଡ଼ିକ ଦ୍ୱାରା ମଧ୍ୟ ସାମାଜିକ  ଉତ୍ତେଜନା ସୃଷ୍ଟି କରାଯାଇପାରିବ । ସେ ପ୍ରକାରର ଏକ ପରିସ୍ଥିତି ସୃଷ୍ଟି ନ ହେବା ପାଇଁ ତାରିଖ ଏବଂ ସମୟ ଭିଡ଼ିଓ ଗୁଡ଼ିକରେ ଉଲ୍ଲେଖ କରାଯିବା ଜରୁରୀ । 
ବର୍ତ୍ତମାନ କୌଣସି ପ୍ରାକୃତିକ ବିପର୍ଯ୍ୟୟ, ଦୁର୍ଘଟଣଆ ଆଦିର ଦୃଶ୍ୟକୁ ଟିଭି ଚ୍ୟାନେଲ୍ ଗୁଡ଼ିକ ବାରମ୍ବାର ଦର୍ଶାଉଛନ୍ତି ଏବଂ ସଦ୍ୟତମ ତଥ୍ୟ ଭାବରେ ପ୍ରାୟ ସମୟରେ ସେମାନଙ୍କ ନିକଟରେ କିଛି ନଥାଏ । ପୁରୁଣା ତଥ୍ୟକୁ ଭିତ୍ତି କରି ଏବଂ ପୁରୁଣା ଭିଡିଓକୁ ପ୍ରଦର୍ଶନ କରି ଦର୍ଶକମାନଙ୍କ ମନରେ ଚାଞ୍ଚଲ୍ୟ ସୃଷ୍ଟି କରିବା ବ୍ୟତୀତ ଆଉ କିଛି ଉଦେ୍ଦଶ୍ୟ ସେମାନଙ୍କର ନାହିଁ । ଘଟଣା ପରବର୍ତ୍ତୀ ସୂଚନା ପାଇନଥିବା ଟେଲିଭିଜନ୍ ଚ୍ୟାନେଲ୍ ଗୁଡ଼ିକ ବିଶେଷ ଭାବରେ ଏହିଭଳି କରିଥାନ୍ତି । ଏ ସବୁଥିରୁ ଦୂରେଇ ରଖିବା ପାଇଁ ବିଭିନ୍ନ ସମ୍ବାଦ ସଂସ୍ଥା ଗୁଡ଼ିକୁ ବହୁ ଆଗରୁ ସତର୍କ  କରାଇ ଦେବାର ଆବଶ୍ୟକତା ରହିଥିଲା । ବିଭିନ୍ନ ଚ୍ୟାନେଲ୍ରୁ ଦେଖୁଥିବା ସମ୍ବାଦ ଗୁଡ଼ିକ ସତ କି ମିଛି, ସେ ସମ୍ପର୍କରେ ତନଖି କରିବାର କୌଣସି ଉପାୟ ଦର୍ଶକଙ୍କ ନିକଟରେ ନଥାଏ । ତେଣୁ ଦର୍ଶକମାନେ ଯାହାବି କିଛି ଦୃଶ୍ୟ ଏବଂ ସମ୍ବାଦ ବିଭିନ୍ନ ଚ୍ୟାନେଲ୍ରୁ ପାଆନ୍ତି ତାକୁ ସତ୍ୟ ବୋଲି ଧରି ନେଇ ଏଥିରେ ପ୍ରତିକ୍ରିୟା ପ୍ରକାଶ କରିବାପାଇଁ ପଛଘୁଞ୍ଚା ଦିଅନ୍ତି ନାହିଁ । ପୁରୁଣା ସମ୍ବାଦ ଏବଂ ପୁରୁଣା ଭିଡ଼ିଓ ସମାଜରେ ଶାନ୍ତ ପରିବେଶକୁ ଅଶାନ୍ତ କରିବାର ସମ୍ଭାବନାକୁ ଦୃଷ୍ଟିରେ ରଖି ମନ୍ତ୍ରଣାଳୟ ଜାରି କରିଥିବା ନିଦେ୍ର୍ଦଶକୁ କଡ଼ାକଡ଼ି ଭାବରେ ପାଳନ କରାଯାଉଛି କି ନାହିଁ, ତାହାର ମଧ୍ୟ ତଦାରଖ କରିବା ଆବଶ୍ୟକ । 
ବର୍ତ୍ତମାନ ଟିଭି ଚ୍ୟାନେଲ୍ ଗୁଡ଼ିକ ଅପେକ୍ଷା ସାମାଜିକ ଗଣମାଧ୍ୟମ ଗୁଡ଼ିକ ଅଧିକ ବିଭ୍ରାନ୍ତକାରୀ ସମ୍ବାଦରେ ଭରପୂର ଥିବା ଦେଖାଯାଉଛି । ହ୍ୱାଟ୍ସଆପ୍ ଭଳି ଗ୍ରୁପ୍ ଗୁଡ଼ିକରେ ଗ୍ରୁପ୍ ଆଡ୍ମିନ୍ମାନେ ସଦସ୍ୟମାନେ ପୋଷ୍ଟ କରୁଥିବା ତଥ୍ୟର ସତ୍ୟାସତ୍ୟ ଯାଞ୍ଚ୍ କରିନାହାନ୍ତି । ଏହା ଫଳରେ ସ୍ଥାନୀୟ ଭାବରେ ସମାଜରେ ଉତ୍ତେଜନା ସୃଷ୍ଟି ହେବା ଭଳି ପରିସ୍ଥିତି ହେଉଥିବା ଦେଖାଯାଉଛି । ତେଣୁ ସାମାଜିକ ଗଣମାଧ୍ୟମ ପ୍ରତି ମଧ୍ୟ କିଛି କଠୋର ନିଦେ୍ର୍ଦଶାବଳୀ ପାଳନର ଆବଶ୍ୟକତା ରହିଛି । ଏ ସମ୍ପର୍କରେ ମନ୍ତ୍ରଣାଳୟ ପକ୍ଷରୁ ସୁଚିନ୍ତିତ ନିଦେ୍ର୍ଦଶାବଳୀ ଜାରି କରାଯିବା ଉଚିତ୍ ।