‘ହିନ୍ଦୁତ୍ୱ’ ସହିଷ୍ଣୁତାର ପ୍ରତୀକ
ଆମ ଦେଶରେ ସମୟ ସମୟରେ ହିନ୍ଦୁ ସନାତନ ଧର୍ମକୁ ନେଇ କିଛି ନା କିଛି ବିଚାର ବିମର୍ଷ ଚାଲିଥାଏ । ବିରାଟ ହିନ୍ଦୁ ଦର୍ଶନକୁ ନେଇ ଅନେକ ଆଲୋଚନା ମଧ୍ୟ କରାଯାଇଥାଏ । ଭାରତ ବର୍ଷର ଇତିହାସକୁ ଦେଖିଲେ ସ୍ପଷ୍ଟ ଯେ ଏଠିଥିବା ସବୁ ପନ୍ଥରେ ବିଭେଦ ରହିଛି । ହିନ୍ଦୁ ମତରେ ଶୈବ, ଶାକ୍ତେୟ ଏବଂ ବୈଷ୍ଣବ ରହିଛି । ଏସବୁ ଭେଦ ଥାଇ ମଧ୍ୟ ଭାରତରେ ହିନ୍ଦୁତ୍ୱ ରୂପୀ ଛତା ତଳେ ସମସ୍ତେ ମିଳିମିଶି ଏକ ହୋଇ ରହନ୍ତି । ଏ ହେଉଛି ହିନ୍ଦୁ ତତ୍ତ୍ୱ ଭାରତ ଏବଂ ଭାରତର ସନାତନ ସଂସ୍କୃତିର ମୂଳତତ୍ତ୍ୱ ଯାହା ସବୁଠାରୁ ଭିନ୍ନ ଅଟେ । ସାରା ବିଶ୍ୱର ଇତିହାସକୁ ଦେଖିଲେ ସ୍ପଷ୍ଟ ଜଣାପଡ଼େ ଯେ ଗୋଟିଏ ପନ୍ଥକୁ ମାନୁଥିବା ଲୋକେ ଅନ୍ୟ ପୂଜା ପଦ୍ଧତିକୁ ମାନୁଥିବା ଲୋକଙ୍କୁ ଶତ୍ରୁ ବୋଲି ଭାବିଥାନ୍ତି । ଭାରତରେ କିନ୍ତୁ ବିଶାଳ ହିନ୍ଦୁତ୍ୱ ଚିନ୍ତନ ଧାରାରେ ସବୁ ପନ୍ଥର ଲୋକେ ବିନା ବେଦଭାବରେ ମିତ୍ରଭଳି ରହିଥାନ୍ତି । କାରଣ ହେଉଛି ଭାରତର ହିନ୍ଦୁ ସଂସ୍କୃତିକୁ ମାନୁଥିବା ଲୋକେ “ସର୍ବେ ଭବନ୍ତୁ ସୁଖୀନଃ”ର କଥା କହିଥାନ୍ତି । ଏଇଥିପାଇଁ ହିନ୍ଦୁ ସଂସ୍କୃତି ଭାରତର ସଂସ୍କୃତି ଅଟେ । ଏହି ସଂସ୍କୃତିରେ ଲୋକେ ଇସଲାମ ଓ ଖ୍ରୀଷ୍ଟଧର୍ମକୁ ମଧ୍ୟ ଭିନ୍ନ କରିନାହାଁନ୍ତି । ଭାରତରେ କିଏ କେମିତି ଓ କାହାକୁ ପୂଜା କରୁଛି ସେ କଥାକୁ ଗୁରୁତ୍ୱ ଦିଆଯାଇ ନଥାଏ । ସମସ୍ତେ ଏକ ବୋଲି ଭାବିଥାନ୍ତି । ଏହି ଏକତ୍ୱ ଭାବ ହିଁ ଆପଣା ପଣର ଭାବ ଅଟେ । ଏଇଥିପାଇଁ ହିନ୍ଦୁ ବିଚାରରେ କେହି କାହାରିକୁ ଶତ୍ରୁ ବୋଲି ଭାବିନଥାନ୍ତି । କେହି କାହାରିକୁ ପ୍ରତାଡ଼ିତ କରିନଥାନ୍ତି । ଏକଥା ମଧ୍ୟ ସତ୍ୟ ଯେ ଯେଉଁ ସ୍ଥାନକୁ ଇସଲାମ ବା ଖ୍ରୀଷ୍ଟଧର୍ମକୁ ମାନୁଥିବା ଲୋକେ ଯାଇଥାନ୍ତି ସେଠାରେ ସେମାନେ ସେଠାକାର ଜନ ମାନସକୁ କିଛି ବର୍ଷ ମଧ୍ୟରେ ମତାନ୍ତରିତ କରିବାରେ ସଫଳ ହୋଇଥାନ୍ତି । ଏପରିକି ସେଠାକାର ସଂସ୍କୃତିକୁ ପୁରାପୁରି ନଷ୍ଟ କରି ଦେଇଥାନ୍ତି । ଭାରତ ଏଭଳି ଏକ ଭୂମି ଯେଉଁଠି ଲୋକେ ବର୍ଷ ବର୍ଷ ଧରି ଅତ୍ୟାଚାର ସହିବା ଶିଖିଛନ୍ତି କିନ୍ତୁ ହିନ୍ଦୁ ତତ୍ତ୍ୱ ବା ବିଚାରକୁ ତ୍ୟାଗ କରି ନାହାଁନ୍ତି । ଏଇଥିପାଇଁ କୁହାଯାଏ ଯେ ହିନ୍ଦୁ କୌଣସି ପନ୍ଥ ବା ପୂଜା ପଦ୍ଧତି ସହ ଯୋଡ଼ି ହୋଇଥିବା ଜିନିଷ ନୁହେଁ, ଏହା ଏକ ଧର୍ମ ଅଟେ । ଏସବୁକୁ ଦେଖିଲେ ମନରେ ଅନେକ ପ୍ରଶ୍ନ ଉଙ୍କି ମାରିବା ସ୍ୱାଭାବିକ । ସାଧାରଣରେଏକ ପ୍ରଶ୍ନ ଉଠୁଛି ଯେ ହିନ୍ଦୁ/ ସନାତନ ଅନ୍ୟ ଧର୍ମ ପନ୍ଥଠାରୁ ଭିନ୍ନ କେମିତି? କେତେକ ପନ୍ଥ କେବଳ ଏକ ପୂଜା ପଦ୍ଧତିରେ ଯୋଡ଼ି ହୋଇଯାଇଛି । ହିନ୍ଦୁ/ ହିନ୍ଦୁତ୍ୱର ସମ୍ପର୍କ ବ୍ୟକ୍ତିର ଜୀବନରେ ଆନୁଷ୍ଠାନିକ କାର୍ଯ୍ୟର ସମ୍ପାଦନ ସହ ଜଡ଼ିତ ବା ଅନ୍ୟ ଅର୍ଥରେ କହିବାକୁ ଗଲେ ଏହା ବ୍ୟକ୍ତି ଜୀବନର ପ୍ରମୁଖ ଅଂଶ ଅଟେ । ଧର୍ମ ନିଜର ସ୍ୱରୂପରେ ଅଧିକ ବିଶାଳ ଅଟେ । ଧର୍ମ ରିଲିଜିୟନ ହୋଇନପାରେ । ରିଲିଜିୟନ ପ୍ରସଙ୍ଗରେ ସ୍ୱାମୀ ବିବେକାନନ୍ଦ କହିଛନ୍ତି “କୌଣସି ରିଲିଜିୟନ ପାଇଁ ୩ଟି ଜିନିଷ ନିହାତି ଜରୁରି । ପ୍ରଥମଟି ହେଉଛି ବହି/ପୁସ୍ତକ, ଦ୍ୱିତୀୟଟି ହେଉଛି ପୈଗମ୍ବର (ଈଶ୍ୱର) ଏବଂ ତୃତୀୟଟି ହେଉଛି ପୂଜା ପଦ୍ଧତି । ଏହି ତିନି ଆଧାର ସବୁ ପନ୍ଥ ବା ରିଲିଜିୟନରେ ମିଳିବ କିନ୍ତୁ ହିନ୍ଦୁ ସଂସ୍କୃତି ବା ଧର୍ମରେ ମିଳିବ ନାହିଁ । ହିନ୍ଦୁ ଧର୍ମରେ କୌଣସି ମାତ୍ର ଗୋଟିଏ ପୂଜା ପଦ୍ଧତି ନାହିଁ କି କୌଣସି ଗୋଟିଏ ପୁସ୍ତକକୁ ପବିତ୍ର ପୁସ୍ତକ ବୋଲି କୁହାଯାଇ ପାରେ ନାହିଁ । ହିନ୍ଦୁମାନେ ମଧ୍ୟ କୌଣସି ଏକ ଭଗବାନଙ୍କୁ ମାନିନଥାନ୍ତି । ହିନ୍ଦୁ ଧର୍ମରେ ଏଇ ୩ଟା କଥା ନାହିଁ କିନ୍ତୁ ଅନ୍ୟ କେତେକ ପନ୍ଥରେ ଏସବୁ ମିଳିଯାଏ ଅର୍ଥାତ ଗୋଟିଏ ପୂଜା ପଦ୍ଧତି, ଜଣେ ଈଶ୍ୱର ଓ ଗୋଟିଏ ପବିତ୍ର ପୁସ୍ତକ ବା ଗ୍ରନ୍ଥ । ଅନ୍ୟ ପନ୍ଥ ବା ଧର୍ମରେ ଏକ ଭଗବାନ ମିଳିଥାନ୍ତି । ହିନ୍ଦୁ ଧର୍ମରେ ଏକଥା ନାହିଁ । ଏଣୁ କୁହାଯାଏ ଯେ ହିନ୍ଦୁ ଏକ ବିଚାର ଓ ହିନ୍ଦୁ ଏକ ଦର୍ଶନ ଏପରିକି ଜୀବନରେ କେମିତି ଚଳିବାକୁ ହେବ ସେ ବାଦରେ ନିଦେ୍ର୍ଦଶ ଦେଉଥିବା ତତ୍ତ୍ୱ ହେଉଛି ହିନ୍ଦୁତ୍ୱ ।
ହିନ୍ଦୁତ୍ୱ ଏକ ଧର୍ମ ଅଟେ ଯାହା ଆଜିର ପ୍ରଚଳିତ ରିଲିଜିୟନ ନୁହେଁ ଏହା ସମସ୍ତଙ୍କୁ ନିଜ ଭିତରେ ଏକତ୍ର କରି ରଖିବାର ତତ୍ତ୍ୱ ଅଟେ । ଏଇଥିପାଇଁ ହିନ୍ଦୁତ୍ୱ କଠୋର ନୁହେଁ ବରଂ ସର୍ବ ସମାବେଶି ଅଟେ । ହିନ୍ଦୁଧର୍ମ (ସଂସ୍କୃତି)ରେ “ଏକମ୍ ସତ୍ ବିପ୍ରା ବହୁଧା ବଦନ୍ତି”ର ମନ୍ତ୍ର ଦେଇଥାଏ ଓ ସମସ୍ତଙ୍କୁ ସମ୍ମାନ ଦେଇଥାଏ । ହିନ୍ଦୁ ସଂସ୍କୃତି ବାବଦରେ ଗାନ୍ଧିଜୀଙ୍କ ମତ ଥିଲାଯେ “କୌଣସି ବି ସଂସ୍କୃତିର ମୂଲ୍ୟ ସଂଜ୍ଞାପିତ କରାଯାଇନାହିଁ । ଯଦି ଆମେ ଆମ ସଂସ୍କୃତିର ଅନୁପାଳନ କରୁନାହେଁ ତ ଆମେ ଆମ ନିଜ ପ୍ରତି ବିଶ୍ୱାସଘାତକତା କରୁଛେ ବୋଲି କହିବାକୁ ହେବ । ପଶ୍ଚିମ ଦେଶରେ କେତେକ ଅବୋଧ ଅଜ୍ଞ ଭାରତର ହିନ୍ଦୁ ସଂସ୍କୃତିକୁ “ଡିସ୍ମେଣ୍ଟାଲ ହିନ୍ଦୁତ୍ୱ” କହି ଏହା ଉପରେ ଅଧାରିତ ପାଠ୍ୟକ୍ରମ ପ୍ରସ୍ତୁତ କରି ମହାବିଦ୍ୟାଳୟ ମାନଙ୍କରେ ପଢାଇବାର କଥା କହୁଛନ୍ତି । ଏହା କ’ଣ ଆମର ସଂସ୍କୃତି? ଉତ୍ତର ହେଉଛି ସନାତନ ହିନ୍ଦୁ ହିଁ ତ ଆମ ସଂସ୍କୃତି ଅଟେ ଯେଉଁ ସନାତନ ହିନ୍ଦୁ ସଂସ୍କୃତିକୁ ଅରବିନ୍ଦ ଘୋଷ ଭାରତର ରାଷ୍ଟ୍ରୀୟତା ବୋଲି ମାନିଥିଲେ ।ଏହି ହିନ୍ଦୁତ୍ୱ ଚିନ୍ତନ ଧାରାକୁ ବିବେକାନନ୍ଦ ମଧ୍ୟ ଦୁନିଆକୁ ବତାଇଥିଲେ । ହିନ୍ଦୁ ସଂସ୍କୃତିକୁ ବା ହିନ୍ଦୁ ଦେବାଦେବୀଙ୍କୁ ଅନ୍ୟ ପନ୍ଥ/ଧର୍ମର ଲୋକେ ଅନେକ ସର୍ମରେ ସମାଲୋଚନା କରିଥାନ୍ତି ହେଲେ ହିନ୍ଦୁ ସଂସ୍କୃତି ସେମାନଙ୍କ ବିରୁଦ୍ଧରେ କେବେ ବିଷୋଦ୍ଗାର କରି ନାହିଁ । ହିନ୍ଦୁ ସମସ୍ତଙ୍କୁ ସାଥିରେ ନେଇ ଚାଲିବାକୁ ଚାହାଁନ୍ତି । ଏବେ ହିନ୍ଦୁତ୍ୱର ଆଧାର ସନାତନ ଧର୍ମକୁ କେମିତି ବଞ୍ଚେଇ ରଖିବାକୁ ହେବ ତାହା ଚିନ୍ତାର ବିଷୟ । ସନାତନ ଏକ ସାର୍ବଭୌମିକ, ସର୍ବକାଳିକ, ଗୁଣ, କର୍ମ ଏବଂ ସ୍ୱଭାବ ଉପରେ ଆଧାରିତ ଜୀବନ ପଦ୍ଧତି ଅଟେ । ଏଥିରେ ବ୍ୟକ୍ତିକୁ କର୍ମର ଚୟନର ସ୍ୱାଧୀନତା ରହିଛି ଓ ନିଜର ଉତ୍ଥାନ, ଉନ୍ନତି ଏବଂ ଉକ୍ରର୍ଷର ପୁରା ବ୍ୟବସ୍ଥା ରହିଛି । ସନାତନ ଏକ ବନ୍ଧନ ମୁକ୍ତ, ଚୈତନ୍ୟ ସତ୍ତାର ଆହ୍ୱାନ କରିଥାଏ । ଏଠାରେ ଅଧିକାର ଠାରୁ କର୍ତ୍ତବ୍ୟକୁ ଅଧିକ ଗୁରୁତ୍ୱ ଦିଆଯାଇଥାଏ । ଭାରତର ସମ୍ବିଧାନ ସନାତନ ଦୃଷ୍ଟିକୋଣର ପ୍ରତିବିମ୍ବ ଅଟେ । ହିନ୍ଦୁ ସଂସ୍କୃତି ବା ହିନ୍ଦୁତ୍ୱ ସହିଷ୍ଣୁତାର ପ୍ରତୀକ “ଆ ନୋ ଭଦ୍ରା: କୃତବୋୟନ୍ତୁ ବିଶ୍ୱତଃ” ରେ ବିଶ୍ୱାସ କରେ ।
ରାମଚନ୍ଦ୍ରପୁର, ରଣପୁର
ମୋ-୯୪୩୮୪୮୫୦୯୪