ଗଭାଇ ପରବର୍ତ୍ତୀ ସିଜେଆଇ!
ନୂଆଦିଲ୍ଲୀ: ଦେଶର ପରବର୍ତ୍ତୀ ତଥା ନୂଆ ପ୍ରଧାନ ବିଚାରପତି ହୋଇପାରନ୍ତି ଜଷ୍ଟିସ୍ ଭୂଷଣ ରାମକୃଷ୍ଣ ଗବାଇ । ସିଜେଆଇ ସଞ୍ଜୀବ ଖାନ୍ନାଙ୍କ ଦ୍ୱାରା ଜଷ୍ଟିସ୍ ଗଭାଇଙ୍କ ନାଁ ଆଇନ୍ ମନ୍ତ୍ରାଳୟକୁ ସୁପାରିଶ୍ କରାଯାଇଛି । ଅପରପକ୍ଷେ ଆସନ୍ତା ମେ ୧୩ରେ ବର୍ତ୍ତମାନର ସିଜେଆଇ ସଞ୍ଜୀବ ଖାନ୍ନା ଅବସର ଗ୍ରହଣ କରିବାକୁ ଥିବା ବେଳେ ଗଭାଇ ସିଜେଆଇ ହେଲେ ଭାରତର ୫୨ତମ ପ୍ରଧାନ ବିଚାରପତି ହେବେ । ସେହିପରି ମେ ୧୪ରେ ସେ ରାଷ୍ଟ୍ରପତିଙ୍କ ଠାରୁ ଶପଥ ପାଠ ଗ୍ରହଣ କରିବେ ଏବଂ ତାଙ୍କ କାର୍ଯ୍ୟକାଳ ୨୦୨୫ ନଭେମ୍ୱର ୨୩ ଯାଏ ବଳବତ୍ତର ରହିବ ବୋଲି କୁହାଯାଉଛି ।
୧୯୬୦ ନଭେମ୍ବର ୨୪ରେ ମହାରାଷ୍ଟ୍ରର ଅମରାବତୀରେ ଜନ୍ମିତ ଗଭାଇ ୧୯୮୫ରେ ନିଜର ଆଇନଗତ ବୃତ୍ତି ଆରମ୍ଭ କରିଥିଲେ । କ୍ୟାରିୟର ଆରମ୍ଭରେ ସେ ଜଣାଶୁଣା ଆଇନଜୀବୀ ତଥା ତକôାଳୀନ ଏଜି ସ୍ୱର୍ଗତ ରାଜା ଏସ୍. ଭୋନଲେଙ୍କ ପାଖରେ ଲ’ ପ୍ରାକ୍ଟିସ୍ କରିଥିଲେ । ଏହାପରେ ୧୯୮୭ରେ ସେ ବମ୍ବେ ହାଇକୋର୍ଟରେ ଏକାକୀ ଓକିଲାତି ଆରମ୍ଭ କରିଥିଲେ । ଜଷ୍ଟିସ୍ ଗଭାଇ ଫୋକସ୍ ସାମ୍ୱିଧାନିକ ଓ ପ୍ରଶାସନିକ ଆଇନ ଉପରେ ଅଧିକ ରହିଛି । ୧୯୯୨ ଅଗଷ୍ଟରେ ବମ୍ୱେ ହାଇକୋର୍ଟଙ୍କ ନାଗପୁର ବେଞ୍ଚରେ ଅତିରିକ୍ତ ସରକାରୀ ଓକିଲ ଭାବେ ନିଯୁକ୍ତି ପାଇଥିଲେ । ପରେ ୨୦୦୦ ମସିହାରେ ନାଗପୁର ବେଞ୍ଚ୍ରେ ହିଁ ପବ୍ଲିକ୍ ପ୍ରୋସିକୁ୍ୟଟର ହୋଇଥିଲେ । ୨୦୦୩ ନଭେମ୍ୱର ୧୪ରେ ବମ୍ବେ ହାଇକୋର୍ଟର ଅତିରିକ୍ତ ଜଜ୍ ଭାବେ ନିଯୁକ୍ତି ପାଇଥିଲେ । ଏହାପରେ ୨୦୦୫, ନଭେମ୍ବର ୧୨ରେ ସେ ହାଇକୋର୍ଟର ସ୍ଥାୟୀ ବିଚାରପତି ହୋଇଥିଲେ । ୨୦୧୯ ମେ ୨୪ରେ ତାଙ୍କୁ ସୁପ୍ରିମକୋର୍ଟକୁ ପଦୋନ୍ନତି କରାଯାଇଥିଲା । ସେବେଠାରୁ ସୁପ୍ରିମକୋର୍ଟର ଅନେକ ସାମ୍ବିଧାନିକ ଖଣ୍ଡପୀଠର ସେ ଅଂଶବିଶେଷ ଅଛନ୍ତି ।