ଅପରାଧ ଜଗତରେ ବାଳ ଅପରାଧୀଙ୍କ ଭିଡ଼
ଅଭାବ ଓ ଅନଟନ ମଣିଷକୁ ଶୈଶବ ଅବସ୍ଥାରୁ ଅପରାଧମନସ୍କ କରୁଛି । ଅର୍ଥନୈତିକ ଦୁରବସ୍ଥା, ପାରିବାରିକ ଗଣ୍ଡଗୋଳ, ପିତା ମାତାଙ୍କ ମଧ୍ୟରେ ହେଉଥିବା କଳି କଜିଆ, ସ୍ନେହ ମମତାର ଅଭାବ, କୁସଙ୍ଗର ପ୍ରଭାବ, ଅପରାଧୀ ଗୋଷ୍ଠୀଙ୍କ ସହିତ ମିଳାମିଶା, ମାନସିକ ଦୁଶ୍ଚିନ୍ତା ଭଳି ଅନେକ କାରଣ ନାବାଳକମାନଙ୍କୁ ଅପରାଧୀ ସଜାଇବାରେ ମୁଖ୍ୟ ଭୂମିକା ଗ୍ରହଣ କରିଛି । ସାଂପ୍ରତିକ ଡିଜିଟାଲ ଦୁନିଆରେ ଟେଲିଭିଜନରେ ପ୍ରଦର୍ଶିତ ହେଉଥିବା ଅପରାଧ ମୂଳକ ଚଳଚିତ୍ର, ମୋବାଇଲର ଅପବ୍ୟବହାର ପ୍ରଭୃତି ମଧ୍ୟ ବାଳ ଅପରାଧୀ ବଢାଇବା ପାଇଁ ସଂପୂର୍ଣ୍ଣ ଦାୟୀ ଅଟେ । ଅନ୍ୟ ମୁଖ୍ୟ ଦିଗଟି ହେଲା ଆଇନ ଓ ଅଦାଲତରେ ନାବାଳକ ମାନଙ୍କ ପାଇଁ ଦଣ୍ଡବିଧାନ ବ୍ୟବସ୍ଥାରେ ଥିବା କୋହଳ ମନୋଭାବ ବାଳ ଅପରାଧୀଙ୍କୁ ଅପରାଧ ଭିଆଇବାରେ ପ୍ରୋତ୍ସାହିତ କରୁଛି ।
ରବୀନ୍ଦ୍ରନାଥ ଯୋଷୀ : ଦେଶରେ ଶିକ୍ଷା ଓ ଅର୍ଥନୀତିର ବିକାଶର ଧାରା ଯେତକି ଆଗେଇ ଆଗେଇ ଯାଉଛି ମାନବ ସମାଜରେ ସେତିକି ଶାନ୍ତି ଓ ସଦଭାବନା ପ୍ରତିଷ୍ଠା ହେବା କଥା । କିନ୍ତୁ ଆଜି ସମାଜରେ ଅପରାଧ ପ୍ରବଣତା ବଢିଚାଲିଛି । ସମଗ୍ର ବିଶ୍ୱରେ ଭାରତ ବର୍ଷ ତୃତୀୟ ବୃହତ୍ତମ ଅର୍ଥନୀତି ଦେଶ ଭାବରେ ଉଭା ହୋଇଛି । କିନ୍ତୁ ଅନ୍ୟ ପକ୍ଷରେ ସମାଜରେ ହତ୍ୟା ,ଧର୍ଷଣ ,ଗଣ ଦୁଷ୍କର୍ମ ଭଳି ଅପରାଧ ଦ୍ରୁତ ଗତିରେ ବଢି ଚାଲିଛି । ସବୁଠାରୁ ଚିନ୍ତାର ବିଷୟ ହୋଇଛି ଯେ ଅପରାଧ ଜଗତରେ ବାଳ ଅପରାଧୀଙ୍କ ସଂଖ୍ୟା କ୍ରମାଗତ ଭାବରେ ବୃଦ୍ଧିପାଉଛି । ଯେଉଁ ବୟସରେ ହାତରେ ବହି ବସ୍ତାନି ଧରି ନିଜ ଭବିଷ୍ୟତ ଗଢିବାପାଇଁ ବାଳକଟିଏ କସରତ କରିବା କଥା ସେହି ବୟସରେ ତା ହାତରେ ବନ୍ଧୁକ, ପିସ୍ତଲ, ଛୁରି ଭଳି ମାରଣାସ୍ତ୍ର ଶୋଭାପାଉଛି । ତାର ମସ୍ଥିଷ୍କ ଜ୍ଞାନ ଓ ବିଜ୍ଞାନର କଷଟି ପଥରରେ ମାଜି ଘଷି ହୋଇ ଶାଣିତ ହେବା ବଦଳରେ ଆସୁରିକ ପ୍ରବୃତ୍ତିରେ ବୁଡ଼ି ରହି ବଡ଼ ବଡ଼ ହିଂସା ରଚିବାରେ ବ୍ୟସ୍ତ ରହୁଛି । କଅଁଳ ବୟସରେ ଶାନ୍ତ ସ୍ନିଗ୍ଧ ଧରା ପୃଷ୍ଠରେ ଶିତଳ ମଳୟ ସ୍ପର୍ଶରେ ମାଟି ଓ ଆକାଶର ମଧୁର ମିଳନର ସଂଗୀତ ଗାଇବା ବଦଳରେ ବନ୍ଧୁକ ମୁନରେ ହୋରି ଖେଳିବାର ସ୍ପପ୍ନରେ ଉଦ୍ଭ୍ରାନ୍ତ ହେଉଛି ନାବାଳକ । ସବୁଜ ସୁନ୍ଦର ପୃଥିବୀରେ ନିଆଁର ଲେଲିହାନ ଶିଖାରେ ଲମ୍ଫ ପ୍ରଦାନ କରିବାକୁ ଭଲ ପାଉଛି । ସାଂପ୍ରତିକ ଦୁନିଆରେ ନାବାଳିକା ଯୁବତୀମାନେ ଦୁଷ୍କର୍ମ ଓ ଗଣଦୁଷ୍କର୍ମର ଶିକାର ହେବାର ପରିସଂଖ୍ୟାନ ଗ୍ରାଫ ଯେପରି ଉପରମୁହାଁ ହୋଇଛି ଅପରାଧ ଜଗତରେ ନାବାଳକ ମାନଙ୍କ ଅପରାଧିକ କାର୍ଯ୍ୟକଳାପ ଅନୁରୂପ ଭାବରେ ବଢି ବଢି ଚାଲିଛି । ଏହା ଦେଶ ପାଇଁ ତଥା ମାନବ ସମାଜ ପାଇଁ ନିଶ୍ଚିତ ଭାବରେ ଘୋର ଚିନ୍ତାର ବିଷୟ ପାଲଟିଛି ।
ଛାତ୍ରଛାତ୍ରୀ ,କିଶୋର କିଶୋରୀ ମାନଙ୍କ ଅପରାଧ ଜଗତ ସହିତ କ୍ରମବର୍ଦ୍ଧିଷ୍ଣୁ ସଂପର୍କ ଭୟଙ୍କର ପରିସ୍ଥିତିକୁ ଆହ୍ୱାନ କରୁଛି । ଓଡ଼ିଶା ଭଳି ଏକ ଶାନ୍ତିପ୍ରିୟ ରାଜ୍ୟରେ ମଧ୍ୟ ବାଳ ଅପରାଧୀଙ୍କ ସଂଖ୍ୟା କ୍ରମାଗତ ଭାବରେ ବୃଦ୍ଧି ପାଉଛି । ସବୁଠାରୁ ଚିନ୍ତାର ବିଷୟ ହେଲା ଯେ ହତ୍ୟା, ହତ୍ୟା ଉଦ୍ୟମ, ଦୁଷ୍କର୍ମ ଓ ଗଣଦୁଷ୍କର୍ମ ଭଳି ସଂଗୀନ ଅପରାଧରେ ଏହି ନାବାଳକ ଅପରାଧୀ ଛନ୍ଦିହୋଇଛନ୍ତି । ଗଞ୍ଜେଇ, ଚରସ, ଅଫିମ ଓ ଅନ୍ୟ ମାଦକ ଦ୍ରବ୍ୟର ଚୋରା କାରବାରରେ ବି ଏମାନଙ୍କ ସଂପୃକ୍ତି ମୁଣ୍ଡବ୍ୟଥାର କାରଣ ହୋଇଛି । ଆଇନର ଗଳାବାଟର ଫାଇଦା ନେବା ପାଇଁ କିଛି ଦୁର୍ଦ୍ଧାନ୍ତ ଅପରାଧୀ ଏମାନଙ୍କୁ ଅପବ୍ୟବହାର କରୁଥିବାବେଳେ ପରବର୍ତ୍ତୀ ପର୍ଯ୍ୟାୟରେ କେତେବେଳେ ସେହି ନାବାଳକଟି ନିଜେ ଏକ କୁଖ୍ୟାତ ଅପରାଧୀ ପାଳଟିଯାଉଛି । ଏମାନେ ଅପରାଧ ଜଗତରେ ଥରେ ଗୋଡ଼ ଖସାଇଲା ପରେ ଆଉ ମୁଖ୍ୟ ସ୍ରୋତକୁ ପ୍ରତ୍ୟାବର୍ତ୍ତନ କରିବାର ସମ୍ଭାବନା କେତେ ତାହା କାହାକୁ ଅଛପା ନାହିଁ । ବିଗତ କିଛି ବର୍ଷରେ ଅପରାଧ ଜଗତରେ କିପରି ବାଳ ଅପରାଧୀଙ୍କ କାୟା ବିସ୍ତାର ଘଟୁଛି ତାହା ଏନ ସି ଆର ବି (ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ ) ଦ୍ୱାରା ପ୍ରଦତ୍ତ ବାଳ ଅପରାଧୀଙ୍କ ପରିସଂଖ୍ୟାନକୁ ଅନୁଶୀଳନ କଲେ ସ୍ପଷ୍ଟ ଜଣା ପଡ଼ୁଛି । ୨୦୧୩ ରୁ ୨୦୨୨ ମସିହା,ଦଶ ବର୍ଷ ମଧ୍ୟରେ ଦେଶରେ ଘଟିଥିବା ହତ୍ୟା, ହତ୍ୟା ଉଦ୍ୟମ, ଧର୍ଷଣ, ଗଣ ଦୁଷ୍କର୍ମ, ଡକାୟତି ଭଳି ସଂଗୀନ ଅପରାଧରେ ପାଦ ଥାପିଥିବା ନାବାଳକ ମାନଙ୍କ ବିରୁଦ୍ଧରେ ଆସିଥିବା ଅଭିଯୋଗ ବାସ୍ତବିକ ଚିନ୍ତାଜନକ ଅଟେ । ଏଠାରେ କେବଳ ପଂଜୀକୃତ ମାମଲାର ତଥ୍ୟ ପ୍ରଦାନ କରାଯାଇଛି ।
ଏହା ବ୍ୟତୀତ ଅନେକ ମାମଲା ପୋଲିସର ପରିସରକୁ ପହଂଚି ପାରିନାହିଁ । ୨୦୧୩ ମସିହାରେ ଦେଶରେ ମୋଟ ୪୩୫୦୬ ଗୋଟି ବାଳ ଅପରାଧ ମାମଲା ପଂଜୀକୃତ ହୋଇଥିବାବେଳେ ୨୦୧୪ ରେ ୩୮୪୫୫ ଗୋଟି, ୨୦୧୫ରେ ୩୩୪୩୩ ଗୋଟି, ୨୦୧୬ରେ ୩୫୮୪୯ ଗୋଟି, ୨୦୧୭ ରେ ୩୩୬୦୬ ଗୋଟି, ୨୦୧୮ ରେ ୩୧୫୯୧ ଗୋଟି, ୨୦୧୯ ରେ ୩୨୨୩୫ ଗୋଟି, ୨୦୨୦ରେ ୨୯୭୬୮ ଗୋଟି, ୨୦୨୧ରେ ୩୧୧୭୦ ଗୋଟି ଓ ୨୦୨୨ରେ ୩୦୫୫୫ଗୋଟି ବାଳ ଅପରାଧ ମାମଲା ଦେଶରେ ବିଭିନ୍ନ ଥାନାରେ ପଂଜୀକୃତ ହୋଇଥିଲା । ୨୦୧୩ ରୁ ୨୦୨୨ ମସିହା ପର୍ଯ୍ୟନ୍ତ ଦଶ ବର୍ଷ ମଧ୍ୟରେ ମଧ୍ୟପ୍ରଦେଶରେ ସର୍ବାଧିକ ୫୯୩୭୨ ଟି ମାମଲା ନାବାଳକ ମାନଙ୍କ ବିରୁଦ୍ଧରେ ପଂଜୀକୃତ ହୋଇ ଦେଶର ବାଳ ଅପରାଧୀ ସଂଖ୍ୟା ତାଳିକାରେ ପ୍ରଥମ ସ୍ଥାନରେ ରହିଛି । ଏହା ତଳକୁ ମହାରାଷ୍ଟ୍ରରେ ୫୫୮୫୨ ଟି ,ଦିଲ୍ଲୀରେ ୨୪୮୮୭ଟି, ରାଜସ୍ଥାନରେ ୨୪୩୮୬ଟି, ତାମିଲନାଡ଼ୁରେ ୨୪୩୧୦ଟି, ଗୁଜରାଟରେ ୨୧୩୬୮ଟି ଛତିଶଗଡ଼ରେ ୨୦୦୬୨ଟି ବିହାରରେ ୧୬୪୫୨ଟି ଉତ୍ତର ପ୍ରଦେଶରେ ୧୨୨୩୧ଟି ହରିଆଣାରେ ୧୧୬୪୦ଟି ଆନ୍ଧ୍ରପ୍ରଦେଶରେ ୧୧୩୫୩ଟି ମାମଲା ପଂଜୀକୃତ ହୋଇଥିବାବେଳେ ଆମ ରାଜ୍ୟ ଓଡ଼ିଶାରେ ମଧ୍ୟ ୧୦୮୦୨ଟି ବାଳ ଅପରାଧ ମାମଳା ପଂଜୀକୃତ ହୋଇ ଦେଶରେ ବୃହତ୍ତମ ବାଳଅପରାଧୀଙ୍କ ରାଜ୍ୟ ତାଳିକାରେ ଦ୍ୱାଦଶ ସ୍ଥାନରେ ରହିଛି । ଏହି ମାମଲା ମାନଙ୍କ ମଧ୍ୟରୁ ଶତାଧିକ ମାମଲା ହତ୍ୟା, ହତ୍ୟା ଉଦ୍ୟମ, ଦୁଷ୍କର୍ମ ଓ ଗଣଦୁଷ୍କର୍ମ ଭଳି ଅତ୍ୟନ୍ତ ସମ୍ବେଦନଶୀଳ ଅପରାଧିକ ମାମଳା ରହିଛି । ଡ୍ରଗ୍ସ କାରବାରରେ ମଧ୍ୟ ନାବାଳକଙ୍କ ସଂପୃକ୍ତି ବଢିବାରେ ଲାଗିଛି । ୨୦୧୮ ରେ ୧୯୬ ଟି ୨୦୧୯ରେ ୨୧୯ଟି, ୨୦୨୦ରେ ୨୬୪ ଟି, ୨୦୨୧ ରେ ୩୬୯ ଟି ଓ ୨୦୨୨ ରେ ୩୮୭ ଟି ମାମଳାରେ ନାବାଳକ ମାନଙ୍କ ସଂପୃକ୍ତି ରହିଥିବା ଜଣାପଡ଼ିଛି । ଓଡ଼ିଶା ଭଳି ଏକ ଶାନ୍ତିପ୍ରିୟ ରାଜ୍ୟରେ ମଧ୍ୟ ଧୀରେ ଧୀରେ ବାଳ ଅପରାଧ ସଂଖ୍ୟା ଦ୍ରୁତ ଗତିରେ ବଢି ଚାଲିଛି ।
ଗୃହ ବିଭାଗର ଏକ ପରିସଂଖ୍ୟାନରୁ ଜଣାପଡେ଼ ଯେ ୨୦୧୮ ମସିହାରେ ରାଜ୍ୟରେ ମୋଟ ୧୦୭୮ ଗୋଟି ବାଳ ଅପରାଧ ମାମଲା ପଂଜୀକୃତ ହୋଇଥିବାବେଳେ ୨୦୧୯ ବର୍ଷରେ ୧୧୬୨ ଗୋଟି, ୨୦୨୦ ବର୍ଷରେ ୧୦୯୫ ଗୋଟି, ୨୦୨୧ ବର୍ଷରେ ୧୩୩୪ ଗୋଟି ବାଳ ଅପରାଧ ମାମଳା ପଂଜୀକୃତ ହୋଇଛି । ଦେଶ ତଥା ରାଜ୍ୟର କିଛି ବହୁଚର୍ଚ୍ଚିତ ଅପରାଧରେ ବାଳ ଅପରାଧୀଙ୍କ ସଂପୃକ୍ତି ଦୃଷ୍ଟି ଗୋଚର ହୋଇଛି । ୨୦୧୨ ମସିହାରେ ଡିସେମ୍ବର ୧୬ ତାରିଖରେ ଦକ୍ଷିଣ ଦିଲ୍ଲୀରେ ଏକ ଘରୋଇ ବସ ଭିତରେ ଜନୈକା ୨୨ ବର୍ଷୀୟା ଯୁବତୀଙ୍କ ସହିତ ଘଟିଥିବା ଏକ ଗଣଦୁଷ୍କର୍ମ ଘଟଣାରେ ମହମ୍ମଦ ଅଫର୍ଜ ନାମକ ଜନୈକ ସତର ବର୍ଷ ବୟସ୍କ ନାବାଳକ ସଂଶ୍ଲିଷ୍ଟ ରହିଥିଲା । ଏହି ମାମଳାରେ ସମୃକ୍ତଥିବା ଛଅ ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ ଅଦାଳତଙ୍କ ରାୟ ଆସିବା ପୁର୍ବରୁ ଜେଲରେ ମୃତ୍ୟୁବରଣ କରିଥିବା ବେଳେ ମହମ୍ମଦ ବ୍ୟତୀତ ଅନ୍ୟ ସମସ୍ତ ଅଭିଯୁକ୍ତଙ୍କୁ ୨୦୨୦ ମସିହା ମାର୍ଚ୍ଚ ୨୦ ତାରିଖରେ ଫାଶୀ ଖୁଣ୍ଟରେ ଝୁଲିବାକୁ ପଡ଼ିଥିଲା । ନାବାଳକ ହେତୁ ମହମ୍ମଦ ଫାଶୀ ଦଣ୍ଡରୁ ମୁକ୍ତି ପାଇ ମାତ୍ର ତିନି ବର୍ଷ ଜେଲ ଦଣ୍ଡ ଭୋଗିଥିଲା । ସେତେବେଳେ ସମଗ୍ର ଦେଶରେ ଏହି ଲଜ୍ଜାଜନକ ଘଟଣା ହଇଚଇ ସୃଷ୍ଟି କରିଥିଲା । ଗତ ମେ ମାସ ୧୬ ତାରିଖ ସଂଧ୍ୟାରେ ଆମ ରାଜ୍ୟ ଓଡ଼ିଶାରେ ଘଟିଥିବା ଗୋପାଳପୁର ବେଳାଭୂମିରେ ଏକ କଲେଜ ଛାତ୍ରୀଙ୍କ ସହିତ ହୋଇଥିବା ଗଣଦୁଷ୍କର୍ମ ମାମଲାରେ ମଧ୍ୟ ଚାରିଜଣ ନାବାଳକଙ୍କ ସଂପୃକ୍ତି ରହିଥିବା ଅଭିଯୋଗ ହୋଇଛି । ଗ୍ରମାଞ୍ଚଳ ଅପେକ୍ଷା ସହରାଞ୍ଚଳରେ ବାଳଅପରାଧ ବ୍ୟାପକ ଭାବରେ ବୃଦ୍ଧି ପାଇଛି । ଆମ ଦେଶର ରାଜଧାନୀ ଦିଲ୍ଲୀରେ ଗୃହ ବିଭାଗର ତଥ୍ୟ ଆଧାରରେ ପ୍ରତି ମାସରେ ୧୦ ରୁ ୧୨ ଜଣ ନାବାଳକ ହତ୍ୟା ଅପରାଧରେ ଜଡ଼ିତ ରହୁଛନ୍ତି । କେବଳ ଦିଲ୍ଲୀ ମହାନଗରୀରେ ୨୦୧୭-୨୦୨୧ ମଧ୍ୟରେ ୧୩୦୦୦ରୁ ଊର୍ଦ୍ଧ୍ୱ ମାମଲାରେ ପ୍ରାୟ ୧୬୦୦୦ ବାଳ ଅପରାଧୀ ଜଡ଼ିତ ଥିବା ଜଣାପଡ଼ିଛି । ତନ୍ମଧ୍ୟରୁ ୩୧୪ ଜଣ ହତ୍ୟା ମାମଲାରେ ,୪୧୨ ଜଣ ହତ୍ୟା ଉଦ୍ୟମ ମାମଲାରେ ,୫୦୦ ରୁ ଅଧିକ ଦୁଷ୍କର୍ମ ମାମଲାରେ ,୪୭୫ ଜଣ ମହିଳାଙ୍କୁ ଅସଦାଚରଣ ମାମଲାରେ ୧୪୦୧ ଜଣ ଡକାୟତି ମାମଳା ଓ ୬୬୦୦ ଜଣ ଚୋରି ମାମଲାରେ ସଂପୃକ୍ତି ରହିଛି ।
ଏଭଳି ଅନେକ ସମ୍ବେଦନଶୀଳ ଅପରାଧରେ ନାବାଳକଙ୍କ ସଂପୃକ୍ତିର କାରଣ ଖୋଜିବା ପାଇଁ ବିଭିନ୍ନ ସାମାଜିକ ଓ ସ୍ୱେଛାସେବୀ ସଂଗଠନ ବିଭିନ୍ନ ସମୟରେ ଅନୁସନ୍ଧାନ କରିଛନ୍ତି । ସେମାନଙ୍କ ଅନୁସନ୍ଧାନରୁ ମିଳିଥିବା ରିପୋର୍ଟ ଅନୁସାରେ ଏକାଧିକ କାରଣ ସମାଜରେ ବାଳ ଅପରାଧକୁ ପ୍ରୋତ୍ସାହିତ କରୁଥିବା ଦୃଷ୍ଟିକୁ ଆସିଛି । ପ୍ରଥମତଃ ଅଭାବ ଓ ଅନଟନ ମଣିଷକୁ ଶୈଶବ ଅବସ୍ଥାରୁ ଅପରାଧମନସ୍କ କରୁଛି । ଅର୍ଥନୈତିକ ଦୁରବସ୍ଥା, ପାରିବାରିକ ଗଣ୍ଡଗୋଳ, ପିତା ମାତାଙ୍କ ମଧ୍ୟରେ ହେଉଥିବା କଳି କଜିଆ, ସ୍ନେହ ମମତାର ଅଭାବ, କୁସଙ୍ଗର ପ୍ରଭାବ, ଅପରାଧୀ ଗୋଷ୍ଠୀଙ୍କ ସହିତ ମିଳାମିଶା, ମାନସିକ ଦୁଶ୍ଚିନ୍ତା ଭଳି ଅନେକ କାରଣ ନାବାଳକମାନଙ୍କୁ ଅପରାଧୀ ସଜାଇବାରେ ମୁଖ୍ୟ ଭୂମିକା ଗ୍ରହଣ କରିଛି । ସାଂପ୍ରତିକ ଡିଜିଟାଲ ଦୁନିଆରେ ଟେଲିଭିଜନରେ ପ୍ରଦର୍ଶିତ ହେଉଥିବା ଅପରାଧ ମୂଳକ ଚଳଚିତ୍ର ,ମୋବାଇଲର ଅପବ୍ୟବହାର ପ୍ରଭୃତି ମଧ୍ୟ ବାଳ ଅପରାଧୀ ବଢାଇବା ପାଇଁ ସଂପୂର୍ଣ୍ଣ ଦାୟୀ ଅଟେ । ଅନ୍ୟ ମୁଖ୍ୟ ଦିଗଟି ହେଲା ଆଇନ ଓ ଅଦାଲତରେ ନାବାଳକ ମାନଙ୍କ ପାଇଁ ଦଣ୍ଡବିଧାନ ବ୍ୟବସ୍ଥାରେ ଥିବା କୋହଳ ମନୋଭାବ ବାଳ ଅପରାଧୀଙ୍କୁ ଅପରାଧ ଭିଆଇବାରେ ପ୍ରୋତ୍ସାହିତ କରୁଛି। ଦେଖାଯାଇଛି ଅନେକ ମାମଳାରେ ସୁଧାର ଗୃହରୁ ଫେରିଲା ପରେ ବି ଏହି ବାଳଅପରାଧୀ ମାନଙ୍କ କାର୍ଯ୍ୟକଳାପରେ ବିଶେଷ କିଛି ପରିବର୍ତ୍ତନ ହେଉ ନାହିଁ । ସୁଧାର ଗୃହରୁ ଫେରି ମଧ୍ୟ କିଛି ବାଳଅପରାଧୀ ହତ୍ୟାକାଣ୍ଡରେ ଲିପ୍ତ ରହିଛନ୍ତି । ବରଂ ସେମାନଙ୍କ ପ୍ରତି ଆଇନର କୋହଳତା ବାରମ୍ବାର ଅପରାଧ କରିବାକୁ ସୁଯୋଗ ସୃଷ୍ଟି କରୁଛି । ସମାଜରେ ଯେଉଁ ହାରରେ ବାଳଅପରାଧୀଙ୍କ ସଂଖ୍ୟା ବଢିଚାଲିଛି ଏହା ଆଗାମୀଦିନରେ ମାନବର ଶାନ୍ତି ସହାବସ୍ଥାନ ପାଇଁ ଘୋର ବିପଦକୁ ଆହ୍ୱାନ କରୁଛି । ଏହାର ନିୟନ୍ତ୍ରଣ ପାଇଁ ସବୁ ସ୍ତରରେ ଉଦ୍ୟମ କରିବାର ଆବଶ୍ୟକତା ରହିଛି । ଉଭୟ ସରକାରୀ ଓ ବେସରାକାରୀ ସ୍ତରରେ ଏକ ମିଶନ ନେଇ ପ୍ରୟାସ କଲେ ଆମେ ନିଶ୍ଚୟ ଆଶ୍ୱସ୍ତି ପାଇପାରିବା । ବ୍ୟାପକ ଜନସଚେତନତା, ବିଦ୍ୟାଳୟରେ ନୈତିକ ଶିକ୍ଷାପ୍ରତି ଗୁରୁତ୍ୱ ପ୍ରଦାନ କରିବା ସହିତ ଆଇନରେ ମଧ୍ୟ ପରିବର୍ତ୍ତନ ଘଟିଲେ ଅପରାଧ ଜଗତରେ ବାଳଅପରାଧୀଙ୍କ ଭିଡ଼କୁ ନିୟନ୍ତ୍ରଣ କରିବାରେ ସହାୟକ ହୋଇ ପାରିବା ।
ମୋ:୮୦୧୮୧୮୦୩୮୧
ସିନାପାଲି (ଗୋଡ଼ାଲ ),ନୂଆପଡ଼ା