ନେତାଜୀଙ୍କ ସ୍ମୃତିଚିହ୍ନ  ସ୍ଥାନିତ ହେଉ


୧୯୪୪ ମସିହା ମାର୍ଚ୍ଚ ୮ ତାରିଖରେ ଆଜାଦ୍ ହିନ୍ଦ୍ ଫୌଜର ଏକ ସ୍ୱତନ୍ତ୍ର ଦଳ ଜାପାନ ସୈନ୍ୟଙ୍କ ସହ ମିଶି ମଣିପୁରରେ ପ୍ରବେଶ କରିଥିଲେ । ମାର୍ଚ୍ଚ ୨୯ରେ ଜାପାନ ସୈନ୍ୟମାନେ ଇମ୍ଫାଲର ଉତ୍ତରରେ ଥିବା ରାସ୍ତାକୁ ଦଖଲ କରି କୋହିମା ଏବଂ ଭାରତର ରାସ୍ତାକୁ ଦଖଲ କରି କୋହିମା ଏବଂ ଭାରତର ଅବଶିଷ୍ଟ ଅଂଶରୁ ଇମ୍ଫାଲ ଉପତ୍ୟକାକୁ ଅଲଗା କରି ଦେଇଥିଲେ । ଦୁଇଦିନ ପରେ ସୈନ୍ୟ ବାହିନୀ ନାପାନ୍ ପାହାଡ଼କୁ କାବୁ କରି ସେନମ୍ ସାଡ଼ଲରେ ପାଦ ରଖିଥିଲେ । ପରବର୍ତ୍ତୀ ପର୍ଯ୍ୟାୟରେ ସୌକତ ଅଲ୍ଲୀଙ୍କ ନେତୃତ୍ୱରେ ଆଜାଦ୍ ହିନ୍ଦ୍ ଫୌଜ୍ର ସୈନ୍ୟମାନେ ମୋଇରଙ୍ଗରେ ପ୍ରବେଶ କରିଥିଲେ । ରେଡ଼ିଓ ମାଧ୍ୟମରେ ଆଇଏନ୍ଏ କର୍ଣ୍ଣେଲ ଶ୍ରୀ ମଲ୍ଲିକ ନେତାଜୀ ସୁଭାଷ ବୋଷଙ୍କୁ ସୂଚନା ଦେଇଥିଲେ । ସେଠାରେ ଆଇଏନ୍ଏର ପତାକା ଉତ୍ତୋଳ କରିବାକୁ ନେତାଜୀଙ୍କ ତରଫରୁ ନିଦେ୍ର୍ଦଶ ଦିଆଯାଇଥିଲା । କିନ୍ତୁ ସେ ସମୟରେ ସୈନ୍ୟବାହିନୀ ପାଖରେ କୌଣସି ପତାକା ନଥିଲା । କର୍ଣ୍ଣେଲ ମଲ୍ଲିକ ତୁରନ୍ତ ଏକ ପତାକା ତିଆରି କରିବାକୁ ସହଯୋଗୀମାନଙ୍କୁ ନିଦେ୍ର୍ଦଶ ଦେଇଥିଲେ । ସୈନ୍ୟବାହିନୀର ସଦସ୍ୟମାନେ ମିଶି ହାତରେ ଏକ ପତାକା ତିଆରି କରିଥିଲେ । ଏହି ପତାକା ଉତ୍ତୋଳନ ପରେ ସେଠାରେ ଛିଡ଼ା ହୋଇ ଉଭୟ ଜାପାନ ଓ ଆଇଏନ୍ଏର ସୈନ୍ୟମାନେ ଫଟୋ ଉଠାଇଥିଲେ । କିନ୍ତୁ ସେ ସମୟର ଗୋଟିଏ ବି ଫଟୋ ଏବେ ନାହିଁ । ପରେ ସନ୍ଧ୍ୟା ହେବାରୁ ପତାକା ତଳକୁ ଖସାଇ ଏହାକୁ ଜଣେ ସ୍କୁଲ ଶିକ୍ଷକଙ୍କୁ ହସ୍ତାନ୍ତର କରାଯାଇଥିଲା । ପ୍ରତ୍ୟେକ ଦିନ ସେଠାରେ ପତାକା ଉଡାଇବାକୁ ତାଙ୍କୁ କୁହାଯାଇଥିଲା । ପରେ ଏହି ପତାକାଟି ସ୍ଥାନୀୟ ଜଣେ ଗ୍ରାମ ମୁଖିଆଙ୍କ କବ୍ଜାକୁ ଆସିଥିଲା । ଦୀର୍ଘ ବର୍ଷ ପରେ ୧୯୮୫ ମସିହାରେ ଏକ ଖବର କାଗଜରେ ପତାକା ସମ୍ପର୍କିତ ଖବର ପ୍ରକାଶ ପାଇବା ପରେ ଏହା ଆଇଏନ୍ଏର ପୂର୍ବତନ ସୈନ୍ୟ ୱାଇ.ଏ.ଶିଶକ ପତାକାକୁ ଉଦ୍ଧାର କରିଥିଲେ । ସ୍ୱାଧୀନ ଭାରତର ଏହି ପ୍ରଥମ ପତାକା ଏବେ ମଣିପୁରର ଉଖ୍ରୁଲରେ ରହିଛି । ନେତାଜୀ ସୁଭାଷ ବୋଷଙ୍କ ସ୍ମୃତିସନ୍ତକ ଭାବେ ଏହି ପତାକାକୁ ସଂଗ୍ରହାଳୟକୁ ଆଣିବାକୁ ଦାବି କରିଛନ୍ତି ବିଶିଷ୍ଟ ଐତିହାସିକ, ଗବେଷକ ଓ ସ୍ତମ୍ଭକାର ଅନିଲ୍ ଧିର । ତାଙ୍କ ତଥ୍ୟ ଅନୁଯାୟୀ ଏହି ବିରଳ ସ୍ମୃତି ବିଜଡ଼ିତ ଅତ୍ୟନ୍ତ ଦୁର୍ଲଭ ଜିନିଷଟି ଓଡ଼ିଶାବାସୀଙ୍କ ପାଇଁ ବିଶେଷ ଭାବେ ଆଗ୍ରହ ଓ ଉପଲବ୍ଧିର ବଡ଼ ସ୍ମୃତିଚିହ୍ନ କହିଲେ ଅତୁ୍ୟକ୍ତି ହେବନାହିଁ । ତାଙ୍କ ଦାବି ଅନୁଯାୟୀ ଏ ନେଇ ବିଧିବଦ୍ଧ ଭାବେ ନିର୍ଦ୍ଦିଷ୍ଟ ଫୋରମ ଓ ଆବେଦନ ଅନୁଯାୟୀ ଓଡ଼ିଶା ଓ କେନ୍ଦ୍ର ସରକାରଙ୍କୁ ସମସ୍ତ ତଥ୍ୟ ଦିଆଯାଇ ସୂଚୀତ କରାଯାଇଛି । ଓଡ଼ିଶାବାସୀଙ୍କ ମାଟି, ପାଣି, ପବନର ପ୍ରତିଟି କ୍ଷେତ୍ରରେ ସୁବାଷ ବୋଷଙ୍କ ସ୍ମରଣ ରହିଆସିଛି ତେଣୁ ଏପରି ଏକ ଦୁର୍ଲଭ ସଂଗ୍ରହଣୀୟ ଉପଲବ୍ଧିକୁ କଟକର ନେତାଜୀ ସଂଗ୍ରାହଳୟ କିମ୍ବା ନୂଆଦିଲ୍ଲୀସ୍ଥିତ ଜାତୀୟ ଆଇଏନଏ ସଂଗ୍ରାହଳୟରେ ସ୍ଥାନିତ କରାଗଲେ ଏହାର ସମ୍ମାନ ଓ ଗୌରବ ବଢ଼ିବା ସହ ପ୍ରତିଟି ଭାରତୀୟଙ୍କ ପାଇଁ ଆତ୍ମସମ୍ମାନ ଭାବନାକୁ ଆହୁରି ଜାଜ୍ଜୁଲ୍ୟମାନ କରିବ । ବିଶେଷକରି ଐତିହାସିକ, ଗବେଷକ ଓ ଗଣମାଧ୍ୟମ ପାଇଁ ଏହା ଏକ ବଡ଼ ସଂଗ୍ରହଣୀୟ ଓ ବିରଳ ସ୍ମୃତି ଚିହ୍ନର ଗୌରବ ରହିବ ନିଶ୍ଚୟ । 
ସୌରଚନ୍ଦ୍ର ମହାପାତ୍ର
କଟକ  
ମୋ : ୯୪୩୭୦୦୪୪୬୬