ମୌସୁମୀ ଓ ସହରୀ ସମସ୍ୟା 


ଚଳିତ ବର୍ଷ ଦେଶରେ ଦକ୍ଷିଣ -ପଶ୍ଚିମ ମୌସୁମୀର  ଆଗୁଆ ପ୍ରବେଶ କୃଷି, କୃଷକ ଓ ଅର୍ଥନୀତି ପାଇଁ ଯେତିକି ଖୁସି ଆଣିଦେଇଛି, ଦେଶର ସହରାଞ୍ଚଳ ପାଇଁ ସେତିକି ଚ୍ୟାଲେଞ୍ଜର କାରଣ ହୋଇଛି ବୋଲି କୁହାଯାଇପାରିବ । କହିବା ବାହୁଲ୍ୟ ଯେ, ବର୍ଷା ଦିନେ ସହରାଞ୍ଚଳର ରାଜରାସ୍ତାରେ ବନ୍ୟାର ସ୍ରୋତ, ଟ୍ରାଫିକ ଅଚଳ, ଦୂରଦୂରାନ୍ତକୁ ଗମନ ଠପ୍ ଏବଂ ଘର ଭିତରେ ନର୍ଦ୍ଦମା ଜଳ ଏବେ ଆଉ ଏକ ବିରଳ ବିପର୍ଯ୍ୟାୟ ହୋଇ ରହିନାହିଁ । ଏହା ଏବେ ନିୟମିତ ଘଟଣାରେ ପରିଣତ ହୋଇଛି । ଦେଶର ବଡ ବଡ ସହର ତଥା ଜାତୀୟ ରାଜଧାନୀ ଦିଲ୍ଲୀ ସମେତ ମୁମ୍ବାଇ, ଚେନ୍ନାଇ, ବେଙ୍ଗାଲୁର, ଆମ ରାଜଧାନୀ ଭୁବନେଶ୍ୱର, କଟକ ଆଦି ସହରରେ ରାଜପଥରେ ବନ୍ୟା ଏବେ ଏକ ପ୍ରଶ୍ନ ନୁହେଁ ଏବଂ ଏହା କେତେ ଯନ୍ତ୍ରଣା ଦାୟକ ତାହା ସହରବାସୀ ହିଁ କହିପାରିବେ । ପ୍ରତିବର୍ଷ ଏହା ଘଟି ଆସୁଛି, ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି, ଏପରିକି ଜୀବନ ଯିବାର ବହୁ ଉଦାହରଣ ରହିଛି । ତେବେ ସହରାଞ୍ଚଳରେ ବନ୍ୟା ପାଇଁ ପୁରୁଣା ଡ୍ରେନେଜ ବ୍ୟବସ୍ଥା ମୁଖ୍ୟତଃ ଦାୟୀ ନୁହେଁ, ଏଥିପାଇଁ ଆମ ସହରାଞ୍ଚଳରେ ଅନିୟନ୍ତ୍ରିତ କଂକ୍ରିଟ ନିର୍ମାଣ ଦାୟୀ ବୋଲି କୁହାଯାଇପାରେ ।  ନିକଟରେ ପ୍ରାକ୍ ମୌସୁମି ବର୍ଷାରେ ରେଶମ ସହର ବେଙ୍ଗାଲୁର ଉବୁଟୁବୁ ହୋଇପଡିଥିବା ବେଳେ ମୌସୁମୀ ବର୍ଷାରେ ଦେଶର ବାଣିଜି୍ୟକ ସହରର ମୁମ୍ବାଇର ସ୍ଥିତି ବେହାଲ ହୋଇଯାଇଥିଲା । ମୁମ୍ବାଇରେ ବର୍ଷା ୧୦୭ ବର୍ଷର ରେକର୍ଡ ଭଙ୍ଗ କରିଥିଲା । ରାଜରାସ୍ତାରେ ବର୍ଷା ଜଳର ସ୍ରୋତ ସାରା ସହରକୁ ଠପ୍ କରିଦେଇଥିଲା ।  ସହରାଞ୍ଚଳରେ ଡ୍ରେନେଜ ବ୍ୟବସ୍ଥା ବହୁ ପୁରୁଣା । ଯାହା ଜଳବାୟୁ ପରିବର୍ତ୍ତନଜନିତ ଅନିୟମିତ ବର୍ଷାର ଜଳକୁ ନିଷ୍କାସନ କରିବାରେ ସମ୍ପୂର୍ଣ୍ଣ ଅକ୍ଷମ । ଯାହାର ପରିଣତି ସ୍ୱରୁପ ସହରାଞ୍ଚଳରେ ବନ୍ୟା ଏବେ ଏକ ନିୟମିତ ବିପର୍ଯ୍ୟୟରେ ପରିଣତ ହୋଇଛି । ମୁମ୍ବାଇ ୧୫୦ ବର୍ଷର ପୁରୁଣା ସହର ଭାବେ ପରିଚିତ ।୧୫୦ବର୍ଷ ତଳେ ମୁମ୍ବାଇ ସହରର ନକ୍ସା ଘଂଟା ପ୍ରତି ୨୫ମିମି ବର୍ଷାଜଳକୁ ଆଖିରେ ରଖି ପ୍ରସ୍ତୁତ କରାଯାଇଥିଲା । ଏବେ କିନ୍ତୁ ମୁମ୍ବାଇରେ ୧୭୦ମିମିରୁ ୨୫୦ମିମିରୁ ବର୍ଷା ହେଉଥିବା ରେକର୍ଡ କରାଯାଏ । ବର୍ତ୍ତମାନର ବର୍ଷାଜଳକୁ ନିଷ୍କାସନ କରିବାରେ ପୁରୁଣା ଡ୍ରେନେଜ ବ୍ୟବସ୍ଥା ସମ୍ପୂର୍ଣ୍ଣ ଅକ୍ଷମ । କେବଳ ମୁମ୍ବାଇ ନୁହେଁ, ଦିଲ୍ଲୀର ଅବସ୍ଥା ମଧ୍ୟ ଅନୁରୂପ । ୧୯୭୬ ମସିହାରେ ଦିଲ୍ଲୀ ସହରରେ ଡ୍ରେନେଜ ବ୍ୟବସ୍ଥାର ନକ୍ସା ପ୍ରସ୍ତୁତ କରାଯାଇଥିଲା । ଦିଲ୍ଲୀ ସହରରେ ବର୍ଷା ଜଳର ବନ୍ୟା ନୂଆ ନୁହେଁ । ଗତବର୍ଷ ଦିଲ୍ଲୀରେ ଗୋଟିଏ ଦିନରେ ୨୨୮ ମିମି ବର୍ଷା ହୋଇଥିଲା । ଯାହାକି ୧୪୫ ବର୍ଷର ରେକର୍ଡ ଭଙ୍ଗ କରିଥିବା କୁହାଯାଏ । ପୁରାତନ ପ୍ଲାନ ଏବେ ସଂପ୍ରସାରିତ ସହର ପାଇଁ ଯଥେଷ୍ଟ ହେଉନାହିଁ । ଯାହାର ପରିଣତି ସ୍ୱରୁପ ସହରୀ ବନ୍ୟାରେ ଜନଜୀବନ ବିପର୍ଯ୍ୟୟ ହୋଇପଡୁଛି । ଗଲା ବର୍ଷା ଜଳ ଘରେ ପଶିଯିବାରୁ ୩ଜଣ ମେଧାବୀ ଛାତ୍ରଛାତ୍ରୀ ପାଣିରେ ବୁଡି ଅକାଳ ମୃତୁ୍ୟବରଣ କରିଥିଲେ ।  ଉଲ୍ଲେଖଯୋଗ୍ୟ ଯେ, ଏବେ ସହର ଗୁଡିକର ଯେପରି ସଂପ୍ରସାରିତ ହେଉଥିବାବେଳେ ପରିିବେଶ ସମତୁଲ ପ୍ରତି ଆଦୌ ଦୃଷ୍ଟି ଦିଆଯାଉନାହିଁ । ରାସ୍ତା, ପାଶ୍ୱର୍ପଥ, କେନ୍ଦ୍ରୀୟ ସୀମା ଏବଂ ସବୁଜ ଜମିକୁ କଂକ୍ରିଟରେ ଆଚ୍ଛାଦିତ କରିଦିଆଯାଉଛି । ଯାହା ଫଳରେ ଭୂମିରେ ଜଳ ଭେଦି ପାରୁନାହିଁ । ଆହୁରି  ଜଳ ଉସôଗୁଡିକୁ ପୋତି ଦେଇ ବଡ ବଡ କୋଠାର ନିର୍ମାଣ, ଜଳ ନିଷ୍କାସନ ପଥ  ଜବରଦଖଲ, ଅବରୋଧ ସହରୀ ବନ୍ୟାର ଆଉ ଏକ ମୁଖ୍ୟ କାରଣ ଭାବେ ଉଭା ହୋଇଛି । କଂକ୍ରିଟ ନିର୍ମାଣ ସହରୀ ବନ୍ୟାର ମୁଖ୍ୟ କାରଣ ବୋଲି ଗତ ୨୦୧୬ ମସିହାରେ କେନ୍ଦ୍ରୀୟ ଜଳ କମିଶନ ତାଙ୍କ ରିପୋର୍ଟରେ ଗୁରୁତର ସହକାରେ ଦର୍ଶାଇଥିବାବେଳେ ନୂତନ ବସତି ନିର୍ମାଣ ବେଳେ କର୍ତ୍ତୃପକ୍ଷ ଏଥିପ୍ରତି ଆଖିବୁଜି ଦେବା ନିଶ୍ଚିତ ଭାବେ ଚିନ୍ତାଜନକ ।  ବେଙ୍ଗାଲୁର ସହରରେ ବନ୍ୟା ଏକ ନିୟମିତ ଘଟଣାରେ ପରିଣତ ହୋଇଥିବାବେଳେ ଚେନ୍ନାଇରେ ଦୀର୍ଘ ଦିନ ଧରି ରାଜପଥରେ ବୋଟ ଚାଲିବା ଘଟଣା ମଧ୍ୟ ଦେଖିବାକୁ ମିଳିଛି । ସହରର ବନ୍ୟାରେ ଅତୀତରେ ଦୁଇ ଦୁଇଜଣ ଛାତ୍ର ଭାସିଯାଇ ମୃତୁ୍ୟବରଣ କରିବା ଭଳି ଘଟଣା ମଧ୍ୟ ଘଟିଯାଇଛି । ଡ୍ରେନେଜ ବ୍ୟବସ୍ଥା ପାଇଁ ବହୁ ଅର୍ଥ ବିନିଯୋଗ ସତ୍ତ୍ୱେ ପରିସ୍ଥିତି ଯେଉଁ ତିମରେକୁ ସେଇ ତିମିରେ ସଦୃଶ ହୋଇଛି । ଜାତୀୟ ବିପର୍ଯ୍ୟୟ ପ୍ରଶମନ କର୍ତ୍ତୃପକ୍ଷଙ୍କ ସୂତ୍ରରୁ ଜଣାଯାଇଛି ଯେ, ଗତ ଦଶନ୍ଧିଗୁଡିକରେ ୪୫ପ୍ରତିଶତ ସହରୀ ବନ୍ୟା ଡ୍ରେନେଜ ବ୍ୟବସ୍ଥାର ବିଫଳତା ଓ କଂକ୍ରିଟ ନିର୍ମାଣ ଯୋଗୁଁ ହୋଇଛି । ଆହୁରି ମଧ୍ୟ ଉପଗ୍ରହ ମାଧ୍ୟମରେ ମିଳିଥିବା ତଥ୍ୟରୁ ସହରାଞ୍ଚଳରେ ୮୦ଭାଗ ସବୁଜ ଅଂଚଳ ଉପରେ ଏବେ କଂକ୍ରିଟ ନିର୍ମାଣ ଗଢିଉଠିଛି ।  ଜଳବାୟୁ ପରିବର୍ତ୍ତନ ପ୍ରଭାବରେ ଏବେ ଯେପରି ବର୍ଷା ହେଉଛି ମୌସୁମି ସହରାଚଂଳ ପ୍ଲାନିଂ ପ୍ରତି ବଡ ଚ୍ୟାଲେଞ୍ଜ ସୃଷ୍ଟି କରିଛି ।
ସୌଭାଗ୍ୟ ରଂଜନ ମହାନ୍ତି,ମୋ:୭୯୭୮୬୬୬୪୦୩