ଭଏସ୍ ଏଗେନଷ୍ଟ ହେଟ୍ ପକ୍ଷରୁ ଗାନ୍ଧିଙ୍କ ତିରୋଧାନ ଦିବସ ପାଳିତ
ଭୁବନେଶ୍ୱର : ଭଏସ୍ ଏଗେନଷ୍ଟ ହେଟ୍ର ଆବାହକ ମାନସ ଚୌଧୁରୀଙ୍କ ସଭାପତିତ୍ୱରେ ଗାନ୍ଧିଙ୍କ ତିରୋଧାନ ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଜେଏନ୍ୟୁର ପ୍ରଫେସର ଆଦିତ୍ୟ ମୁଖାର୍ଜୀ ଭାରତର ସ୍ୱାଧୀନତା ସଂଗ୍ରାମରେ ଗାନ୍ଧିଙ୍କ ସଂଘର୍ଷ, ସଂଗ୍ରାମ ଓ ଅବଦାନ ସମ୍ପର୍କରେ ଆଲୋକପାତ କରିଥିଲେ । ସେ କହିଥିଲେଯେ, ଗାନ୍ଧିଙ୍କ ମୃତୁ୍ୟ ପରେ ଗାନ୍ଧିବାଦ ଲୋପ ପାଇବ ବୋଲି କିଛି ଲୋକ ଭାବିଥିଲେ । ଯେଉଁମାନେ କି ଏବେ ନେହେରୁଙ୍କ ତ୍ୟାଗ, ମହାନତା, ବିଚକ୍ଷଣତା ଓ ଶାସନଗତ ଦକ୍ଷତାକୁ କ୍ଷୁର୍ଣ୍ଣ କରିବା ପାଇଁ ଅପପ୍ରଚାର କରୁଛନ୍ତି । ଲୋକଙ୍କୁ ବିଭ୍ରାନ୍ତ କରିବା ପାଇଁ ଅନେକ ପୁସ୍ତକ ମାଧ୍ୟମରେ ନେହେରୁଙ୍କ ଭାବମୂର୍ତ୍ତିକୁ କ୍ଷୁର୍ଣ୍ଣ କରାଯାଉଛି । କେତେକ ରାଜ୍ୟରେ ଇତିହାସ ପୃଷ୍ଠାରୁ ପଣ୍ଡିତ ନେହେରୁଙ୍କ ବିଷୟକୁ ବାଦ୍ କରାଯାଉଛି । ଗାନ୍ଧି, ନେହେରୁ, ସୁଭାଷ, ପଟେଲ ଏବଂ ଆମର ସ୍ୱାଧୀନତା ସଂଗ୍ରାମୀମାନଙ୍କ ମହାନ୍ ଅବଦାନକୁ କିଛି ନିର୍ଦ୍ଦିଷ୍ଟ ଗୋଷ୍ଠୀ ଗ୍ରହଣ କରୁନାହାନ୍ତି । ଏମିତିକି ୧୯୪୭ରେ ଯେଉଁ ସ୍ୱାଧୀନତା ମିଳିଥିଲା, ତାହା ଭିକ୍ଷାରେ ବୋଲି ପ୍ରଚାର କରାଯାଉଛି । ଅର୍ଥାତ୍ ଗାନ୍ଧି, ନେହେରୁ, ସମସ୍ତ ସ୍ୱାଧୀନତା ସଂଗ୍ରାମୀମାନେ ଭିକାରି ଥିଲେ ଏବଂ ଏପରିକି ୧୯୪୨ ମସିହା ଭାରତ ଛାଡ ଆନେ୍ଦାଳନରେ ଯେଉଁ ୧୦ ହଜାର ସ୍ୱାଧୀନତା ସଂଗ୍ରାମୀ ପ୍ରାଣତ୍ୟାଗ କରିଥିଲେ, ସେମାନେ ମଧ୍ୟ ଭିକାରି ଥିଲେ । ସେମାନେ ନିଜକୁ ଜାତୀୟତାବାଦୀ ବୋଲି ପରିଚୟ ଦେଇ ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ବା ସେମାନଙ୍କ ଦାୟାଦମାନଙ୍କୁ ଦେଶଦ୍ରୋହୀ ବୋଲି କହୁଛନ୍ତି ।
ଭାରତର ଆର୍ଥିକ ଦୂରାବସ୍ଥା, ଉକôଟ ଦାରିଦ୍ର୍ୟ ଏବଂ ନାହିଁନଥିବା ପରିସ୍ଥିତିକୁ ସମ୍ମୁଖୀନ କରି ୧୭ ବର୍ଷର ଶାସନ କାଳରେ ନେହେରୁ ଭାରତକୁ ଏକ ଶକ୍ତିଶାଳୀ ରାଷ୍ଟ୍ର ରୂପେ ପ୍ରତିଷ୍ଠା କରିପାରିଥିଲେ । ନେହେରୁ ସେତେବେଳେ କହିଥିଲେ, ଆମେ ସ୍ୱାଧୀନତା ପାଇଲୁ, କିନ୍ତୁ ଆର୍ଥିକ ସ୍ୱାଧୀନତା ପାଇଁ ଆମକୁ ସଂଗ୍ରାମ କରିବାକୁ ପଡ଼ିବ । ସ୍ୱାସ୍ଥ୍ୟ, ଜଳସେଚନ, ଶିକ୍ଷା ଓ ଗମନାଗମନ ପ୍ରଭୃତି କ୍ଷେତ୍ରରେ ନେହେରୁଙ୍କର ଅବଦାନ ଅତୁଳନୀୟ । ଏମ୍ସ, ଆଇଆଇଟି, ଆଇଆଇଏମ୍, ନାସନାଲ ଇନଷ୍ଟିଚୁ୍ୟଟ ଅଫ ଟେକ୍ନୋଲୋଜି, ବିଏଆରସି, ଇସ୍ରୋ, ଡିଆରଡିଓ ଠାରୁ ଆରମ୍ଭ କରି ବହୁ ଶିଳ୍ପ, ନଦୀବନ୍ଧ ଯୋଜନା ପ୍ରଭୃତି ଅଗଣିତ ବ୍ୟବସ୍ଥା ଓ ଯୋଜନା ନେହେରୁ ଭାରତବାସୀଙ୍କ ପାଇଁ କରିଯାଇଛନ୍ତି । ଏବେବି ବିଶ୍ୱ କ୍ଷୁଧା ସୂଚକାଙ୍କରେ ଭାରତ ଆଫ୍ରିକା ମହାଦେଶର ଗରିବ ରାଷ୍ଟ୍ର, ପାକିସ୍ତାନ, ବାଲାଂଦେଶ ଓ ଶ୍ରୀଲଙ୍କା ପଛରେ ।
ନେହେରୁ ସୃଷ୍ଟି କରିଥିବା ରାଷ୍ଟ୍ରୀୟ ସମ୍ପଦକୁ ଆଜି ଶିଳ୍ପପତିଙ୍କ ହାତରେ ଟେକି ଦିଆଯାଉଛି । ରାହୁଲ ଗାନ୍ଧି ଏବେ ଗାନ୍ଧିବାଦର ମୁଖ୍ୟ ପ୍ରଚାରକ ବୋଲି ସେ କହିଥିଲେ ।
ଏହି କାର୍ଯ୍ୟକ୍ରମରେ ସାମ୍ପ୍ରତିକ ପରିସ୍ଥିତି ଉପରେ ରେଭେନ୍ସା ବିଶ୍ୱବିଦ୍ୟାଳୟ, ଉକôଳ ବିଶ୍ୱବିଦ୍ୟାଳୟ ଓ ଅନ୍ୟାନ୍ୟ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀମାନେ ପ୍ରଫେସର ଶ୍ରୀ ମୁଖାର୍ଜୀଙ୍କ ସହିତ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମରେ ଭାଗ ନେଇଥିଲେ । ବିଶିଷ୍ଟ ସାମ୍ବାଦିକ ରାଜେଶ ମହାପାତ୍ର ଏବଂ ସତ୍ୟପ୍ରକାଶ ନାୟକ ସମ୍ମାନିତ ଅତିଥି ଭାବରେ ତାଙ୍କର ଅଭିଭାଷଣ ରଖିଥିଲେ । କାର୍ଯ୍ୟକ୍ରମକୁ ଅକ୍ଷରର ସମ୍ପାଦକ ଅମିୟ ପାଣ୍ଡବ ପରିଚାଳନା କରିଥିଲେ । କେ-ୱାନ ଏଣ୍ଟରଟେନମେଣ୍ଟ ପକ୍ଷରୁ ମୋନାଲି ମଧୁସ୍ମିତା ଏବଂ ଅଭିରାମ ଖୁଣ୍ଟିଆ ଦେଶାତ୍ମବୋଧକ ସଙ୍ଗୀତ ଗାନ କରିସାରିବା ପରେ ସେମାନଙ୍କୁ ପ୍ରଫେସର ମୁଖାର୍ଜୀ ସମ୍ବର୍ଦ୍ଧିତ କରିଥିଲେ । ସାମ୍ପ୍ରଦାୟିକ ସଦଭାବ କ୍ଷେତ୍ରରେ କାର୍ଯ୍ୟରତ ଡ. ପଲ୍ଲବ କୁମାର ଲିମା, ସଂଘମିତ୍ରା ଜେନା ଏବଂ ସୁଶ୍ରୀ ରାଜଲକ୍ଷ୍ମୀଙ୍କୁ ସଂହତି ସମ୍ମାନରେ ସମ୍ମାନିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ପୂର୍ବତନ ପିସିିସି ସଭାପତି ନିରଞ୍ଜନ ପଟ୍ଟନାୟକ, ପୂର୍ବତନ ମନ୍ତ୍ରୀ ଜଗନ୍ନାଥ ପଟ୍ଟନାୟକ, ପୂର୍ବତନ ଡିଜିପି ଅମୀୟ ଭୂଷଣ ତ୍ରିପାଠୀ, ପୂର୍ବତନ ବରିଷ୍ଠ ପ୍ରଶାସକ ସଞ୍ଜୀବ କୁମାର ହୋତା, ପୂର୍ବତନ ବିଧାୟକ ନାରାୟଣ ରେଡ୍ଡି, କେଦାର ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ । ଅନୁଷ୍ଠାନର କର୍ମକର୍ତ୍ତା ରାହୁଲ ମହାନ୍ତି, ମୀର ଅହମ୍ମଦ ଅଲ୍ଲୀ, ପ୍ରସନ୍ନ କୁମାର ନାୟକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।                        
 
 Rasmita Behera
                                    Rasmita Behera                                 
    
             
    
             
    
 
    
 
 
 
