ଗାଁ ଆମ୍ବ ପସରାର ଶୁଭାରମ୍ଭ 

ବାଙ୍ଗିରିପୋଷି/ସାରସକଣା : ସ୍ଥାନୀୟ ଗ୍ରାମାଞ୍ଚଳ ଚାଷୀମାନଙ୍କ ଠାରୁ ବିଭିନ୍ନ ପ୍ରକାର ଉନ୍ନତମାନର ତଟକା ସ୍ୱାଦିଷ୍ଟ ପାଚିଲା ଆମ୍ବ ସଂଗ୍ରହ କରାଯାଇ ଜନସାଧାରଣଙ୍କୁ ସୁଲଭ ମୂଲ୍ୟରେ  ଯୋଗାଇ ଦେବା ଉଦେ୍ଦଶ୍ୟରେ ଓରମାସ ପକ୍ଷରୁ ବାରିପଦା ଷ୍ଟାଡିୟମ ଗୋଲେଇ ନିକଟସ୍ଥ ବୟନିକା ସମ୍ମୁଖରେ ଏକ ମୟୁରଭଞ୍ଜ ଗାଁ ଆମ୍ବ ପସରା-୨୦୨୫ର ଶୁଭାରମ୍ଭ କରାଯାଇଛି । ଉକ୍ତ ପସରାକୁ ଜିଲ୍ଲାପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ଧର୍ମାନନ୍ଦ ବେହେରା ମୁଖ୍ୟଅତିଥି ଭାବେ ଯୋଗ ଦେଇ ଉଦ୍ଘାଟନ କରିଥିଲେ । ଉତ୍ସବରେ ଏସିଡ଼ିଓ ଶାନ୍ତନୁ କୁମାର ନାୟକ, ଉଦଳା ପିଏଆଇଟିଡିଏ ନରେନ୍ଦ୍ର ଖମାରୀ, ଓରମାସର ଡେପୁଟି ସିଇଓ ବିମାନ ମଲ ଓ ଡେପୁଡି ଡାଇରେକ୍ଟର ଉଦ୍ୟାନ କୃଷି ଟଙ୍କଧର କାଲୋ ପ୍ରମୁଖ ଯୋଗ ଦେଇଥିଲେ । ଉକ୍ତ  ଗାଁ ଆମ୍ବ ପସରାରେ ଲୋକମାନଙ୍କୁ ବିଭିନ୍ନ କିସମର ସ୍ୱାଦିଷ୍ଟ ପାଚିଲା ଆମ୍ବ ଯଥା ସୁନ୍ଦରୀ କେଜି ପ୍ରତି ୬୦ଟଙ୍କା, ଦୋଷରୀ, ଲେଙ୍ଗେଡା ଓ ଆମ୍ବ୍ରପଲ୍ଲୀ କେଜି ପ୍ରତି ୫୦ଟଙ୍କା ଓ ଗୋପାଳଭୋଗ ଜାତିର ଆମ୍ବ କେଜି ପ୍ରତି୪୦, ଟଙ୍କାରେ ପାଇପାରିବେ । ଏଥିସହିତ ସପୁରି ଗୋଟା ପ୍ରତି ୪୦ଟଙ୍କାରେ ପାଇପାରିବେ । ଏହି ଆମ୍ବ ପସରାକୁ ଲାଗି ପାଖରେ ମଦର ଆର୍ଥ ଜୁସ ନାମରେ ଅନ୍ୟ ଏକ ଷ୍ଟଲରେ ଭାଗ୍ୟ ଜ୍ୟୋତି ସ୍ୱୟଂ ସହାୟକ ଗୋଷ୍ଠୀ ଦ୍ୱାରା ପ୍ରସ୍ତୁତ ଦହି ସର୍ବତ ଓ ବିଭିନ୍ନ ପ୍ରକାର ଫଳ ରସ ମଧ୍ୟ ସୁଲଭ ମୂଲ୍ୟରେ ଲୋକମାନଙ୍କ ପାଇଁ ଉପଲବ୍ଧ ହେବ ।