ବିକାଶ ଖୋଜୁଛି ରାଣୀପାର୍କ ବସ୍ଷ୍ଟାଣ୍ଡ
ତାଳଚେର : ଶିଳ୍ପନଗରୀ କଳାହୀରା ସହର ତାଳଚେର ରାଜ୍ୟରେ ଏକ ନିଜସ୍ୱ ପରିଚୟ ସୃଷ୍ଟିି କରିପାରିଛି । ଖଣିଖାଦାନ, ଶିଳ୍ପ ଓ ପର୍ଯ୍ୟଟନ ସବୁଥିରେ ନିଜର ପାରଦର୍ଶିତା ଲାଭ କରିପାରିଛି । ରାଜ୍ୟ ତଥା ରାଜ୍ୟ ବାହାରୁ ବହୁ ଲୋକ ପରିବାର ଚଳାଇବା ପାଇଁ ତାଳଚେର ସହରକୁ ଆସିଥାନ୍ତି । ଖଣିଖାଦାନ ଥିବାବେଳେ ଦେଶର ବିଭିନ୍ନ ସ୍ଥାନକୁ ଏଠାରୁ ଖଣିଜ ପଦାର୍ଥ ମଧ୍ୟ ରପ୍ତାନୀ ହୋଇଥାଏ । ହେଲେ ଯୋଗାଯୋଗ ମୁଖ୍ୟ ଆଧାର ପାଲଟିଥିବା ତାଳଚେର ବସ୍ଷ୍ଟାଣ୍ଡର ବ୍ୟବସ୍ଥା ଦେଖିଲେ ମନେ ହୁଏ ବିକାଶରୁ ବହୁ ଦୂରରେ ତାଳଚେର ରାଣୀପାର୍କ ବସଷ୍ଟାଣ୍ଡ । ରାଜ୍ୟ ଓ କେନ୍ଦ୍ରକୁ ସର୍ବାଧିକ ରାଜସ୍ୱ ଦେଉଥିବା ତାଳଚେର ଆଜିବି ତାର ମୌଳିକ ଅଧିକାରରୁ ବଞ୍ଚôତ ହୋଇ ରହିଛି । ଶିକ୍ଷା, ସ୍ୱାସ୍ଥ୍ୟ ଓ ଅନ୍ୟାନ୍ୟ ଦିଗରୁ ଦେଖିବାକୁ ଗଲେ ଆଖପାଖ ଅଞ୍ଚଳରୁ ଏଠାକୁ ଗମନାଗମନ ଉପରେ ନିର୍ଭର କରୁଥିବା ରୋଜଗାର ପନ୍ଥାର ଏହି ବାଟ ଏତେ ସହଜ ହୋଇପାରୁନି । ହେଲେ ଗମନାଗମନର ପ୍ରମୁଖ ମାର୍ଗ ଭାବେ ରାଣୀପାର୍କ ବସ୍ଷ୍ଟାଣ୍ଡର ଆଖିଦୃଶିଆ ଉନ୍ନତି ହୋଇପାରୁନାହିଁ । ଏ ନେଇ ବାରମ୍ବାର ଅଭିଯୋଗ ପରେ ବି ଏଥିପ୍ରତି କାହାରି ଦୃଷ୍ଟି ନ ପଡ଼ିବା ଦୁର୍ଭାଗ୍ୟଜନକ ବିଷୟ ବୋଲି ବୁଦ୍ଧିଜୀବୀମାନେ ମତପ୍ରକାଶ କରୁଛନ୍ତି । ଅନ୍ୟପକ୍ଷରେ ବସ୍ଷ୍ଟାଣ୍ଡ ସମ୍ମୁଖରେ ଥିବା ଜାତୀୟ ରାଜପଥ ପ୍ରତ୍ୟେକ ସମୟରେ ଜାମ ରହୁଥିବାରୁ ଲୋକେ ତାଳଚେରରୁ ଢ଼େଙ୍କାନାଳ, କଟକ, ଭୁବନେଶ୍ୱର, ପୁରୀ, ଝାରସୁଗୁଡ଼ା, କେନ୍ଦୁଝର, ରାଉକେଲା ଏମିତିକି ଆଖପାଖ ଅଞ୍ଚଳକୁ ଯିବା ଆସିବା ନିମନ୍ତେ ବହୁବାର ହଇରାଣ ହରକତ ହେଉଥିବା ମଧ୍ୟ ଦେଖିବାକୁ ମିଳିଛି । ତେବେ ତାଳଚେର ବସ୍ଷ୍ଟାଣ୍ଡକୁ ଯାତ୍ରୀମାନେ ଆସିବାକୁ ଯେଉଁ ଜାତୀୟ ରାଜପଥଟି ପଡ଼ିଛି, ତାହା ସବୁ ସମୟରେ ଭାରୀଯାନ ଚଳାଚଳ, ଟ୍ରାଫିକ ସମସ୍ୟା ଏବଂ ଅନେକ ସମୟରେ ଦୁର୍ଘଟଣାଗ୍ରସ୍ତ ହେଉଥିବା ଯୋଗୁଁ ସଠିକ୍ ସମୟରେ ପଂହଚିବା ସମ୍ଭବପର ହେଉନାହିଁ । ସେହିପରି ଭିନ୍ନକ୍ଷମ ଓ ବରିଷ୍ଠ ନାଗରିକ ଯାତାୟତ ପାଇଁ ଯଥେଷ୍ଟ ସୁବିଧା ହୋଇନି । ଯାହାକି ବରିଷ୍ଠ ନାଗରିକ, ରୋଗୀ ଓ ଭିନ୍ନକ୍ଷମମାନେ ବହୁ ସମୟରେ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି । ଅପରପକ୍ଷେ ଯାତ୍ରୀମାନେ ବସ୍କୁ ଅପେକ୍ଷା କରି ରହୁଥିବାବେଳେ ସେମାନଙ୍କ ପାଇଁ ବିଶ୍ରାମ କକ୍ଷ କିିମ୍ବା ଚେୟାର ନଥିବାରୁ ସେମାନେ ଏଣେତେଣେ ଘୁରୀ ବୁଲୁଛନ୍ତି ଏବଂ ବସ୍ଷ୍ଟାଣ୍ଡରେ ଯେଉଁ କେତୋଟି ପିଣ୍ଡି ନିର୍ମିତ ହୋଇଛି ତାହା ଯାତ୍ରୀଙ୍କ ତୁଳନାରେ ବହୁତ କମ୍ । ବିଶେଷ କଥା ହେଉଛି ପ୍ରାୟ ସମୟରେ ଯାତ୍ରୀମାନଙ୍କର ମନିପର୍ସ, ମୋବାଇଲ, ଟଙ୍କା ମଧ୍ୟ ଚୋରି ହେଉଥିବା ଅନେକ ସମୟରେ ଅଭିଯୋଗ ହୋଇ ଆସୁଛି । ବସଷ୍ଟାଣ୍ଡରେ ନିର୍ମାଣ କରାଯାଇଥିବା ନୂତନ ଶୌଚାଳୟର ରକ୍ଷଣାବେକ୍ଷଣା ଅଭାବରୁ ସେଗୁଡ଼ିକ ଅପରିଷ୍କା ଅବସ୍ଥାରେ ପଡ଼ି ରହିଛି । ଅନୁଗୋଳ ସହରର ନୂତନ ବସ୍ଷ୍ଟାଣ୍ଡ ଏତେ ସରସ ସୁନ୍ଦର ଭାବେ ନିର୍ମାଣ କରାଯାଇଥିବାବେଳେ ତାଳଚେର ପ୍ରତି ଏତେ ବୈମାତୃକ ମନୋଭାବ ଅଞ୍ଚଳବାସୀଙ୍କ ମନକୁ କ୍ଷୁବ୍ଧ କରିଛି । ତେଣୁ ତାଳଚେର ରାଣୀପାର୍କ ବସଷ୍ଟାଣ୍ଡର ବିକାଶ ଦିଗରେ ବର୍ତ୍ତମାନର ସରକାର ଦୃଷ୍ଟି ଦେଇ ଏସବୁ ସମସ୍ୟାର କେମିତି ସମାଧାନ କରାଯାଇ ଯାତ୍ରୀଙ୍କ ନିମନ୍ତେ ଉପଯୁକ୍ତ ବ୍ୟବସ୍ଥା କରିବାକୁ ବିଭିନ୍ନ ମହଲରେ ଦାବି ହୋଇଛି । ।