ଗାଁ ଦାଣ୍ଡରେ ଆଣ୍ଠୁଏ ପାଣି
ଯାଜପୁର : ବର୍ଷା ଆରମ୍ଭରୁ ଆଣ୍ଠୁଏ ପାଣି । ଘରୁ ବାହାରି ହେଇ କି ଘରକୁ ଫେରିବାକୁ ହେଲେ ପାଣିରେ ହିଁ ପସି ଯିବା ଆସିବା କରିବାକୁ ପଡ଼ୁଛି । ଗାଁ ରାସ୍ତା ନିର୍ମାଣ ପାଇଁ ବିଡ଼ିଓଙ୍କୁ ପ୍ରସ୍ତାବ ଯାଇଥିଲେ ବି ତାହା କାହିଁକି କେଜାଣି କେଉଁଠି ଅଟକି ଯାଇଛି । ଢଳେଇ ରାସ୍ତା ନିର୍ମାଣ ହୋଇଥିଲେ ଏଭଳି ଅବସ୍ଥାର ସମ୍ମୁଖିନ ହୋଇନଥାନ୍ତେି କି ଜଳବନ୍ଦିର ପରିସ୍ଥିତି ଉପୁଜିନଥାନ୍ତା । ଆମେ କହୁଛୁ କୋରେଇ ବ୍ଲକ ତାହାରପୁର ପଞ୍ଚାୟତ ବଡ଼ବେରୁଣପୁର ଗ୍ରାମର କଥା । ବଡ଼ଗାଁ ହୋଇନଥିଲେ ବି ଶହେରୁ କମ ପରିବାର ଗାଁରେ ବସବାସ କରୁଛନ୍ତି । ପଞ୍ଚାତୟର ମୁଳୁସରଗଡ଼ାରୁ ୨୦ନଂ ଜାତୀୟ ରାଜପଥ ନୂଆଗଡ଼କୁ ପଡ଼ିଥିବା ରାସ୍ତାରୁ ଗାଁକୁ ପଡ଼ିଥିବା ରାସ୍ତାଟି କିଛି ଅଂଶ ଢଳେଇ ହୋଇଛି । କିନ୍ତୁ ଗାଁର ବିଭିନ୍ନ ସାହିକୁ ପଡ଼ିଥିବା ମଧ୍ୟଭାଗ ରାସ୍ତା ଅବସ୍ଥା ବର୍ଷବର୍ଷ ଧରି ଶୋଚନୀୟ ହୋଇପଡ଼ିଛି । ଗାଁରେ ବାକିଆରହିଥିବା ରାସ୍ତାକୁ ଢଳେଇ କରିବାକୁ ପଞ୍ଚାୟତ ପକ୍ଷରୁ ବିଡ଼ିଓଙ୍କୁ ପ୍ରସ୍ତାବ ଦିଆଯାଇଥିଲା । ହେଲେ ତାହା ହୋଇପାରିଲାନି । ବର୍ତମାନ ବର୍ଷା ଆରମ୍ଭରୁ ସଂପୃକ୍ତ ଗାଁ ମଧ୍ୟଭାଗ ଦାଣ୍ଡ ପାଣିରେ ଭର୍ତି ହୋଇପଡ଼ିଛି । ନିଷ୍କାସନର ବ୍ୟବସ୍ଥା ନଥିବାରୁ ବସବାସ କରୁଥିବା ବିଭିନ୍ନ ସାହିର ଲୋକେ ପାଣି ଭିତରେ ପସି ଯିବା ଆସିବା କରୁଛନ୍ତି । ଆଗକୁ ବର୍ଷା ଲାଗିରହିବାର ସମ୍ଭାବନା ଥିବାରୁ ଗାଁ ଲୋକେ ମାସତମାମ ପାଣି ଭିତରେ ହିଁ ପସି ଯିବା ଆସିବା କରିବାଟା ଥୟ । ଯାହା ଫଳରେ ଗାଁରେ ବିଭିନ୍ନ ପ୍ରକାରର ରୋଗ ଉତ୍ପନ୍ନ ହୋଇ ବ୍ୟାପିବାର ଆଶଙ୍କା ରହିଛି । କୋରେଇ ବିଧାୟକ ଆକାଶ ଦାସନାୟକ, ଜିଲ୍ଲାପାଳ ଏବଂ ବିଡିଓ ଏଥିପ୍ରତି ଦୃଷ୍ଟି ଦେବା ପୂର୍ବକ ପଦକ୍ଷେପ ନେବାକୁ ଗ୍ରାମବାସୀ ଦାବି କରିଛନ୍ତି ।