ଗାଧୋଉଥିଲେ, ଟାଣିନେଲା କୁମ୍ଭୀର
ଗାଧୋଉଥିବା ବେଳେ ଝାମ୍ପି ନେଲା କୁମ୍ଭୀର । ଭଦ୍ରକ ଜିଲ୍ଲା ତିହିଡି ତହସିଲ ତଥା ପୀରହାଟ ଥାନା ବାରସର ପଞ୍ଚାୟତ ଅଧୀନ ମୁଟୁରିଗଡ଼ ନିକଟସ୍ଥ ଗେଙ୍ଗୁଟି ନଦୀରେ ଘଟିଛି ଏପରି ସମ୍ବେଦନଶୀଳ ଘଟଣା । ଶୁକ୍ରବାର ମଧ୍ୟାହ୍ଣରେ ୪/୫ ଜଣ ପିଲା ସାଥି ହୋଇ ନିକଟସ୍ଥ ନଈକୁ ଗାଧୋଇବାକୁ ଯାଇଥିଲେ । ଏହି ସମୟରେ ଜଣେ ନାବାଳକକୁ ନଈରେ ଥିବା ଗୋଟିଏ କୁମ୍ଭୀର ହଠାତ୍ ଟାଣି ନେଇଥିଲା ବୋଲି ପ୍ରତ୍ୟେକ୍ଷଦର୍ଶୀ ନାବାଳକର ସାଙ୍ଗମାନେ କହିଛନ୍ତି । କୁମ୍ଭୀରର ଶିକାର ହୋଇଥିବା ନାବାଳକ ଜଣକ ସ୍ଥାନୀୟ ମୁଟୁରିଗଡ଼ର କାଶିନାଥ ମାଝୀଙ୍କ ପୁଅ ଆକାଶ ମାଝୀ (୧୭) ବୋଲି ଜଣାଯାଇଛି । ତେବେ କୁମ୍ଭୀର ଟାଣି ନେଉଥିବା ଦେଖି ଅନ୍ୟମାନେ ଚିକ୍ରାର କରିବାରୁ ଘଟଣାସ୍ଥଳରେ ଗାଁଲୋକ ରୁଣ୍ଡ ହୋଇ ଖୋଜାଖୋଜି କରିବାକୁ ଉଦ୍ୟମ କରିଥିଲେ । ହେଲେ କୁମ୍ଭୀର ଭୟରେ ପାଣି ଭିତରକୁ ଯିବାକୁ କୌଣସି ଗ୍ରାମବାସୀ ସାହସ ଜୁଟାଇପାରି ନ ଥିଲେ । ପରେ ଅଗ୍ନିଶମ କର୍ମଚାରୀ ଏବଂ ଗାଁଲୋକେ ଦୀର୍ଘ ସମୟ ଧରି ନଈରେ ଖୋଜାଖୋଜି କରିଥିଲେ ମଧ୍ୟ ନାବାଳକଙ୍କ ସନ୍ଧାନ ମିଳି ନ ଥିଲା । ସେହିପରି ତହସିଲଦାର, ବିଡିଓ, ବ୍ଲକ ଅଧ୍ୟକ୍ଷା, ସରପଞ୍ଚ ଚକ୍ରଧର ଦାସ ଓ ଅନ୍ୟମାନେ ମଧ୍ୟ ଘଟଣା ସ୍ଥଳରେ ସ୍ଥିତିର ସମିକ୍ଷା କରିଥିଲେ ।