ମହିଳାଙ୍କୁ କଚାଡ଼ି ମାରିଦେଲା ଦନ୍ତା


ବେଗୁନିଆ  :  ଜଣେ ମହିଳାଙ୍କୁ ଦନ୍ତାହାତୀ କଚାଡ଼ି ମାରିଦେଇଛି । ବେଗୁନିଆ ଥାନା ଅନ୍ତର୍ଗତ ଦେଉଳି ପଞ୍ଚାୟତର ଗୋପୀନାଥପୁର ଗ୍ରାମରେ ଏଭଳି ଅଭାବନୀୟ ଘଟଣା ଘଟିଛି । ମହିଳାଙ୍କ ମୃତୁ୍ୟକୁ ନେଇ ସ୍ଥାନୀୟ ଲୋକମାନେ ରାସ୍ତାରୋକ କରିଥିଲେ । ବେଗୁନିଆ ଥାନା ଆଇଆଇସି, ତହସିଲଦାର ଓ ଖୋର୍ଦ୍ଧା ବନଖଣ୍ଡ ଅଧିକାରୀମାନେ ପହଞ୍ଚô ଲୋକଙ୍କୁ ବୁଝାସୁଝା କରିବା ପରେ ରାସ୍ତାରୋକ ହଟିଥିଲା । ମିଳିଥିବା ସୂଚନା ଅନୁଯାୟୀ ଆଜି ସକାଳୁ ପ୍ରାୟ ୬ଟାରେ ମୀନକେତନ ରାଉତରାୟଙ୍କ ପତ୍ନୀ ବାସନ୍ତୀ ରାଉତରାୟ ବାରିପଟକୁ ଯାଇଥିଲେ । ସେହି ସମୟରେ ଗୋଟିଏ ହାତୀ ପଣସ ଖାଉଥିଲା । କିନ୍ତୁ ବାସନ୍ତୀ ତାକୁ ଦେଖିପାରିନଥିଲେ । ହଠାତ୍ ହାତୀଟି ତାଙ୍କ ଆଡ଼କୁ ମାଡ଼ି ଆସିବା ସହ ଶୁଣ୍ଢରେ କଚାଡ଼ି ଦେଇଥିଲା । ପରେ ପାଦରେ ଦଳିଦେବାରୁ ଘଟଣା ସ୍ଥଳେ ହିଁ ବାସନ୍ତୀଙ୍କ ପ୍ରାଣବାୟୁ ଉଡ଼ିଯାଇଥିଲା । ତାଙ୍କ ବୟସ ପ୍ରାୟ ୫୭ ବର୍ଷ ହେବ ବୋଲି ଜାଣିବାକୁ ମିଳିଛି । ଦେଉଳି ପଞ୍ଚାୟତ ଓ ଆଖପାଖ ଅଞ୍ଚଳରେ ଅଧିକାଂଶ ସମୟରେ ହାତୀ ଲୋକଙ୍କୁ ମାରିଦେଉଥିବାରୁ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଛି । ଆଜିର ଏହି ଘଟଣା ପରେ ସ୍ଥାନୀୟ ଲୋକମାନେ ପରିଛଳ ଓ ଜଙ୍କିଆ ରାସ୍ତାରେ ଧାରଣା ଦେବା ସହ ରାସ୍ତାରୋକ କରିଥିଲେ । ପ୍ରାୟ ଦୁଇ ଘଣ୍ଟା ଧରି ରାସ୍ତାରୋକ ହେବାରୁ ଗମନାଗମନ ଠପ୍ ହୋଇଯାଇଥିଲା । ତେବେ ବେଗୁନିଆ ଥାନା ଆଇଆଇସି, ବେଗୁନିଆ ତହସିଲଦାର ଓ ଖୋର୍ଦ୍ଧା ବନଖଣ୍ଡର ଅଧିକାରୀମାନେ ଘଟଣା ସ୍ଥଳରେ ପହଞ୍ଚô ଲୋକଙ୍କୁ ବୁଝାସୁଝା କରିଥିଲେ । ମୃତକଙ୍କ ନିକଟତମ ସମ୍ପର୍କୀୟଙ୍କୁ ରେଡ଼କ୍ରସର ୫ ହଜାର ଟଙ୍କା ପ୍ରଦାନ କରାଯାଇଥିଲା । 
ସେହିପରି ୬ ଲକ୍ଷ ଟଙ୍କା କ୍ଷତିପୂରଣ ମିଳିବାର ଥିବାବେଳେ ଆଜି କିନ୍ତୁ ୬୦ ହଜାର ଟଙ୍କା ଦିଆଯାଇଛି । ଅବଶିଷ୍ଟ ଅର୍ଥ ଖୁବ୍ଶୀଘ୍ର ପ୍ରଦାନ କରାଯିବ ବୋଲି ଜାଣିବାକୁ ମିଳିଛି । ଏତଦ୍ ବ୍ୟତୀତ ବାସନ୍ତୀଙ୍କ ଜଣେ ପୁଅକୁ ଗଜସାଥି ଚାକିରି ମିଳିବ ବୋଲି ଜାଣିବାକୁ ମିଳିଛି ।