ପରିବେଶ ସୁରକ୍ଷା ଓ ଯୋଜନା କାର୍ଯ୍ୟାନ୍ୱୟନ
ସୁବାସ କୁମାର ତାରଣିଆ : ସାମ୍ପ୍ରତିକ ସମୟରେ କ୍ରମାଗତ ଭାବରେ ଜଳବାୟୁ ପରିବର୍ତ୍ତନ ଓ ଜଙ୍ଗଲ କ୍ଷୟ ଯୋଗୁ ତାପମାତ୍ରା ବୃଦ୍ଧି ଏବଂ ପରିବେଶ ପ୍ରଦୂଷଣ ଫଳରେ ମନୁଷ୍ୟ ଠାରୁ ଆରମ୍ଭ କରି ଜୀବଜଗତ ବିଶେଷ ପ୍ରଭାବିତ ହେଉଛନ୍ତି । ରାଜ୍ୟର ଉନ୍ନୟନମୂଳକ କାର୍ଯ୍ୟ ହେଉ କିମ୍ବା ରାସ୍ତା ସମ୍ପ୍ରସାରଣ ଅବା ବହୁତଳ ପ୍ରାସାଦ ନିର୍ମାଣ ହେଉ, ପ୍ରତିିଦିନ ଶହ ଶହ ଗଛ ବଳି ପଡୁଛନ୍ତି । ଯେଉଁ ପରିମାଣରେ ଗଛ କଟାଯାଉଛି, ସେହି ପରିମାଣରେ ଗଛ ଲଗାଯାଉ ନଥିବାରୁ ଦିନକୁ ଦିନ ପରିବେଶ ପ୍ରଦୂଷିତ ହେବାରେ ଲାଗିଛି । ସେହିପରି ପ୍ଲାଷ୍ଟିକ ଦୈନନ୍ଦିନ ଚଳଣିର ଏକ ଅବିଚ୍ଛେଦ୍ୟ ଅଙ୍ଗ ପାଲଟିଛି । ସମୟ ଏପରି ଉପନୀତ ହୋଇଛି ଯେ, ଗାଁ ଠାରୁ ସହର, ଜଳଭାଗ, ସ୍ଥଳଭାଗ ସବୁଠି ପ୍ଲାଷ୍ଟିକର ଉପକାରିତା ଦେଖିବାକୁ ମିଳୁଛି । ଫଳରେ ପ୍ଲାଷ୍ଟିକ ପ୍ରଦୂଷଣ ଏକ ଚିନ୍ତାଜନକ ପରିସ୍ଥିତି ସୃଷ୍ଟି କରିଛି । ଅପରପକ୍ଷରେ ଗ୍ରାମାଞ୍ଚଳ ଠାରୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ସାରା ରାଜ୍ୟର ଗଳିକନ୍ଦି ଏବେ କଙ୍କ୍ରିଟମୟ । ଫଳରେ ପ୍ରତିବର୍ଷ ତାପମାତ୍ରା ବୃଦ୍ଧି ପାଉଛି, ଏହାକୁ ରୋକିବା ପାଇଁ ପ୍ରଶାସନ ତଥା ରାଜ୍ୟ ସରକାରଙ୍କ ପାଇଁ ଏକ ଆହ୍ୱନ ସୃଷ୍ଟି କରିଛି । ସୁସ୍ଥ, ସୁନ୍ଦର ଓ ସବୁଜ ପରିବେଶର ନାରା ଦିଆଯାଉଥିଲେ ମଧ୍ୟ ତାହା ଭାଷଣବାଜିରେ ସୀମିତ ରହିଯାଉଛି । ‘ଆଇପିଆଇ ଗ୍ଲୋବାଲ’ର ଏକ ଅଧ୍ୟୟନ ରିପୋର୍ଟରୁ ଜଣାପଡ଼ିଛି ଯେ ଜଳବାୟୁ ପରିବର୍ତ୍ତନ ଯୋଗୁଁ ସମଗ୍ର ଭାରତରେ ଅତ୍ୟଧିକ ଗ୍ରୀଷ୍ମପ୍ରବାହ ଓ ବୃଷ୍ଟିପାତ ବ୍ୟାପକ ଭାବେ ବୃଦ୍ଧି ପାଇବ ଏବଂ ୨୦୩୦ ସୁଦ୍ଧା ଅଧିକାଂଶ ମହାନଗରରେ ଗ୍ରୀଷ୍ମପ୍ରବାହ ଦ୍ୱିଗୁଣିତ ହେବାର ସମ୍ଭାବନା ରହିଛି ।
୧୯୮୦ ତୁଳନାରେ ୨୦୩୦ମସିହା ସୁଦ୍ଧା ଦିଲ୍ଲୀ, ମୁମ୍ବାଇ, ଚେନ୍ନାଇ, ସୁରଟ, ଥାନେ, ହାଇଦ୍ରାବାଦ, ପାଟନା ଓ ଭୁବନେଶ୍ୱର ଭଳି ସହରରେ ଗ୍ରୀଷ୍ମପ୍ରବାହ ଦ୍ୱିଗୁଣିତ ବୃଦ୍ଧି ପାଇବ ବୋଲି ଆକଳନ କରାଯାଉଛି । ୨୦୩୦ ସୁଦ୍ଧା ଜଳବାୟୁ ପରିବର୍ତ୍ତନ ଯୋଗୁଁ ସମଗ୍ର ଭାରତରେ ଅତ୍ୟଧିକ ବୃଷ୍ଟିପାତର ତୀବ୍ରତା ୪୩% ବୃଦ୍ଧି ପାଇବ ଏବଂ ଦେଶରେ ଅଧିକ ଗରମ ଓ ଆର୍ଦ୍ର ହେବ ବୋଲି ରିପୋର୍ଟରେ କୁହାଯାଇଛି । ଏସବୁରୁ ମୁକୁଳିବାକୁ ହେଲେ ବୃକ୍ଷରୋପଣ ହିଁ ଏକମାତ୍ର ମାଧ୍ୟମ । ସବୁଜ ପରିବେଶ ପାଇଁ ଓଡ଼ିଶା ଉଚ୍ଚ ନ୍ୟାୟାଳୟ ବୃକ୍ଷରୋପଣକୁ ଗୁରୁତ୍ୱ ଦେଇଛନ୍ତି । କେତେକ ମାମଲାରେ ଉଚ୍ଚ ନ୍ୟାୟାଳୟ ଅଭିଯୁକ୍ତଙ୍କୁ ଜାମିନ ଦେବା ସମୟରେ ବୃକ୍ଷରୋପଣ କରିବାକୁ ସର୍ତ୍ତ ରଖିଛନ୍ତି । ଗ୍ରୀଷ୍ମ ଅବକାଶକୁ ଦୃଷ୍ଟିରେ ରଖି ଉଚ୍ଚ ନ୍ୟାୟାଳୟର ବିଚାରପତି ଶତାଧିକ ମାମଲାରେ ଶହେରୁ ଆରମ୍ଭ କରି ପାଞ୍ଚଶହ ପର୍ଯ୍ୟନ୍ତ ବୃକ୍ଷରୋପଣ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଜାମିନରେ ମୁକୁଳିବା ପରେ ଅଭିଯୁକ୍ତମାନେ ନିଜ ଗ୍ରାମ ନିକଟ ଅଞ୍ଚଳରେ ଚାରା ରୋପଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।
ମଣିଷ ସୃଷ୍ଟି ହେବା ଦିନଠାରୁ ପ୍ରକୃତି ଓ ପରିବେଶ ଯୋଗୁଁ ଆଜି ପର୍ଯ୍ୟନ୍ତ ବଞ୍ଚରହିଛି । ମାତ୍ର ମଣିଷ ପ୍ରକୃତିକୁ ଧ୍ୱଂସ କରିବାକୁ ଲାଗିଥିବାରୁ ଜଳବାୟୁ ପରିବର୍ତ୍ତନ ପରି ଭୟଙ୍କର ସ୍ଥିତିକୁ ସାମନା କରୁଛି । ଫଳରେ ଛଅ ଋତୁ ଆଜି ସାତ ସପନ । ଖରା, ବର୍ଷା, ଭୁସ୍ଖଳନ, ମରୁଡ଼ି, ବାତ୍ୟା ଆଦି ବୃଦ୍ଧି ପାଉଛି । ଓଡ଼ିଶାକୁ ପ୍ରକୃତି ଖଣି, ନଦୀ, ସମୁଦ୍ର, ଜଙ୍ଗଲ ଓ ଉର୍ବର ଜମି ଆଦି ବରଦାନ ଦେଇଛି । ତେବେ ଏହା ସହିତ ବନ୍ୟା, ମରୁଡ଼ି, ବାତ୍ୟା ପ୍ରାକୃତିକ ବିପତ୍ତି ମଧ୍ୟଦେଇଛି । ପ୍ରାକୃତିକ ସମ୍ପଦର ସଦ୍ବ୍ୟବହାର କରି ଭଲ ଭାବେ ବଞ୍ôଚ ରହିବା ପାଇଁ ପ୍ରାକୃତିକ ବିିପର୍ଯ୍ୟୟକୁ କିପରି ମୁକାବିଲା କରିହେବ ତାହା ସାଧାରଣ ଜନତାଙ୍କ ପାଇଁ ଏକ ଆହ୍ୱାନ ସୃଷ୍ଟି କରିଛି । ବ୍ୟାପକ ବୃକ୍ଷ ଛେଦନ ଫଳରେ ଅମ୍ଲଜାନର ଅଭାବ ପରିପୂରଣ ପାଇଁ ଆବଶ୍ୟକ ଅନୁସାରେ ଗଛ ନଥିବାରୁ ଦିଲ୍ଲୀ, ମୁମ୍ବାଇ ଆଦି ସହରରେ ଅକ୍ସିଜେନ ପାର୍ଲରମାନ ଖୋଲିଲାଣି ଏବଂ ଦୋକାନ ବଜାରରେ ତଥା ଚୀନର ରାଜଧାନୀ ବେଜିଂରେ ୧୮ ଡଲାରରେ ଏକ ଲିଟର ଅମ୍ଲଜାନ ବିକ୍ରି ହେଲାଣି । ସେହିପରି ଦିଲ୍ଲୀ, ମୁମ୍ବାଇ ଆଦି ପ୍ରଦୂଷିତ ସହରମାନଙ୍କରେ ଅକ୍ସିଜେନ ଥଳି ଦୋକାନ ବଜାରରେ ବିକ୍ରି ହେବା ଆରମ୍ଭ ହେଲାଣି । ତେଣୁ ଆଗାମୀ ଦିନରେ ବାହାରକୁ ଗଲେ ଏକ ସଫା ପାଣି ବୋତଲ ସହ ଅକ୍ସିଜେନ ଥଳି ଧରି ଯିବାର ସମୟ ଆସୁଛି । ଆଉ କିଛିବର୍ଷ ପରେ ଦିଲ୍ଲୀ ମୁମ୍ବାଇ ଭଳି ଭୁବନେଶ୍ୱରରେ ମଧ୍ୟ ଅକ୍ସିଜେନ ପାର୍ଲରମାନ ଖୋଲଇ ଅମ୍ଲଜାନ ବିକ୍ରି ହେବ, ଏହାକୁ ଏଡ଼ାଇ ଦିଆଯାଇ ନପାରେ ? ଜନସଂଖ୍ୟା ବୃଦ୍ଧି, ଅଧିକ ସଂଖ୍ୟାରେ ଗାଡ଼ିମୋଟର ଚଳାଚଳ, ଖଣି ଖନନ, ଶିଳ୍ପ ଓ କୋଠାବାଡ଼ି ନିର୍ମାଣ ଯୋଗୁଁ ବାୟୁ ପ୍ରଦୂଷଣ ଓ ତାପମାତ୍ରା ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି । ପରିବେଶ ପ୍ରଦୂଷଣକୁ ଦୃଷ୍ଟିରେ ରଖି ବିଶ୍ୱର ସର୍ବାଧିକ ଜନବସତି ସହର ଜାପାନର ରାଜଧାନୀ ଟୋକିଓରୁ ଫେରିଯାଇ ଗ୍ରାମାଞ୍ଚଳରେ ସ୍ଥାୟୀ ଭାବରେ ବସବାସ କରିବାକୁ ଜାପାନ ସରକାର ସେଠାକାର ଜନସାଧାରଣଙ୍କୁ ଅନୁରୋଧ କରିଥିଲେ । ଯେଉଁମାନେ ଏହି ନିମୟକୁ ପାଳନ କରି ଟୋକିଓରୁ ଯାଇ ଗ୍ରାମାଞ୍ଚଳରେ ସ୍ଥାୟୀ ଭାବରେ ବସତି ସ୍ଥାପନ କରିବେ ସେମାନଙ୍କୁ ମୁଣ୍ଡପିଛା ଆର୍ଥିକ ସହାୟତା ଦେବାକୁ ମଧ୍ୟ ଘୋଷଣା କରିଛନ୍ତି ।
ସମ୍ପ୍ରତି ସାରା ବିଶ୍ୱରେ ବାୟୁ ପ୍ରଦୂଷଣ ଏକ ମୁଣ୍ଡବ୍ୟଥାର କାରଣ ପାଲଟିଛି । ଯେଉଁ ସହରକୁ ଦେଖିଲେ ଉଡୁଛି ଧୂଳିକଣା । ନିଃଶ୍ୱାସ ପ୍ରଶ୍ୱାସ ନେଲେ ଶରୀରକୁ ଯାଉଛି ଏହି ଧୂଳିକଣା । ଫଳରେ ବୟୋଜ୍ୟେଷ୍ଠ ବ୍ୟକ୍ତି ଓ ଛୋଟ ଛୋଟ ଶିଶୁମାନେ ଅଧିକ ଯନ୍ତ୍ରଣା ଭୋଗୁଛନ୍ତି । ଏକ ତଥ୍ୟ ଅନୁସାରେ କଟକ, ଭୁବନେଶ୍ୱର, କଳିଙ୍ଗ ନଗର, ବାଲେଶ୍ୱର, ଅନୁଗୋଳ, ତାଳଚେର, ଦାମନଯୋଡ଼ି ଏବଂ ରାଜଗାଙ୍ଗପୁର ଆଦି ୮ଟି ସହର ବିଷାକ୍ତ ବାୟୁ ବଳୟରେ ରହିଛି । ସେହିପରି ବିଶ୍ୱର ୧୦୦ ସର୍ବାଧିକ ପ୍ରଦୂଷିତ ସହର ତାଲିକାରେ ଭାରତର ୩୯ଟି ସହର ସ୍ଥାନ ପାଇଛି । ଭାରତର ରାଜଧାନୀ ଦିଲ୍ଲୀର ପ୍ରଦୂଷଣ ସ୍ତର ସର୍ବାଧିକ ପ୍ରଦୂଷିତ ସହର ମଧ୍ୟରେ ରହିଛି । କଟକ ଓ ଭୁବନେଶ୍ୱରରେ ବିଶେଷ କଳ କାରଖାନା ନଥାଇ ବି ବାୟୁ ପ୍ରଦୂଷଣ ହାର ଅଧିକ ରହିଛି । ବଡ଼ ବଡ଼ ଅଟ୍ଟାଳିକା ନିର୍ମାଣ, ଡିଜେଲ ଓ ପେଟ୍ରୋଲ ଗାଡ଼ିମୋଟର ସଂଖ୍ୟା ବୃଦ୍ଧି ଓ ଅଳିଆ ଆବର୍ଜନାରେ ନିଆଁ ଲଗାଇବା ଏହାର ପ୍ରମୁଖ କାରଣ । ଯେଉଁ ଅଞ୍ଚଳରେ ଅଧିକ ଗାଡ଼ି ମୋଟର ଯାତାୟତ କରୁଛି, ସେହି ଅଞ୍ଚଳରେ ବାୟୁ ପ୍ରଦୂଷଣ ହାର ସର୍ବାଧିକ ରହୁଛି । ଯେଉଁଥିପାଇଁ ରାଜଧାନୀ ଭୁବନେଶ୍ୱରେ ୬ଟି ସ୍ଥାନରେ ବାୟୁ ପ୍ରଦୂଷଣ ମାନକ ମାପ କରାଯାଉଛି । କ୍ୟାପିଟାଲ ଥାନା, ଖଣ୍ଡଗିରି ଥାନା, ଏସ୍ପିସିବି କାର୍ଯ୍ୟାଳୟ, ପଟିଆସ୍ଥିତ କେନ୍ଦ୍ରୀୟ ପରୀକ୍ଷାଗାର ଏବଂ ଆଇଆରସି ଭିଲେଜରେ ବାୟୁ ପ୍ରଦୂଷଣ ମାପ ମେସିନ ଖଞ୍ଜାଯାଇଛି । ମାତ୍ର ସଚେତନତାର ଅଭାବ, ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋଡର଼୍ର ଉପଯୁକ୍ତ ପଦକ୍ଷେପ ଗ୍ରହଣ ନ କରିବା ବାୟୁ ପ୍ରଦୂଷଣ ବୃଦ୍ଧି ପାଉଥିବା ପରିବେଶ୍ବିତ୍ମାନେ ମତ ଦେଇଛନ୍ତି । ଯେପରି ରାସ୍ତାରେ ଦୁର୍ଘଟଣା ଘଟି କୌଣସି ବ୍ୟକ୍ତି ମୃତ୍ୟୁବରଣ କଲେ ସାଧାରଣ ଜନତା ଉତ୍ତେଜିତ ହୋଇ ରାଜରାସ୍ତାକୁ ଓହ୍ଲାଇ ରାସ୍ତା ନିର୍ମାଣ ପାଇଁ ଦାବି କରନ୍ତି, ମୁକୁଳା ଡ୍ରେନରେ ପଡ଼ି ଛୋଟ ଶିଶୁଟିଏ ପ୍ରାଣ ହରାଇଲା ପରେ ଡ୍ରେନ୍ ନିର୍ମାଣ ପାଇଁ ଦାବି ହୁଏ, କୌଣସି ମହାପୁରୁଷଙ୍କ ଜନ୍ମଜୟନ୍ତୀ ଆସିଲେ, ତାଙ୍କ ପ୍ରତିମୂର୍ତ୍ତିରେ ଫୁଲମାଳଟିଏ ପକାଇ ଦେଇ, ତାଙ୍କ ବଳିଦାନ ବିଷୟରେ ଲୋକଙ୍କୁ ସଚେତନ କରିବା ପରେ ପରବର୍ତ୍ତୀ ସମୟରେ ସେସବୁକୁ ଭୁଲିଯାଆନ୍ତି, ଠିକ୍ ସେହିପରି ବିଶ୍ୱ ପରିବେଶ ଦିବସ ଆସିଲେ ନେତା ଠାରୁ ସାଧାରଣ ଜନତା ଏବଂ ବିଭିନ୍ନ ଅନୁଷ୍ଠାନମାନେ ସେହି ଗୋଟିଏ ଦିନ କିଛି ଗଛ ଲଗାଇ ପରିବେଶ ସୁରକ୍ଷାର ବାର୍ତ୍ତା ପ୍ରଦାନ କରିଥାନ୍ତି ଏବଂ ପ୍ଲାଷ୍ଟିକ ବ୍ୟବହାର ନ କରିବା ପାଇଁ ସଂକଳ୍ପ ନେଇଥାନ୍ତି, ମାତ୍ର ପରବର୍ତ୍ତୀ ସମୟରେ ସେସବୁ ସଂକଳ୍ପକୁ ଭୁଲି ଯାଆନ୍ତି। ଚଳିତବର୍ଷ ବିଶ୍ୱ ପରିବେଶ ଦିବସ ଅବସରରେ ସହରଠାରୁ ଆରମ୍ଭ କରି ଗ୍ରାମାଞ୍ଚଳମାନଙ୍କରେ ସବୁଠି ବୃକ୍ଷରୋପଣ, ପ୍ଲାଷ୍ଟିକ ବର୍ଜନ ପାଇଁ ସଚେତନ କରୁଥିବାର ଭିଡ଼ିଓ ସାମାଜିକ ଗଣମାଧ୍ୟମରୁ ଜଣାପଡ଼ିଥିଲା । ପ୍ରଦୂଷିତ ପୃଥିବୀର ଭୟବହତାକୁ ହୃଦୟଙ୍ଗମ କରି ଅଧିକରୁ ଅଧିକ ସବୁଜ ପରିବେଶ ସୃଷ୍ଟି କରିବା ଏବଂ ପ୍ରକୃତିକୁ ସୁରକ୍ଷିତ ରଖିବା ଏକାନ୍ତ ଅପରିହାର୍ଯ୍ୟ ହୋଇପଡ଼ିଛି । ଏଣୁ ରାଜ୍ୟ ସରକାର ଗୋଟିଏ ବର୍ଷରେ ୭.୫ କୋଟି ·ରାରୋପଣ କରାଯିବ ବୋଲି ଘୋଷଣା କରିଛନ୍ତି ଓ ସ୍ୱଚ୍ଛ ବାୟୁ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି ବୋଲି କହିଛନ୍ତି ।
ଏଥିସହିତ ପ୍ଲାଷ୍ଟିକ ନିଷେଧ କରି ଏହାର ଦୀର୍ଘସ୍ଥାୟୀ ବିକଳ୍ପକୁ ପ୍ରୋତ୍ସାହନ, ବର୍ଜ୍ୟ ପରିଚାଳନା ପ୍ରଣାଳୀକୁ ସଶକ୍ତ କରିବା ପାଇଁ ପଦକ୍ଷେପ ନେଇଛନ୍ତି । ସେହିପରି ପ୍ରକୃତିର ସମ୍ମାନ ପାଇଁ ଚଳିତବର୍ଷ ସର୍ବ ବୃହତ୍ ବୃକ୍ଷରୋପଣ ଅଭିଯାନକୁ ବ୍ୟାପକ କରିବା ପାଇଁ ‘ମା’ଙ୍କ ନାମରେ ଗୋଟିଏ ଗଛ’ର ଶୁଭାରମ୍ଭ ହୋଇଥିଲା ଏହି ଅଭିଯାନ ଜୁନ୍ ୫ ତାରିଖ ବିଶ୍ୱ ପରିବେଶ ଦିବସରୁ ସେପ୍ଟେମ୍ବର ମାସ ୩୦ ତାରିଖ ମଧ୍ୟରେ ୧୦ କୋଟି ଗଛ ଲଗାଇବାକୁ ଛାତ୍ରଛାତ୍ରୀ ତଥା ଦେଶବାସୀଙ୍କୁ ନିବେଦନ କରାଯାଇଥିଲା । ପ୍ରତ୍ୟେକ ବ୍ୟକ୍ତି ନିଜ ମା’ଙ୍କ ନାମରେ ଗଛଟିଏ ଲଗାନ୍ତୁ ଏବଂ ଏହାର ସୁରକ୍ଷା ଓ ଯତ୍ନ ନେଇ ସେହି ଗଛକୁ ବଡ଼ ହେବାକୁ ଦିଅନ୍ତୁ ବୋଲି ସଚେତନ କରାଯାଇଥିଲା । ଆତ୍ମକୈନ୍ଦ୍ରିକ ଓ ସ୍ୱାର୍ଥପରତା ଯୋଗୁ ପରିବେଶ ସୁରକ୍ଷାରେ ବ୍ୟାଘାତ ସୃଷ୍ଟି ହେଉଛି । ମଣିଷ ଭୌତିକ ସୁଖରେ ରହିବା ପାଇଁ ସମାଜ ଓ ପରିବେଶ ଉପରେ ତାର ପ୍ରତିକୂଳ ପ୍ରଭାବ ପାଇଁ ଆଦୌ ଦୃଷ୍ଟି ଦେଉନାହିଁ । ତେଣୁ ସୁସ୍ଥ, ସୁନ୍ଦର ଓ ସବୁଜ ପରିବେଶ ପାଇଁ ପ୍ରତ୍ୟେକ ମନୁଷ୍ୟର ସନ୍ତୁଳିତ ଜୀବନଚର୍ଯ୍ୟା ଆବଶ୍ୟକ ବୋଲି ବିଶ୍ୱ ପରିବେଶ ଦିବସରେ ବାର୍ତ୍ତା ଦିଆଯାଇଥିଲା । ମାତ୍ର ବିଶ୍ୱ ପରିବେଶ ଦିବସର ଗୋଟିଏ ଦିନ ନ ପୁରୁଣୁ ଜୟଦେବ ବିହାର ନନ୍ଦନକାନନ ବାମପାଶ୍ୱର୍ ସମାନ୍ତରାଳ ୨୦୦ ଫୁଟିଆ ରାସ୍ତାକାମ ଯୋଗୁଁ ୨୭ଟି ଘର ମାଟିରେ ମିଶିବା ସହିତ ୫୪ଟି ଗଛ ବଳି ପଡ଼ିବାକୁ ଯାଉଛି । ସାଲିଆ ସାହି ଭିତରେ ରାସ୍ତା ନିର୍ମାଣ କରିବାକୁ ଏକ ପ୍ରକାର ନଷ୍ପତ୍ତି ନିଆଯାଇ ସର୍ଭେ କାମ ଆଗେଇ ଚାଲିଛି । ଏହି ରାସ୍ତା ନିର୍ମାଣ ଦ୍ୱାରା ସହରବାସୀ ଉପକୃତ ହେବ ସତ ମାତ୍ର ପ୍ରକୃତି ଓ ପରିବେଶ ଉପରେ ଏକ ବଡ଼ ପ୍ରଭାବ ପଡ଼ିବାକୁ ଯାଉଛି । ଏଥିଯୋଗୁ ପିଜୁଳି, ନଡ଼ିଆ, ଆତ, ବେଲ ଆଦି ବିଭିନ୍ନ ଫଳନ୍ତି ଗଛ ମାଟିରେ ମିଶିବା ଏକ ପ୍ରକାର ନିଶ୍ଚିତ ହୋଇଯାଇଛି । ଏହି ଅଞ୍ଚଳଟି ପରିବେଶ ଦୃଷ୍ଟିରୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଥିବାରୁ ଗଛଗୁଡ଼ିକର ସୁରକ୍ଷା ଦିଗରେ ପଦକ୍ଷେପ ନେବାକୁ ପରିବେଶବିତ୍ମାନେ ମତପ୍ରକାଶ କରିଛନ୍ତି ।
ପରିବେଶ ସୁରକ୍ଷା ଦିଗରେ ବନ ବିଭାଗ ଓ ବିଏମ୍ସି ୨୦୨୪ ମସିହାରେ ଏକଲକ୍ଷ ଗଛ ଲଗାଇବାକୁ ଯୋଜନା କରିଥିଲେ ମଧ୍ୟ ୪୦ ପ୍ରତିଶତରେ ପହଞ୍ôଚବାକୁ ସକ୍ଷମ ହୋଇପାରି ନାହାଁନ୍ତି । ଯେଉଁସବୁ ଗଛ ଲାଗିଛି, ଉପଯୁକ୍ତ ରକ୍ଷଣାବେକ୍ଷଣ ଓ ସୁରକ୍ଷା ଅଭାବରୁ ଗଛଗୁଡ଼ିକ ମରିଯାଉଛି । ଅନ୍ୟପକ୍ଷରେ ସହର ନିକଟରେ ଥିବା ଜଙ୍ଗଲ ଦିନକୁ ଦିନ କମିବାରେ ଲାଗିଛି । ଯୁଆଡେ଼ ଦେଖିବ ସହରସାରା କୁଢ କୁଢ ଅଳିଆ ଆବର୍ଜନା । ଭଙ୍ଗା ପ୍ଲାଷ୍ଟିକ, ଆସବାବ ପତ୍ର, ପ୍ଲାଷ୍ଟିକ, ପଲିଥିନ୍, ବୋତଲ, ଭୋଜିଭାତରେ ବ୍ୟବହୃତ ଅଇଁଠା ପତ୍ର, କାଚ, ହୋଟେଲରୁ ବାହାରୁଥିବା ବାସିଖାଦ୍ୟ ପାହାଡ଼ ଭଳି ଜମା ହୋଇ ପଡ଼ିରହିଛି । ଏଥିପ୍ରତି ପ୍ରଶାସନର ନିଘା ନାହିଁ କି କେହି ଏହାକୁ ଉଠାଉ ନାହାଁନ୍ତି । ଫଳସ୍ୱରୂପ ରାଜଧାନୀରେ ଏବେ ପୂତ୍ତିଗନ୍ଧମୟ ପରିସ୍ଥିତି ସୃଷ୍ଟି ହେଉଛି । ଦିନେ ନାହିଁ, କାଳେ ନାହିଁ ଗହ୍ମା ପୁନେଇଁରେ ମାଇଁ ମାଇଁ ନ୍ୟାୟରେ କେବଳ ପରିବେଶ ଦିବସ ଆସିଲେ ପ୍ରଶାସନ ଠାରୁ ଆରମ୍ଭ କରି ବିଭିନ୍ନ ସଂଗଠନ ସେହି ଗୋଟିଏ ଦିନ ଗଛ ଲଗାଇ ପରିବେଶ ସୁରକ୍ଷା ଦିଗରେ ସଚେତନ କରାନ୍ତି ଏବଂ ଏହି ସଚେତନ, ସଚେତନରେ ହିଁ ରହିଯାଉଛି । ମଣିଷ ଭୌତିକ ସୁଖରେ ରହିବା ଓ ଦୀର୍ଘକାଳର ଅଭ୍ୟାସ ଯୋଗୁ ପରିବେଶକୁ ସୁରକ୍ଷିତ ରଖିବା ସମ୍ଭବ ହେଉନାହିଁ । ତେଣୁ ରାଜ୍ୟ ସରକାର ଏସବୁ ସମସ୍ୟାକୁ ଦୃଷ୍ଟିରେ ରଖି ଯଦି ତାଙ୍କ ଘୋଷଣାକୁ କାର୍ଯ୍ୟକାରୀ ନ କରନ୍ତି, ତେବେ ସୁସ୍ଥ ଓ ସବୁଜ ପରିବେଶ ସୃଷ୍ଟି କରିବା ଅସମ୍ଭବ ।
ବାଲିକୁଦା, ଜଗତସିଂହପୁର
ମୋ : ୮୩୨୮୮୪୦୨୧୪
Samir Kumar Rout