ବିଶ୍ୱପ୍ରେମର ଠାକୁର ମୋ’ପ୍ରଭୁ ଜଗନ୍ନାଥ
ମୀରା ବେଉରା : ସମଗ୍ର ପୃଥିବୀରେ ଏମିତି ଠାକୁର କେହି ନାହାଁନ୍ତି ଯିଏ ନିଜ ରତ୍ନ ସିଂହାସନରୁ ଓହ୍ଲେଇ ଆସନ୍ତି ବଡ଼ଦାଣ୍ଡକୁ ଜାତି, ଧର୍ମ, ବର୍ଣ୍ଣ, ଲିଙ୍ଗ ନିର୍ବିଶେଷରେ ସମସ୍ତଙ୍କୁ ଦର୍ଶନ ଦେବାଲାଗି । ସେ ଆଉ କେହି ନୁହଁନ୍ତି ସେ ହେଉଛନ୍ତି ବିଶ୍ୱବ୍ରହ୍ମାଣ୍ଡର କଥାକୁହା ଠାକୁର ମୋ’ ପ୍ରଭୁ ଜଗନ୍ନାଥ ।
ଭକ୍ତ ଓ ଭଗବାନଙ୍କ ଭିତରେ ଯେଉଁ ବାଡ଼ ଥାଏ ସେ ତାକୁ ଭାଙ୍ଗି ଭକ୍ତକୁ କୋଳେଇ ନେଇ ତା’ର ସୁଖଦୁଃଖ, ହାନିଲାଭ ବୁଝି ମୁହଁରେ ଧାରେ ହସ ଫୁଟେଇ ଦିଅନ୍ତି । ଏହି ଆଷାଢ଼ ଶୁକ୍ଳ ଦ୍ୱିତୀୟା ତିଥିରେ ସେ ଚାଲିଆସନ୍ତି ରତ୍ନ ବେଦୀରୁ । ରଥରେ ଭାଇ ବଳଭଦ୍ର ଓ ଭଉଣୀ ସୁଭଦ୍ରାକୁ ଧରି ମହାଆନନ୍ଦରେ ମୁରକି ମୁରକି ହସି ଭକ୍ତଙ୍କ ସହ ଏକାକାର ହୋଇଯାଆନ୍ତି । ସେଠି ଧନୀ, ନିର୍ଦ୍ଧନ, ଜାତି, ଅଜାତି, ଉଚ୍ଚନୀଚ୍ଚ ବାଛବିଚାର କିଛି ରହେନି । ସବୁ ଧର୍ମର ସମନ୍ୱୟ ସେ ବଡ଼ ଠାକୁର । ସବୁ ଧର୍ମର, ସବୁ ସମ୍ପ୍ରଦାୟର, ସବୁ ଭାଷାଭାଷୀ ଲୋକମାନଙ୍କୁ ଆପଣେଇ ନିଅନ୍ତି ସେହି ପ୍ରାଣର ଠାକୁର ପ୍ରଭୁ ଜଗନ୍ନାଥ। ଜଗତର କଲ୍ୟାଣ ହିଁ ଶ୍ରୀଜଗନ୍ନାଥ ସଂସ୍କୃତିର ସାରାଂଶ। ଯେତେ ସବୁ ତତ୍ତ୍ୱ, ମତବାଦ, ଚିନ୍ତନ, ରୀତି, ନୀତି, ସଂସ୍କୃତି, ପରମ୍ପରା, ଦର୍ଶନତତ୍ତ୍ୱ ସବୁ ମୋ’ ପ୍ରଭୁଙ୍କଠାରେ ହିଁ ସମାହିତ । କୌଣସି ସଂକୀର୍ଣ୍ଣତାରେ ସେ ଆବଦ୍ଧ ହୋଇ ପାରନ୍ତି ନାହିଁ । ସବୁ ସଂକୀର୍ଣ୍ଣତାକୁ ପାର କରି ସେ ବିଶ୍ୱର ଠାକୁର ପାଲଟି ଯାଆନ୍ତି। ସବୁ ସୀମା ଲଙ୍ଘି ସାତ ସମୁଦ୍ର ପାର ହୋଇ ବିଶ୍ୱକୁ ବ୍ୟାପୀ ଯାଆନ୍ତି। ତାଙ୍କର ସଂଜ୍ଞାକୁ ଖୋଜିବା ଏତେ ସହଜ ନୁହେଁ । ସେ ଭାବକୁ ନିକଟ ଅଭାବକୁ ଦୂର । ବିଶ୍ୱ ନିୟନ୍ତା, ଚଉଦଭୁବନର ପାଳନକର୍ତ୍ତା, ଉକ୍ରଳର ନେତା କେବଳ ଓଡ଼ିଶାକୁ ହିଁ ନିଜର ବାସଭୂମି ଭାବରେ ଚୟନ କରି ସମଗ୍ର ବିଶ୍ୱକୁ ଦେଖାଇ ଦେଇଛନ୍ତି ଯେ, ଓଡ଼ିଶା ଏକମାତ୍ର ରାଜ୍ୟ ଯାହାର କଳା ସଂସ୍କୃତି ଭାସ୍କର୍ଯ୍ୟ ପାଇଁ ସେ ସମଗ୍ର ବିଶ୍ୱଦରବାରରେ ମଧ୍ୟ ଅଭିନନ୍ଦନୀୟ। ଓଡ଼ିଶା ଭଳି ପବିତ୍ର ଭୂମି ନାହିଁ । ଉକ୍ରଳସ୍ୟ ସମୋଦେଶ ଦେଶୋ ନାସ୍ତି ମହୀତଳେ । ପୃଥିବୀ ଇତିହାସରେ ପୃଥିବୀର ମାନଚିତ୍ରରେ ଉକ୍ରଳର ସ୍ୱତନ୍ତ୍ର ସ୍ଥାନ ରହିଛି । ଶ୍ରୀଜଗନ୍ନାଥ ହିଁ ସମଗ୍ର ବିଶ୍ୱରେ ଓଡ଼ିଆର ପରିଚୟ । ପ୍ରତିଟି ଓଡ଼ିଆ ଜାତିର ବିଶ୍ୱାସର ବତିଘର ହେଉନ୍ତି ପ୍ରଭୁ ଜଗନ୍ନାଥ । ସବୁ ସ୍ୱାଭିମାନ, ଆସ୍ଥା, ପ୍ରଗତି, ମୁକ୍ତିର ଆଧାର ହେଉଛନ୍ତି ସେହି ବ୍ରହ୍ମାଣ୍ଡ ବିଶ୍ୱନିୟନ୍ତା ପ୍ରଭୁ ଜଗନ୍ନାଥ । ଏ ଜାତି କେତେ ଦୁଃଖ କଷ୍ଟ ସହିଛି, କେତେ ବଢ଼ି ମରୁଡ଼ି, ବିପନ୍ନକୁ ସାମ୍ନା କରିଛି । ଏ ଜାତି ଉପରେ ଅନେକ ଆକ୍ରୋଶ ହୋଇଛି । କେତେ କେତେ ଆକ୍ରମଣକୁ ସାମ୍ନା କରିଛି । ତଥାପି ହାରିନି । ଏ ଜାତି ଜଗନ୍ନାଥଙ୍କୁ ଧରି ସବୁ ଦୁଃଖକଷ୍ଟ ଯନ୍ତ୍ରଣାକୁ ଅମୃତ କରି ପିଇ ଚାଲିଛି । “ଏ ଜାତି କେବେ ଭୋକିଲା କି ଦରିଦ୍ର ହୋଇ ପାରେନା । ଯେଉଁ ଜାତି ପଥରରେ ଏତେ ସୁନ୍ଦର ମୂର୍ତ୍ତି ଗଢ଼ି ନିଜ କଳା ଚାତୁର୍ଯ୍ୟର ପରିଚୟ ଦିଏ; ସେ ଜାତି କେବେ ଦରିଦ୍ର ହୋଇପାରେନା”- ଏକଥା କୋଣାର୍କର ସୂର୍ଯ୍ୟ ମନ୍ଦିର ଦେଖି ରବୀନ୍ଦ୍ରନାଥ ଟାଗୋର କହିଥିଲେ ।
“ଜଗନ୍ନାଥ ହେଉଛନ୍ତି ଏ ଓଡ଼ିଆ ଜାତିର ସର୍ବଶ୍ରେଷ୍ଠ ସଂପଦ । ଆମ ଅସ୍ମିତାର ଆତ୍ମା ପ୍ରଭୁ ଜଗନ୍ନାଥ । ସେ ହିଁ ଆମ ସ୍ଥିତି, ବ୍ୟାପ୍ତି, ଦୀପ୍ତି, ଦ୍ୟୁତିର ସମୀକ୍ଷକ । ପ୍ରତ୍ୟେକଟି ଓଡ଼ିଆଙ୍କର ରକ୍ତ, ଶୀରାପ୍ରଶିରା, ଧମନୀ, ନିଃଶ୍ୱାସପ୍ରଶ୍ୱାସରେ, ଚିନ୍ତାଚେତନାରେ ଯେଉଁଠି ଖୋଜିବ ସେଇଠି ପାଇବ ସେହି ଜୀବନ୍ତ ସର୍ବବ୍ୟାପୀ, ସାର୍ବଜନୀନ ପ୍ରାଣର ଠାକୁର ପ୍ରଭୁ ଜଗନ୍ନାଥଙ୍କୁ । ତାଙ୍କ ବିନା କୌଣସି ପର୍ବପର୍ବାଣି ସମ୍ଭବ ନୁହେଁ । ତାଙ୍କର ପ୍ରତ୍ୟେକଟି ଜୀବନଶୈଳୀରେ, ପ୍ରତ୍ୟେକଟି ମାନବୀୟ ଲୀଳାରେ ଆମ ସଂସ୍କୃତିର ମହନୀୟତା ହିଁ ପ୍ରତିଫଳିତ । ସର୍ବଧର୍ମ ସର୍ବସମ୍ପ୍ରଦାୟର ସେ ଉପାସ୍ୟ । ଜାତିରେ ଯିଏ ସବୁଠୁ ନୀଚ୍ଚ ସେ ଭଗବାନଙ୍କର ଅତି ପ୍ରିୟ । ଯାହାର ପ୍ରମାଣ ଆମର ଅଜସ୍ର କାହାଣୀ ଓ ପୁରାଣ କିମ୍ବଦନ୍ତୀରେ ଉଲ୍ଲେଖ ଅଛି । ଇଚ୍ଛାମୟଙ୍କ ଇଚ୍ଛାରେ ପ୍ରତ୍ୟେକଟି ରାତ୍ରି ସମାପ୍ତ ପରେ ସକାଳ ଆସେ । ତାଙ୍କର ଇଚ୍ଛା ବିନା ବୃକ୍ଷରୁ ପତ୍ରଟିଏ ମଧ୍ୟ ଝରି ପଡେ଼ନି । ସେଇଥି ପାଇଁ ତ ଉକ୍ରଳମଣି ଗୋପବନ୍ଧୁ କହିଥିଲେ “ବିଶେଷେ ଉକ୍ରଳେ ନାହିଁ ପ୍ରୟୋଜନ, ଉକ୍ରଳର ନେତା ସ୍ୱୟଂ ନାରାୟଣ ।” ସବୁ ବିଭିନ୍ନତା ଭିତରେ ମଧ୍ୟ ଏ ଓଡ଼ିଆ ଜାତିର ଏକତାର ବଳିଷ୍ଠ ପ୍ରମାଣ ହେଉଛନ୍ତି ପ୍ରଭୁ ଜଗନ୍ନାଥ ।
ବିଶ୍ୱଭ୍ରାତୃତ୍ୱ, ଶାନ୍ତି, ମୈତ୍ରୀ, ପ୍ରୀତି ଓ ସଂହତିର ମହାନ ବାର୍ତ୍ତା ଧରି ପ୍ରତିବର୍ଷ ଧରାପୃଷ୍ଠରେ ପାଳନ ହୁଏ ଘୋଷଯାତ୍ରା । ଜାତି, ଧର୍ମ, ବର୍ଣ୍ଣ, ଲିଙ୍ଗ ଭିତ୍ତିରେ ଏ ଜାତିକୁ ଭାଗ କରିବା- ଏ ତ ମାନବକୃତ । ଏହାକୁ ଅତିକ୍ରମ କରି ସଭିଙ୍କୁ ଆପଣାର କରି ପରିବାରବାଦକୁ ଲୋକ ସମ୍ମୁଖକୁ ନେଇ ଦେଖାଇ ଦିଅନ୍ତି ଯେ ସମଗ୍ର ବିଶ୍ୱ ଏକ ପରିବାର । ସେ କେଳବ କୋଟି କୋଟି ଓଡ଼ିଆଙ୍କ ଆରା୍ମ ଦେବତା ନୁହଁନ୍ତି ସମ୍ରଗ ବିଶ୍ୱର ଆରାଧ୍ୟ ଦେବତା ଓ ଅନ୍ତର୍ଯ୍ୟାମୀ ଠାକୁର । ସମଗ୍ର ପୃଥିବୀରେ ଏଭଳି କୌଣସି ଠାକୁର ନାହାନ୍ତି ଯାହାଙ୍କର ସ୍ମରଣ ଓ ଉଚ୍ଚାରଣ ମାତ୍ରେ ଭାବ ରୂପାନ୍ତରିତ ହୋଇଯାଏ ମହାଭାବରେ । ପ୍ରାଣ ପୁଣି ଉଦ୍ବେଳିତ ହୋଇ ଉଠେ । ହୃଦୟରେ ବ୍ୟାକୁଳତା ଭରିଯାଏ । ଆଖିରେ ଆପେ ଆପେ ଅଶ୍ରୁ ଆସି ବୋହିଯାଏ । ପ୍ରଭୁ ନିଜର ଜନ୍ମବେଦୀକୁ ଧାଇଁ ଆସନ୍ତି, ତାଙ୍କ ମାଉସୀମା’ଙ୍କ ହାତରୁ ପୋଡ଼ପିଠା ଖଣ୍ଡେ ଖାଇବାକୁ । ସେ ଯୁଦ୍ଧକ୍ଷେତ୍ର ହେଉ ବା ବିଦ୍ୟାରମ୍ଭ ହେଉ, ସେ ବିବାହ ହେଉ ବା ବ୍ରତ ଘର ହେଉ ସବୁଠି ପ୍ରଭୁଙ୍କୁ ନିମନ୍ତ୍ରଣ ହୋଇଥାଏ ପ୍ରତିଟି ଓଡ଼ିଆଙ୍କର ମୁରବି ଭଳି । ଏକଥା ନିଶ୍ଚିତ ସତ୍ୟ ଯେ ପ୍ରଭୁ ଜଗନ୍ନାଥଙ୍କୁ କୋଳରେ ଧରି ଏ ଓଡ଼ିଶା ମାଟି କେବେ ଦରିଦ୍ର ହୋଇ ପାରେନା । କେବେ ଭୟଙ୍କର ମହାମାରୀର ଆକ୍ରୋଶର ଶୀକାର ହୋଇପାରେନା । ଏଠି ରଜା ପ୍ରଜା ସବୁ ସମାନ । ଏଠି ରଥଯାତ୍ରାରେ ଉକ୍ରଳର ଗଜପତି ରାଜା ମଧ୍ୟ ଝାଡ଼ୁ ଧରି ଝାଡ଼ୁଦାର ବେଶରେ ଛେରା ପହଁରା କରନ୍ତି । ରାଜସିଂହାସନର ମୋହ ଆଉ କ୍ଷମତାର ମୋହ ପୁରୀ ଗଜପତି ରାଜାଙ୍କୁ ଆଦୌ ସ୍ପର୍ଶ କରି ପାରେନି । ରାଜାପ୍ରଜା ଏଠି ସଭିଏଁ ସମାନ । ସେ ପ୍ରଭୁ ପୁଣି ବିଶ୍ୱପ୍ରେମରେ ପାଗଳ । ଭକ୍ତର ଆତୁର ବେଦନାସିକ୍ତ ଭାବକୁ ବୁଝି ପ୍ରତି ମୁହୂର୍ତ୍ତରେ ଦୁଃଖ ମୋଚନ ପାଇଁ ବିପତ୍ତିରୁ ଉଦ୍ଧାର ପାଇଁ ଦୌଡ଼ି ଆସନ୍ତି । ସେ ଆଉ କେହି ନୁହଁନ୍ତି, ମୋ’ ପ୍ରଭୁ ଜଗନ୍ନାଥ । ସେ ସାଧାରଣ ମଣିଷକୁ ଚେତାଇ ଦିଅନ୍ତି ପ୍ରତି ମୁହୂର୍ତ୍ତରେ ଯେ, ମଣିଷ ବଡ଼ ନୁହେଁ । ମଣିଷ ପଣିଆ ବଡ଼, ଜାତି ବଡ଼ ନୁହେଁ, ଜଗତ ବଡ଼ । ପ୍ରଭୁ ଚାହାନ୍ତି ଆଜିର ସ୍ୱାର୍ଥପର ମଣିଷ ତାର ଆତ୍ମଘାତୀ ଚିନ୍ତାଧାରାକୁ ପରିତ୍ୟାଗ କରି ନିଜର ଦୃଢ଼ ଇଚ୍ଛା, ଶାରୀରିକ ଶକ୍ତିକୁ ପ୍ରୟୋଗ କରି ନିଜ ଭିତରେ ସତ୍ ଚିନ୍ତା, ସତ୍ଚେଷ୍ଟା, ସତ୍ କର୍ମ, ସଦ୍ଭାବନା ଉଦ୍ରେକ କରି ଆତ୍ମାର ସନ୍ଧାନ କରିବ, ଯାହା ଆଧ୍ୟାତ୍ମିକ ଚେତନାର ମୂଳଭିତ୍ତି ହେବ । ହାତ ନ ଥାଇ ଯିଏ ହାତ ବଢେ଼ଇ ନଡ଼ିଆ ନିଏ ଦାସିଆଠୁ, ଗୋଡ଼ ନ ଥାଇ ଯିଏ ଚାଲି ଚାଲି ଆସି ଭକ୍ତ ବଳରାମଙ୍କ ଦ୍ୱାରା ନିର୍ମିତ ହୋଇଥିବା ବାଲି ରଥରେ ବସିଯାଆନ୍ତି, ପୁଣି ପାଟି ନ ଥାଇ ଯିଏ କଥା କହନ୍ତି, ପୁଣି କାନ ନ ଥାଇ ଯିଏ ଲକ୍ଷେ ଯୋଜନର ଗଜ, ମୃଗୁଣୀ, ଦ୍ରେୀପଦୀଙ୍କ ବିକଳ ସହି ନ ପାରି କଷ୍ଟ ନିବାରଣ କରନ୍ତି, ନାକ ନଥାଇ ମଲ୍ଲୀ, ହେନା, ଚମ୍ପାର ସୁଗନ୍ଧ ବାରିପାରନ୍ତି, ପାଟି ନ ଥାଇ ଷାଠିଏ ପଉଟି ଖାଦ୍ୟ ଖାଆନ୍ତି; ସେ ଆଉ କେହି ନୁହଁନ୍ତି ସେ ପ୍ରଭୁ ଜଗନ୍ନାଥ ମୋ’ କାଳିଆ ସାଆନ୍ତ । ସେଥିପାଇଁ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ଲେଖିଥିଲେ -
“ପାଦ ନାହିଁ ସେ ଯେ ଗମନ କରଇ
କର୍ଣ୍ଣ ନାହିଁ ସବୁ ଶୁଣେ
ଚକ୍ଷୁ ନାହିଁ ତା’ର, ତିନିପୁର ଦିଶେ
ଜିହ୍ୱା ନାହିଁ ସ୍ୱାଦ ମଣେ ।”
ବଡ଼ ମନୁଆ ଠାକୁର ସେ । ଖୋଜନ୍ତି ଖାଲି ଭକ୍ତିଭାବନା, ନିରଳସ ପ୍ରେମ, ଛଳନାହୀନ ଭଲ ପାଇବା । ସେ ପ୍ରେମ ଭୌତିକ ନୁହେଁ, ଚିର ଅମଳିନ ଚିର ଶାଶ୍ୱତ, ଚିର ଜାଗ୍ରତ ।
ଯୁଗେ ଯୁଗେ ମୋ’ ପ୍ରଭୁ ଭକ୍ତର । କେତେବେଳେ ବନ୍ଧୁ ମହାନ୍ତିଙ୍କୁ ଭୋଗଥାଳି ଟେକି ଆନନ୍ଦ ପାଇଛନ୍ତି ତ ପୁଣି କେତେବେଳେ ବିଦୁରର ଶାଗ ଭଜା ଖାଇ ଅପାର ଆନନ୍ଦ ଲାଭ କରିଛନ୍ତି । ସେଦିନ ସୁଦାମାର ଖୁଦଭଜା ପ୍ରଭୁଙ୍କୁ ଲାଗିଥିଲା ଅମୃତ । ଶବରୀର ଅଇଁଠା କୋଳି ପ୍ରଭୁଙ୍କୁ ଦୁର୍ଲଭ । ପ୍ରଭୁ ମହଣ ମହଣ ଘିଅ, ଅମୃତ, ଭୋଗ, ରାଗ, ସୁଗନ୍ଧିତ ପୁଷ୍ପ କିଛି ଲୋଡ଼ନ୍ତି ନାହିଁ । ଖୋଜନ୍ତି ଖାଲି ସ୍ୱଚ୍ଛ, ନିର୍ମଳ, କଳୁଷହୀନ ଛଳନାହୀନ ହୃଦୟଟିଏ ।
ମାନବୀୟ ଲୀଳା ପୁଣି ରଚନ୍ତି ମୋ’ ପ୍ରଭୁ ଜଗନ୍ନାଥ । ୧୦୮ ଗରା ସୁବାସିତ ଜଳରେ ସ୍ନାନ କରି ସାଧାରଣ ଲୋକ ପରି ଜ୍ୱରରେ ପୀଡ଼ିତ ହୋଇ ଅଣସର ଘରେ ୧୫ ଦିନ ଦିବ୍ୟ ଚେରମୂଳି ଚିକିତ୍ସା ପରେ ସୁସ୍ଥ ହୋଇ ରତ୍ନ ସିଂହାସନରେ ବସି ନବଯୌବନ ବେଶରେ ଭକ୍ତଙ୍କୁ ଦର୍ଶନ ଦିଅନ୍ତି ।
ସେ ତ ସ୍ୱୟଂ ଏକ ଇତିହାସ । ତାଙ୍କୁ ଲେଖନୀରେ ପ୍ରକାଶ କରିବା ଏତେ ସହଜ ନୁହେଁ । ସମଗ୍ର ମାନବ ସଭ୍ୟତାକୁ ଧ୍ୱଂସ କରିବା ପାଇଁ ଆଜିର ଆଧୁନିକ ମଣିଷ ଯେଉଁ ଯୁଦ୍ଧଖୋର ମନୋବୃତ୍ତି ଆପଣେଇ ଯୁଦ୍ଧରେ ମାତିଛି, ଏହା ମାନବ ସଭ୍ୟତାକୁ ଧ୍ୱଂସ କରିଦେଇପାରେ । ସମୟ ଆସିଛି ସବୁ ଭେଦଭାବ, ଅହଙ୍କାର ଭୁଲି ସମଗ୍ର ମାନବ ଜାତିକୁ ଭଲ ପାଇବାକୁ ହେବ, ପ୍ରଭୁଙ୍କ ଇଚ୍ଛାକୁ ସମ୍ମାନ ଦେବାକୁ ହେବ । ଏଇଠି ପ୍ରତ୍ୟେକ ଓଡ଼ିଆଙ୍କୁ ଗୋଟିଏ ପ୍ରଶ୍ନ ଆନ୍ଦୋଳିତ କରୁଛି ଯେ, ଏତେ ପ୍ରାକୃତିକ ସମ୍ପଦରେ ଓଡ଼ିଶା ଭରପୁର ଥିବା ବେଳେ ପୁଣି ଓଡ଼ିଆ ଭାଷା ଶାସ୍ତ୍ରୀୟ ମାନ୍ୟତା ପାଇଥିବା ବେଳେ ତଥାପି ଓଡ଼ିଶା ଆଜି ଗରିବ କାହିଁକି? ଯଦି ଓଡ଼ିଶା ଧନୀ, ତେବେ ଓଡ଼ିଆ ଗରିବ କାହିଁକି? କାହିଁକି ଆଜି ଓଡ଼ିଶାର ପ୍ରଗତି ପରାହତ? ବିକାଶର ସୂଚ୍ୟାଙ୍କରେ ଓଡ଼ିଶା ଅନୁନ୍ନତ କାହିଁକି? ଏ ପ୍ରକାର ହୀନମନ୍ୟତା କାହିଁକି? ଓଡ଼ିଶାର ସ୍ୱର ପ୍ରଖର ହେଉନି କାହିଁକି? ହଁ, ପାଠକ ବନ୍ଧୁ; ଆମେ ଚାହିଁଲେ ପ୍ରଭୁ ଜଗନ୍ନାଥଙ୍କୁ ଧରି ପ୍ରତ୍ୟେକଟି ସମସ୍ୟାର ସମାଧାନ କରି ଓଡ଼ିଶାକୁ ପ୍ରଗତି ପଥରେ ନିଶ୍ଚିତ ଆଗେଇ ନେଇ ପାରିବା ।
ବର୍ଣ୍ଣାଢ୍ୟ ସମୃଦ୍ଧମୟ ଦେଶ ଗଢ଼ିବା ପାଇଁ ଯୁଦ୍ଧଖୋର ମନୋବୃତ୍ତିକୁ ପରିତ୍ୟାଗ କରି ହିଂସାକୁ ତ୍ୟାଗ କରି ସମଗ୍ର ବିଶ୍ୱକୁ ଗୋଟିଏ ପରିବାର ଭାବି ଅହଂକାର ଶୂନ୍ୟ ହୋଇ ଯଦି ଆମେ ସମସ୍ତେ ବିଭିନ୍ନତା ମଧ୍ୟରେ ଏକତାକୁ ବଜାୟ ରଖି ପ୍ରଭୁଙ୍କ ପାଦପଦ୍ମରେ ନିଜକୁ ସମର୍ପଣ କରିବା ଓ ପ୍ରତିଯୋଗିତା ମନୋବୃତ୍ତିକୁ ତ୍ୟାଗ କରି ବିଶ୍ୱ ପ୍ରେମରେ ଉଦ୍ବୁଦ୍ଧ ହେବା ତେବେ ତାହାହିଁ ହେବ ଆମ ପ୍ରାଣର ଠାକୁର ପ୍ରଭୁ ଜଗନ୍ନାଥଙ୍କ ପ୍ରତି ପ୍ରକୃତ ପ୍ରେମ ଓ ଭକ୍ତି ।
ମୋ -୭୮୪୬୯୨୧୪୦୦