ଅସଲି ଡାକ୍ତରଙ୍କ ଘରୁ ଲୁଟିଲେ ନକଲି ଭିଜିଲାନ୍ସ ଟିମ୍
ସ୍ୱତନ୍ତ୍ର ପ୍ରତିନିଧି ଉକôଳ କେଶରୀ ପାହାଡସିଂ: ଜିଲ୍ଲାରେ ଅଭିନବ ଢଙ୍ଗରେ ଜଣେ ଡାକ୍ତରଙ୍କ ଘରୁ ଦିନ ଦ୍ୱିପ୍ରହରରେ ହୋଇଯାଇଛି ଲୁଟ୍ । ଡେରାବିଶ ଥାନା ଅଧୀନ ଓଲ୍ଡି ଅଞ୍ଚଳର ବାସିନ୍ଦା ଡାକ୍ତର ଜଳିଲ୍ ଅହମ୍ମଦଙ୍କ ବାସଗୃହରେ ଆଜି ଅପରାହ୍ନ ପ୍ରାୟ ତିନି ଘଟିକା ସମୟରେ ପହଞ୍ଚିଥିଲେ ୬ରୁ ୭ଜଣ ଦୁର୍ବୃତ୍ତ । ସେମାନେ ପ୍ରଥମେ ଘରର ମୁଖ୍ୟ ଫାଟକ ନିକଟରେ ପହଞ୍ଚି ନିଜକୁ ଭିଜିଲାନ୍ସ ଅଫିସର୍ କହି ଭୁବନେଶ୍ୱର ଅଫିସରୁ ଆସିଛୁ ବୋଲି ପରିଚୟ ଦେଇଥିଲେ । ହଠାତ୍ ଭିଜିଲାନ୍ସ ଅଧିକାରୀଙ୍କ କଥା ଶୁଣି ବାରାଣ୍ଡାରାରେ ବସିଥିବା ଡାକ୍ତରଙ୍କ ମାଆ ହଡ଼ବଡ଼େଇ ଯାଇ ଫାଟକ ଖୋଲି ଦେଇଥିଲେ ଏବଂ ସେମାନଙ୍କୁ ଘର ଭିତର ସୋଫା ଉପରେ ଆସନ ଗ୍ରହଣ କରିବାକୁ କହିଥିଲେ । ତେବେ ଏତିକି ସମୟ ଭିତରେ ଚତୁରତାର ସହିତ ସେମାନେ ଗୃହର ମୁଖ୍ୟ ଫାଟକ ବନ୍ଦ କରି ଗୃହ ଭିତରେ ଲାଗିଥିବା ସିସି କ୍ୟାମ୍ୟାରାର ବନ୍ଦ କରିଦେଇଥିଲେ । ଡାକ୍ତରଙ୍କ ବାପା ସେମାନଙ୍କ ପରିଚୟ ପତ୍ର ମାଗିଥିଲେ ମଧ୍ୟ ସେମାନେ ଦେଇନଥିଲେ ଏବଂ କହିଥିଲେ ପ୍ରଥମେ ଆମ୍ଭକୁ ଆମ କାମ କରିବାକୁ ଦିଅ ତାପରେ ଆମେ ଆପଣଙ୍କୁ ଆମ ପରିଚୟ ପତ୍ର ଦେଲାପରେ ଆପଣଙ୍କ ଘର ଛାଡ଼ିବୁ । ଏହାପରେ ପରିବାର ଲୋକଙ୍କ ଠାରୁ ଆଲମାରୀ ଚାବି ଓ ଲକର ଚାବି ହାତେଇ ନେଇସାରିବା ପରେ ଲୁଟ୍ ପାଟ ଆରମ୍ଭ କରିଦେଇଥିଲେ । ଏହି ସମୟରେ ଉପର ମହଲାରେ ଥିବା ଡ଼ାକ୍ତର ଜଣଙ୍କ ତଳକୁ ଆସିବାପରେ ସେମାନଙ୍କ ପରିଚୟ ମାଗିଥିଲେ । ତେବେ ସେମାନେ ପରିଚୟ ଆମକୁ ନପଚାରି ଆପଣଙ୍କ ବାପାଙ୍କୁ ପଚାର ବୋଲି କହିଥିଲେ ଏବଂ ଘରର ସମସ୍ତ ସଦସ୍ୟଙ୍କୁ ଗୋଟିଏ ଘର ଭିତରେ ଭର୍ତ୍ତି କରି ବାହାରୁ ତାଲା ପକାଇଥିଲେ । ଏମିତି ତାଣ୍ଡବ ପ୍ରାୟ ଦୁଇ ଘଣ୍ଟା ଧରି ଚାଲିଥିବା ବେଳେ ଏହାର ତିଳେମାତ୍ର ସୁରାକ ପାଇନଥିଲେ ସ୍ଥାନୀୟ ପଡୋଶୀ । ଦୁବୃର୍ତ୍ତ ମାନେ ଲୁଟ୍ ପାଟ ସାରି ଚାଲିଯିବା ପରେ ଡାକ୍ତରଙ୍କ ପୁତୁରା ଘଟଣାସ୍ଥଳରେ ପହଞ୍ଚି ଡାକ୍ତରଙ୍କ ପରିବାର ସଦସ୍ୟ ମାନଙ୍କୁ ବନ୍ଦ ଘରୁ ଉଦ୍ଧାର କରିଥିଲେ । ତେବେ ଡେରାବିଶ ଥାନାରେ ହୋଇଥିବା ଅଭିଯୋଗ ଅନୁସାରେ ଆନୁମାନିକ ପାଖାପାଖି ଦେଢ଼ ଶହ ଗ୍ରାମ ସୁନା,୨ଲକ୍ଷ ଟଙ୍କା ଓ ତିନୋଟି ମୋବାଇଲ୍ ଲୁଟ୍ ହୋଇଛି । ଅଭିଯୋଗ ପାଇବା ପରେ ଡେରାବିଶ ପୁଲିସ ଦୁବୃର୍ତ୍ତ ମାନଙ୍କୁ ଧରିବାପାଇଁ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛି ।