ଗୁଣାତ୍ମକ ଶିକ୍ଷାକୁ ଗୁରୁତ୍ୱ ଦିଏ ଶିଶୁମନ୍ଦିର 

ଗୁଣାତ୍ମକ ଶିକ୍ଷାକୁ ଗୁରୁତ୍ୱ ଦିଏ ଶିଶୁମନ୍ଦିର 
  • ଦଶମ ପର୍ଯ୍ୟନ୍ତ ମାଗଣା ବହି

  • ଏନ୍‌ସିଇଆର୍‌ଟି ଢାଞ୍ଚାରେ ହେବ ଏସ୍‌ସିଇଆର୍‌ଟି


କେନ୍ଦୁଝର : ଭାରତୀୟ ସଂସ୍କୃତି ଓ ପରମ୍ପରାକୁ ମୂଳଭିତ୍ତି ରୂପରେ ଗ୍ରହଣ କରି ଶିକ୍ଷାଦାନ କରିଥାଏ ସରସ୍ୱତୀ ଶିଶୁ ମନ୍ଦିର । ଉତ୍ତମ ଶିକ୍ଷା ପରିବେଶ ଓ ଗୁଣାତ୍ମକମାନର ଶିକ୍ଷା ପ୍ରଦାନକୁ ଶିଶୁ ମନ୍ଦିର ଶିକ୍ଷା ପ୍ରଣାଳୀ ସବୁଠୁ ଅଧିକ ଗୁରୁତ୍ୱ ଦେଇଥାଏ ବୋଲି କେନ୍ଦୁଝରରେ ବଣିଆପାଟ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି । ବଣିଆପାଟ ଶିଶୁ ବିଦ୍ୟାମନ୍ଦିରର ବାର୍ଷିକ ଉତ୍ସବରେ ଯୋଗଦେବା ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଥିଲେ, ସମଗ୍ର ଓଡ଼ିଶାରେ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଶିକ୍ଷା କ୍ଷେତ୍ରରେ ଏକ ବୈପ୍ଲବିକ ପରିବର୍ତ୍ତନ ଆଣିପାରିଛି । ସେହି ପରିବର୍ତ୍ତନ ଧାରାକୁ ଅବ୍ୟାହତ ରଖିବା ଦିଗରେ ଏହି ଶିକ୍ଷାନୁଷ୍ଠାନର ଭୂମିକା କୌଣସି ମାତ୍ରାରେ କମ୍‌ ନୁହେଁ । ଯେତେବେଳେ ଦୂରଦୂରାନ୍ତ ଅଞ୍ଚଳରେ ସରକାରୀ ସ୍କୁଲ ନଥିଲା, ସେତେବେଳେ ଏହି ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ହିଁ ଓଡିଶାର ପିଲାଙ୍କ ଭିତରେ ଶିକ୍ଷାର ଆଲୋକ ବିକିରଣ କରି ଚାଲିଥିଲା । 


  ଆଜି ଯଦି ଆମେ ଶିକ୍ଷାର ମାନ ଉପରେ ତର୍ଜମା କରିବା, ତେବେ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ଶିକ୍ଷାର ମାନ ଅତ୍ୟନ୍ତ ଉଚ୍ଚକୋଟୀର । ଏହା ବିଦ୍ୟାର୍ଥୀଙ୍କୁ ଭାରତୀୟ ସଂସ୍କୃତି, ପରମ୍ପରା ବିଷୟରେ ଶିକ୍ଷାଦାନ କରିବା ସହିତ ଉତ୍ତମ ମଣିଷ ଗଠନ କରିବାରେ ଏକ ମହତ୍ତ୍ୱ ଭୂମିକା ଗ୍ରହଣ କରିଥାଏ । ଓଡିଶାରେ ଆମ ସରକାର ଦାୟିତ୍ୱଭାର ନେବା ପରେ ରାଜ୍ୟରେ ପିଲାମାନଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବା ପାଇଁ ପ୍ରଚଳିତ ଶିକ୍ଷା ବ୍ୟବସ୍ଥାରେ ଅନେକ ପରିବର୍ତ୍ତନ ଆଣିଛନ୍ତି। ଦକ୍ଷ ଶିକ୍ଷକ ନିଯୁକ୍ତି, ଶିକ୍ଷାଦାନ ପାଇଁ ଆବଶ୍ୟକୀୟ ଭିତ୍ତିଭୂମି ଓ ପରିବେଶ ଉପରେ ଗୁରୁତ୍ୱ ଦିଆଯାଉଛି । ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କ ଦିଗ୍‌ଦର୍ଶନରେ ଆମ ସରକାର ରାଜ୍ୟରେ ନୂତନ ଶିକ୍ଷାନୀତି-୨୦୨୦ ଲାଗୁ କରିଛନ୍ତି । ଏହି ନୂତନ ଶିକ୍ଷାନୀତି ଫଳରେ ବିଦ୍ୟାର୍ଥୀଙ୍କ ସାମଗ୍ରିକ ବିକାଶ ହେବା ସହ ସେମାନେ ଜୀବନରେ ଉତ୍ତମ ମଣିଷ ହେବେ। ଏଥିସହିତ ଜାତୀୟ ପାଠ୍ୟକ୍ରମ ଢାଞ୍ଚା ବା ଏନ୍‌ସିଏଫ୍‌ ଆଧାରରେ ଆମେ "ରାଜ୍ୟ ପାଠ୍ୟକ୍ରମ ଢାଞ୍ଚା" ଆରମ୍ଭ କରୁଛୁ। ଏହାଦ୍ୱାରା ଶିକ୍ଷାର୍ଥୀମାନେ ଅଧିକ ସୃଜନଶୀଳ ଏବଂ ସ୍ୱାବଲମ୍ବୀ ହେବେ। ଆସନ୍ତା ଶିକ୍ଷାବର୍ଷରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ସବୁ ପିଲାଙ୍କୁ ସରକାରଙ୍କ ତରଫରୁ ନିଃଶୁଳ୍କ ପୁସ୍ତକ ପ୍ରଦାନ କରାଯିବ । ପାଠ୍ୟ ପୁସ୍ତକରେ ଗୁଣାତ୍ମକ ମାନ ବୃଦ୍ଧି ପାଇଁ ଏନସିଇଆରଟି ଢାଞ୍ଚାରେ ଏସ୍‌ସିଇଆରଟିକୁ ବିକାଶ କରାଯିବ । ଉଚ୍ଚମାନର ପାଠ୍ୟକ୍ରମ ବିଶେଷଜ୍ଞଙ୍କ ଦ୍ୱାରା ପ୍ରସ୍ତୁତ କରିବା ପାଇଁ ସରକାର ସ୍ଥିର କରିଛନ୍ତି ।  


  ଓଡିଆ ଭାଷା ପରି ଆଦିବାସୀ ପିଲାଙ୍କୁ ନିଜ ଭାଷାରେ ଶିକ୍ଷା ପ୍ରଦାନ କରାଯିବା ଆବଶ୍ୟକ। ସରକାର ଏହି ଦିଗରେ ସାନ୍ତାଳି ଭାଷାରେ ଶିକ୍ଷାଦାନ ପାଇଁ ଆବଶ୍ୟକୀୟ ପଦକ୍ଷେପ ନେଉଛନ୍ତି। ମୋବାଇଲ ଇଣ୍ଟରନେଟ ସୂଚନା ଶିକ୍ଷା ପାଇଁ ଏକ ଅମୋଘ ଅସ୍ତ୍ର । ଏହା ସୂଚନାର ସୁନାଖଣି କହିଲେ ଅତ୍ୟୁକ୍ତି ହେବ ନାହିଁ । କିନ୍ତୁ, ଏହାର ଅନ୍ୟ ଏକ ଦିଗ ବି ଅଛି ଯାହାର ଲାଭ ପରିବର୍ତ୍ତେ କ୍ଷତି ଅଧିକ । ତେଣୁ, ଇଣ୍ଟରନେଟ ଏବଂ ସୋସିଆଲ ମିଡିଆକୁ ଦାୟିତ୍ୱପୂର୍ଣ୍ଣ ଭାବେ ବ୍ୟବହାର କରିବାକୁ ସେ ପରାମର୍ଶ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ସଂପାଦକ ଭାଗିରିଥି ଗିରି ସ୍ୱାଗତ ଭାଷଣ ଦେଇିଥବା ବେଳେ ତେଲକୋଇ ବିଧାୟକ ଡାକ୍ତର ଫକୀର ମୋହନ ନାୟକ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜାତୀୟ ବିଦ୍ୟାଭାରତୀର ସଂଗଠନ ମନ୍ତ୍ରୀ ଗୋବିନ୍ଦ ଚନ୍ଦ୍ର ମହାନ୍ତ, ସମାଜସେବୀ ତଥା ଜିଲ୍ଲା ବିଜେପି ସଭାପତି ଶୁକଦେବ ମହାନ୍ତ, ଇପିଏଫଓ କମିସନର ଗୌରବ ଚନ୍ଦ୍ର ମହାନ୍ତି, ଶିଶୁ ବିଦ୍ୟାମନ୍ଦିରର ସଭାପତି ପ୍ରଫେସର ଅନୀଲ କୁମାର ଦାଶ, ପ୍ରଧାନ ଆଚାର୍ଯ୍ୟ ଦୀନବନ୍ଧୁ ମହାକୁଡ ପ୍ରମୁଖ ଉପସ୍ଥିତ ଥିଲେ ।