ସରକାରୀ ପ୍ରେସ୍ ବନ୍ଦ ନ କରିବାକୁ ଦାବି

 ଦେବଗଡ଼: ଦେବଗଡ଼ ସହର ସ୍ଥିତ ସରକାରୀ ପ୍ରେସ୍ (ଛାପା ଖାନା)କୁ ବନ୍ଦ ନ କରିବାକୁ ଦେବଗଡ଼ ଜିଲ୍ଲା ନାଗରିକ କମିଟି ପକ୍ଷରୁ ଦାବି କରାଯାଇଛି । ଏ ନେଇ ସ୍ଥାନୀୟ ସେଣ୍ଟର ଫର୍ କଲଚର୍ ପ୍ରାଙ୍ଗଣରେ ନାଗରିକ କମିଟିର ସଭାପତି ସୁଶୀଲ କୁମାର କପରଦାରଙ୍କ ସଭାପତିତ୍ୱରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ପ୍ରକାଶ ଯେ, ଏହି ପ୍ରେସ୍ଟି ରାଜା ସାର ବାସୁଦେବ ସୁଢଳଦେବଙ୍କ ଦ୍ୱାରା ୧୮୮୬ମସିହାରେ ସ୍ଥାପିତ ହୋଇଥିଲା । ଜଗନ୍ନାଥ ବଲ୍ଲଭ ପ୍ରେସ୍ ନାମରେ ଏହା ପ୍ରସିଦ୍ଧ ଥିଲା । ଏହି ପ୍ରେସରୁ ସମ୍ବଲପୁର ହିତୈଷିଣୀ ଭଳି ସମ୍ବାଦପତ୍ର ତଥା ଅନେକ ଐତିହାସିକ ପୁସ୍ତକ ରେଗୁଲାର ଭାବରେ ମୁଦ୍ରିତ ହେଉଥିଲା । ସୁନାମଧନ୍ୟ ସାହିତି୍ୟକ ନୀଳମଣି ବିଦ୍ୟାରନô, କବିବର ରାଧାନାଥ ରାୟ ତଥା ଗଙ୍ଗାଧର ମେହେରଙ୍କ ଭଳି ପ୍ରସିଦ୍ଧ ଲେଖକ ଓ କବିମାନଙ୍କ ଲେଖା ମଧ୍ୟ ଏହି ପ୍ରେସରୁ ବହାରିଛି । ପରବର୍ତ୍ତୀ ସମୟରେ ଏହା ରାଜ୍ୟ ସରକାରଙ୍କ ଅଧୀନରେ ରହିଥିଲା । ଏବଂ ପଶ୍ଚିମ ଓଡିଶାରେ ଥିବା କାର୍ଯ୍ୟାଳୟଗୁଡିକ ନିମନ୍ତେ ବିଭିନ୍ନ ସରକାରୀ କାଗଜ, ଫର୍ମ ଓ ଲଫାପା ଆଦି ଯୋଗାଉଥିଲା । ଏଭଳି କ୍ଷେତ୍ରରେ ଏହି ଐତିହାସକ ପ୍ରେସ୍କୁ ବନ୍ଦ କରିଦେବାକୁ ସରକାର ମସୁଧା କରୁଥିବା ସ୍ଥାନୀୟ ଲୋକ ଆଶଙ୍କା କରୁଛନ୍ତି । ଏଣୁ ଏହି ସରକାରୀ ପ୍ରେସକୁ  ବନ୍ଦ ନ କରିବାକୁ ଦାବି କରାଯାଇଛି । ସଭା ଆରମ୍ଭରେ ଭାରପ୍ରାପ୍ତ ନଗରପାଳ ଶ୍ରୀ ପ୍ରଜିତ କୁମାର ଭୋଜଙ୍କୁ ସଭାର୍ଦ୍ଧିତ କରାଯାଇଥିଲା । ଏହା ବ୍ୟତୀତ ଦେବଗଡ଼ ପୌରାଞ୍ଚଳରେ ବର୍ଦ୍ଧିତ ହୋର୍ଲ୍ଡିଂ ଟାକ୍ସକୁ ଉଚ୍ଛେଦ କରିବା ପାଇଁ ପୁନଃ ଦାବି କରାଯାଇଛି । ବିମଳାଗଡ -ତାଳଚେର ରେଳ ଲାଇନ ନିର୍ମାଣ କାର୍ଯ୍ୟକୁ ତ୍ୱରାନ୍ୱିତ କରାଇବା ତଥା ବାରକୋଟ -ଝାରସୁଗୁଡା ରେଳ ଲାଇନ କାର୍ଯ୍ୟକୁ ମଧ୍ୟ ଆଗେଇ ନେବାପାଇଁ ଦାବି କରାଯାଇଥିଲା । ଏହା ବ୍ୟତୀତ ସ୍ମାର୍ଟ ମିଟର ବ୍ୟବହାରକୁ ମଧ୍ୟ ବିରୋଧ କରାଯାଇଛି । ଏହି ବୈଠକରେ ସାମ୍ବାଦିକ ଶଶାଙ୍କ ଶେଖର ଝାଙ୍କର, ସାମ୍ବାଦିକ ସତ୍ୟନାରାୟଣ ମିଶ୍ର, ଆଇନଜ୍ଞ ମନୋଜ କୁମାର ପାଢ଼ୀ, ଭାରପ୍ରାପ୍ତ ନଗରପାଳ ପ୍ରଜିତ କୁମାର ଭୋଜ, ଆଇନଜ୍ଞ ପ୍ରୀତି ପାରମିତା ବେହେରା, ସୁଧୀର କପରଦାର, ମଞ୍ଜୁଳ ନାଏକ, କୁମୁଦ ଶତପଥି, ସୁଦାମ ବୁଡ଼ା, ବିଜୟ ପ୍ରଧାନ ତଥା ଅନେକ କର୍ମକର୍ତ୍ତା ଉପସ୍ଥିତ ଥାଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।