ଗୁରୁ ରବିଶଙ୍କରଙ୍କ ଜୟନ୍ତୀ 

 ବାରଙ୍ଗ : ସ୍ଥାନୀୟ ବିଦ୍ୟାଧରପୁର-ଗୋଡ଼ିସାହି ସ୍ଥିତ ଶ୍ରୀଶ୍ରୀ ବିଶ୍ୱବିଦ୍ୟାଳୟ ପରିସରରେ ଆଧ୍ୟାତ୍ମିକ ଗୁରୁ ଶ୍ରୀ ଶ୍ରୀ ରବିଶଙ୍କର ଜୀ’ଙ୍କ ୬୯ତମ ଜନ୍ମଦିବସ ସମ୍ପୂର୍ଣ୍ଣ ନିରାଡମ୍ବର ଭାବରେ ପାଳିତ ହୋଇଯାଇଛି । ଏହି ଦିନଟିକୁ ସମଗ୍ର ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଓ ବିଦ୍ୟାର୍ଥୀମାନଙ୍କ ପକ୍ଷରୁ ‘ସେବା ଦିବସ’ ଭାବରେ ପାଳନ କରାଯାଇଥିଲା । ଦିବସର ନାମକୁ ସାର୍ଥକ କରିବାକୁ ଯାଇ ଛାତ୍ର କଲ୍ୟାଣ ବିଭାଗ ପକ୍ଷରୁ ପଣା ଓ ଲେମ୍ବୁ ସର୍ବତ ବିତରଣ କରାଯାଇଥିଲା । ଶ୍ରୀ ଶ୍ରୀ କଲେଜ ଅଫ୍ ନର୍ସିଂ ପକ୍ଷରୁ ଜଳଛତ୍ର ଖୋଲି ପଥଚାରୀଙ୍କୁ ସେବା ଯୋଗାଇଥିଲେ । ଏଥିସହ ବିଶ୍ୱବିଦ୍ୟାଳୟର ସ୍ୱାସ୍ଥ୍ୟ ଓ ସୁସ୍ଥତା ବିଭାଗ ପକ୍ଷରୁ ନିକଟସ୍ଥ ଗ୍ରାମଗୁଡ଼ିକରେ ଅଷ୍ଟିଓପାଥି ଚିକିତ୍ସାସେବା ଉପଲବ୍ଧ କରାଯାଇଥିବାବେଳେ କୃଷି ବିଭାଗ ପକ୍ଷରୁ ଜରାଶ୍ରମମାନଙ୍କରେ ଅନ୍ତେବାସୀଙ୍କୁ ଖାଦ୍ୟ ବଣ୍ଟନ କରାଯାଇଥିଲା । ଏଥିସହିତ  କଟକ ଜିଲ୍ଲା ଆଠଗଡ଼ ତହସିଲ ଅନ୍ତର୍ଗତ ଧୁରୁଷିଅ ଗ୍ରାମରେ ନୂଆଦିଲ୍ଲୀ ସ୍ଥିତ ଭାରତୀୟ ଚିକିତ୍ସା ପଦ୍ଧତି ରାଷ୍ଟ୍ରୀୟ ଆୟୋଗ ନିଦେ୍ର୍ଦଶରେ ଶ୍ରୀଶ୍ରୀ ଆୟୁର୍ବେଦ ମହାବିଦ୍ୟାଳୟ ଓ ଗବେଷଣା ଚିକିତ୍ସାଳୟ ପକ୍ଷରୁ ଏକ ମେଗା ସ୍ୱାସ୍ଥ୍ୟ ଶିବିର  ଆୟୋଜନ କରାଯାଇଥିଲା । ଏଥିରେ ଆଠଗଡ଼ ବିଡିଓ ଆକାଶ ପଣ୍ଡା, ଏବିଡିଓ ନବ କଟକିଆ ପ୍ରମୁଖ ଯୋଗ ଦେଇଥିଲେ ।