ସୋନପୁର ମହାବିଦ୍ୟାଳୟକୁ ସରକାରୀ ମାନ୍ୟତା ଦାବି : ମୁଖ୍ୟମନ୍ତ୍ରୀଙ୍କୁ ଆଲୁମିନୀ ଅସୋସିଏସନର ଦାବିପତ୍ର

 ସୋନପୁର : ମୁଖ୍ୟମନ୍ତ୍ରୀଙ୍କ ସୁବର୍ଣ୍ଣପୁର ଗସ୍ତ ଅବସରରେ ସୋନପୁର ମହାବିଦ୍ୟାଳୟ ଆଲୁମିନୀ ଆସୋସିଏସନ ପକ୍ଷରୁ କଲେଜକୁ ସରକାରୀ ମାନ୍ୟତା ପ୍ରଦାନ ଦାବିରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଆସୋସିଏସନର ସଭାପତି ପ୍ରଫୁଲ୍ଲ କୁମାର ରଥ ଏବଂ ସଂପାଦକ ଭାରତ ଭୁଷଣ ଦାଶଙ୍କ ନେତୃତ୍ୱରେ ଏକ ୭ ଜଣିଆ ପ୍ରତିନିଧି ଦଳ ଏ ନେଇ ସର୍କିଟ ହାଉସ ଠାରେ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ । ପରେ ମୁଖ୍ୟମନ୍ତ୍ରୀଙ୍କ ସାଧାରଣ ସଭାରେ ସାଂସଦ ସଙ୍ଗୀତା କୁମାରୀ ସିଂଦେଓ ଏବଂ ବିଧାୟକ ରଘୁନାଥ ଜଗଦଲା ମଧ୍ୟ ତାଙ୍କ ବକ୍ତବ୍ୟରେ କଲେଜକୁ ସରକାରୀ ମାନ୍ୟତା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । 
ସୂଚନାଯୋଗ୍ୟ, ସୋନପୁର ମହାବିଦ୍ୟାଳୟ ୧୯୬୪ ମସିହାରୁ ସ୍ଥାପିତ ହୋଇଥିଲେ ସୁଦ୍ଧା ଅଦ୍ୟାବଧି ସରକାରୀ ମାନ୍ୟତା ପାଇ ପାରିନାହିଁ । ଜିଲ୍ଲାର ସର୍ବପୁରାତନ ସୋନପୁର ମହାବିଦ୍ୟାଳୟ ରାଜ୍ୟ ସରକାରଙ୍କ ଦୃଷ୍ଟି ଆଢୁଆଳରେ ରହିଯାଇଛି । ବର୍ତ୍ତମାନ ମହା ବିଦ୍ୟାଳୟରେ ଯୁକ୍ତ ୨ ଓ ଯୁକ୍ତ ୩ ପର୍ଯ୍ୟନ୍ତ କଳା, ବିଜ୍ଞାନ ଓ ବାଣିଜ୍ୟ ବିଭାଗରେ ମୋଟ ୨୩୦୦ ଜଣ ଛାତ୍ରଛାତ୍ରୀ ଅଧ୍ୟୟନରତ ଅଛନ୍ତି । ମହାନଦୀ କୂଳସ୍ଥିତ ଏକ ସବୁଜିମା ମନୋରମ ପରିବେଶରେ ୧୯୬୪ ମସିହାରେ ସ୍ଥାପିତ ହୋଇ ମହାବିଦ୍ୟାଳୟଟି ଜିଲ୍ଲା ତଥା ପଡୋଶୀ ଜିଲ୍ଲାର ଛାତ୍ରଛାତ୍ରୀଙ୍କୁ ନିରନ୍ତର ଗୁଣାତ୍ମକ ଶିକ୍ଷା ପ୍ରଦାନ କରି ଆସୁଅଛି । ଅନେକ ସୁନାମ ଅର୍ଜନ କରିଥିବା ଏହି ମହାବିଦ୍ୟାଳୟଟି ବିଭିନ୍ନ କ୍ଷେତ୍ରରେ ଆଜି ସୁଦ୍ଧା ବହୁ ପ୍ରତିଷ୍ଠିତ ଏଠାରୁ ପ୍ରଶାସନିକ ଅଧିକାରୀ, ବୈଜ୍ଞାନିକ, ଡାକ୍ତର,  ଯନ୍ତ୍ରୀ, ଲୋକ ପ୍ରତିନିଧି ସୁନାମଧନ୍ୟ ମେଧାବୀ ସୃଷ୍ଟି କରିପାରିଛି । ୨୦୧୬ ମସିହା ରାଷ୍ଟ୍ରୀୟ ମୂଲ୍ୟାଙ୍କନ ଏବଂ ପ୍ରତ୍ୟାୟନ ପରିଷଦ ଅନୁସାରେ ମହାବିଦ୍ୟାଳୟଟି ବି ଗ୍ରେଡ଼୍ ମାନ୍ୟତା ଲାଭ କରିଥିଲା । ସରକାରୀ ମାନ୍ୟତାର ଦୃଢ଼ ଦାବିଦାର ପାଇଁ ୧୦ ଏକରରୁ ଊର୍ଦ୍ଧ୍ୱ ପରିମିତ ଜମିରେ ସ୍ଥାପିତ ଏହି ମହାବିଦ୍ୟାଳୟର ଆବଶ୍ୟକୀୟ ଭିତ୍ତିଭୂମି ମହାବିଦ୍ୟାଳୟର ରହିଥିବା ପ୍ରକାଶ କରିଛି ଆଲୁମିନୀ ସଂଘ ।