ଗୋଦାବରୀଶ ଆଦର୍ଶ ବିଦ୍ୟାଳୟ ପ୍ରତିଷ୍ଠାକୁ ନେଇ ବିବାଦ: ସ୍ଥିତି ପରିଖିଲେ ତଦନ୍ତକାରୀ ଦଳ
ବୈଶିଙ୍ଗା : ବୈଶିଙ୍ଗା ଥାନା କଳମା ପଞ୍ଚାୟତର ଗୋବିନ୍ଦରାୟପୁର ପ୍ରାଥମିକ ବିଦ୍ୟାଳୟରେ ନୂତନ ସରକାରଙ୍କ ନୂତନ ଯୋଜନା ଅନୁଯାୟୀ ଗୋଦାବରୀଶ ଆଦର୍ଶ ବିଦ୍ୟାଳୟ ଖୋଲିବା ନିମନ୍ତେ ସମସ୍ତ ନିଷ୍ପତ୍ତି ସରିବା ପରେ ଗ୍ରାମବାସୀ ବହୁତ ଆନନ୍ଦିତ ହୋଇ ଉଠିଥିଲେ । ମାତ୍ର ପରେ ସ୍ଥାନୀୟ ବିଧାୟକଙ୍କ ହସ୍ତକ୍ଷେପ ଯୋଗୁ ଉକ୍ତ ବିଦ୍ୟାଳୟ କଳମା ପ୍ରାଥମିକ ବିଦ୍ୟାଳୟକୁ ସ୍ଥାନାନ୍ତରିତ ହେବା ଯୋଗୁ ଗୋବିନ୍ଦରାୟପୁର ଗ୍ରାମରେ ଅଶାନ୍ତିର ବାତାବରଣ ସୃଷ୍ଟି ହୋଇଥିଲା । ଉକ୍ତ ଗ୍ରାମରେ ସଂଖ୍ୟାଲଘୁ ସମ୍ପ୍ରଦାୟର ଲୋକମାନେ ବସବାସ କରୁଥିବାବେଳେ ଏହି ବିଦ୍ୟାଳୟ ସେମାନଙ୍କ ଗ୍ରାମର ୫ କିମି ଦୂରରେ ଅବସ୍ଥିତ ଥିବାରୁ ପିଲାମାନେ ନିଜ ଗ୍ରାମରେ ଏହି ଆଦର୍ଶ ଶିକ୍ଷା ପାଇବେ ବୋଲି ଆଶା ବାନ୍ଧିଥିଲେ । ମାତ୍ର ଏହି ଆଶା ସେମାନଙ୍କର ମଉଳିଯିବା ଯୋଗୁଁ ଅଞ୍ଚଳବାସୀ ପ୍ରାକ୍ତନ ବିଧାୟକ ଗଣେଶ୍ୱର ପାତ୍ରଙ୍କ ନେତୃତ୍ୱରେ ଶିକ୍ଷାବିଭାଗ ସମେତ ଜିଲ୍ଲାପାଳଙ୍କୁ ସାକ୍ଷାତ କରି ଲିଖିତ ଅଭିଯୋଗ ପ୍ରଦାନ କରିଥିଲେ । ଏହି ଅଭିଯୋଗ ମୂଳେ ତାଙ୍କ ବିଦ୍ୟାଳୟରେ ଗୋଦାବରୀଶ ଆଦର୍ଶ ବିଦ୍ୟାଳୟ ପ୍ରତିଷ୍ଠା ନିମନ୍ତେ ଯେଉଁ ଗାଇଡ଼ ଲାଇନ ରହିଛି ଏହି ବିଦ୍ୟାଳୟ ପୂରଣ କରିବାରେ ସକ୍ଷମ ବୋଲି ଗ୍ରାମବାସୀ ଜିଲ୍ଲାପାଳଙ୍କୁ ଅବଗତ କରିଥିଲେ ।ଏହି ଅଭିଯୋଗ ଅନୁଯାୟୀ ଗତ ଶୁକ୍ରବାର ଏକ ପ୍ରତିନିଧି ଦଳ ଗୋବିନ୍ଦରାୟପୁର ଗ୍ରାମରେ ପହଞ୍ଚିଥିଲେ ।ଏହି ଦଳରେ ଜିଲ୍ଲା ଅତିରକ୍ତ ଶିକ୍ଷାଧିକାରୀ ବିନୋଦ ସିଂ, ବେତନଟୀ ଅତିରିକ୍ତ ତହସିଲଦାର ଈଶ୍ୱର ରଣା ପ୍ରମୁଖ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଭବେଶ ଚନ୍ଦ୍ର ପାଣିଗ୍ରାହୀ, ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ସେକ ଆଜିମ ପ୍ରମୁଖଙ୍କୁ ସାକ୍ଷାତ କରି ବିଦ୍ୟାଳୟର ଭିତ୍ତିଭୂମି, ପିଲାସଂଖ୍ୟା, ଖେଳପଡିଆ, ପାନୀୟ ଜଳର ସୁବିଧା, ଶିକ୍ଷକ ସଂଖ୍ୟା, ଶ୍ରେଣୀ ଗୃହ ଇତ୍ୟାଦି ତଦାରଖ କରିଥିଲେ । ଏହି ପ୍ରତିନିଧିଦଳ ତଦନ୍ତ ରିପୋର୍ଟ ଜିଲ୍ଲା ଶିକ୍ଷା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ସେଠୀ ଓ ଜିଲ୍ଲାପାଳ ହେମକାନ୍ତ ସୟଙ୍କୁ ପ୍ରଦାନ କରିବେ ବୋଲି ଜଣାଯାଇଛି ।