ଗୋଶାଳା ଖୋଲିବା ପାଇଁ ଦାବିପତ୍ର
ନିଶ୍ଚିନ୍ତକୋଇଲି, ୨୨ା୯ : ନିଶ୍ଚିନ୍ତକୋଇଲି ଅଞ୍ଚଳରେ ଏକ ନୂତନ ଗୋଶାଳା ଖୋଲିବା ନିମନ୍ତେ ଏ ଅଞ୍ଚଳର ବହୁ ବୁଦ୍ଧିଜୀବୀ ଓ ସାମାଜିକ କର୍ମୀମାନେ ରାଜ୍ୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ତହସିଲଦାରଙ୍କ ମାଧ୍ୟମରେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ଏହାସହିତ ମାହାଙ୍ଗା ବିଧାୟକ ଶାରଦା ପ୍ରସାଦ ପ୍ରଧାନ ଓ ନିଶ୍ଚିନ୍ତକୋଇଲି ବିଡିଓଙ୍କୁ ମଧ୍ୟ ଏହି ଦାବିପତ୍ରର ନକଲ ପ୍ରଦାନ କରାଯାଇଛି । ନିଶ୍ଚିନ୍ତକୋଇଲି ବ୍ଲକ ଅଞ୍ଚଳ ଏକ କୃଷି ଭିତ୍ତିକ ଅଞ୍ଚଳ ହୋଇଥିବାରୁ ଚାଷୀମାନଙ୍କର ସମୃଦ୍ଧି ଓ ପ୍ରଗତୀ ପାଇଁ ଏକ ଆଦର୍ଶ ଗୋଶାଳାର ଆବଶ୍ୟକତା ରହିଛି । ଏହି ଅଞ୍ଚଳରେ ବହୁ ବୁଲାଷଣ୍ଢ ଓ ଗୋରୁଗାଇଙ୍କର ପ୍ରାର୍ଦୁଭାବରେ ବିଭିନ୍ନ ସମୟରେ ବିଭିନ୍ନ ଫସଲ ନଷ୍ଟ ହେଉଥିବାର ଦେଖାଯାଇଛି । ଯାହାଦ୍ୱାରା ଚାଷୀମାନେ ଏହି ବୁଲା ଗୋରୁଗାଈ ଓ ଷଣ୍ଢମାନଙ୍କ ଦ୍ୱାରା କ୍ଷତିିଗ୍ରସ୍ତ ହେଉଛନ୍ତି । ଏହାଛଡା ରାସ୍ତାଘାଟରେ ବୁଲୁଥିବା ଷଣ୍ଢ ଗୁଡିକ ଅନେକ ସମୟରେ ବାଇକ୍ ଆରୋହୀମାନଙ୍କୁ ଦୁର୍ଘଟଣାରେ ପକାଉଛନ୍ତି । ବହୁ ଷଣ୍ଢ ରାସ୍ତାରେ ବୁଲୁଥିଲା ବେଳେ ସେମାନେ ମଧ୍ୟ ଦୁର୍ଘଟଣାଗ୍ରସ୍ତ ହୋଇ ମୃତ୍ୟୁବରଣ କରୁଥିବାବେଳେ ସେମାନଙ୍କର ମଲାଦେହ ରାସ୍ତାରେ ପଡି ପଚିସଢି ପରିବେଶ ଦୂଷିତ କରୁଛି । ଏବଂ ଆହତ ଷଣ୍ଢମାନେ ସଠିକ୍ ସରକାରୀ ଚିକିତ୍ସା ନ ପାଇ ଅସହାୟ ଅବସ୍ଥାରେ କଷ୍ଟ ଯନ୍ତ୍ରଣାରେ ଦୀର୍ଘ ଦିନ ପଡି ରହୁଛନ୍ତି । ଓଡିଶା ସରକାରଙ୍କ ପକ୍ଷରୁ ବୁଲା ଗୋରୁଗାଈମାନଙ୍କୁ ଥଇଥାନ କରିବା ପାଇଁ ଆଦର୍ଶ ଗୋଶାଳା ନିର୍ମାଣ କରିବା ନିମନ୍ତେ ଯେଉଁ ସ୍ୱାଗତଯୋଗ୍ୟ ପଦକ୍ଷେପ ନିଆଯାଇଛି ତାହା ପ୍ରକୃତରେ ପ୍ରଶଂସନୀୟ । ଏହି ଅବସରରେ ନିଶ୍ଚିନ୍ତକୋଇଲି ଅଞ୍ଚଳରେ ଏକ ଆଦର୍ଶ ଗୋଶାଳା ଖୋଲାଗଲେ ଏଥିରେ ମାହାଙ୍ଗା, ସାଲେପୁର, ନିଶ୍ଚିନ୍ତକୋଇଲି, ଟାଙ୍ଗୀ, ଆଠଗଡ, କଟକ ସଦର , ନିଆଳି ବ୍ଲକ ଅଞ୍ଚଳ ସମେତ ଜଗତସିଂହପୁର, କେନ୍ଦ୍ରାପଡା ଓ ଯାଜପୁର, ଜିଲ୍ଲାର ବହୁ ବୁଲାଗୋରୁ ଗାଇ ଓ ଷଣ୍ଢମାନେ ସୁରକ୍ଷିତ ଅବସ୍ଥାରେ ରହି ପାରିବାର ମତ ପ୍ରକାଶ ପାଇଛି । ଏଭଳି କରାଗଲେ ଗୋସଂପଦର ସୁରକ୍ଷା ହେବା ସହିତ ଚାଷୀମାନେ ସେମାନଙ୍କର କ୍ଷତି ହେଉଥିବା ଫସଲକୁ ରକ୍ଷା କରିପାରିବେ ବୋଲି ଜଣାଯାଇଛି । ତେଣୁ ସବୁ ଦୃଷ୍ଟିରୁ ବିଚାର କରି ସରକାର ଏକ ଆଦର୍ଶ ଗୋଶାଳା ଖୋଲିବା ପାଇଁ ଆଞ୍ଚଳିକ ଗୋସୁରକ୍ଷା ସମିତିର ପ୍ରମୁଖ ପ୍ରଫୁଲ୍ଲ କୁମାର ମହାପାତ୍ର, ମଳୟ କୁମାର ଘଡେଇ, ସିପୁନା ମଲିକ, ତ୍ରିଲୋଚନ ବେହେରାଙ୍କ ସମେତ ଶହଶହ ସଂଖ୍ୟାରେ ଜନ ସାଧାରଣ ମୁଖ୍ୟମନ୍ତ୍ରୀଙ୍କ ଠାରେ ଦାବି କରିଛନ୍ତି ।