‘ଜିଏସଟି ହ୍ରାସ ଦ୍ୱାରା ଫାଇଦା ପାଇବେ ଗ୍ରାହକ’ 

ଅନୁଗୁଳ,୨୨ା୯ : ଅନୁଗୁଳ ଜିଲ୍ଲା ଅଟୋମୋବାଇଲ ଡିଲର୍ସ ଆସୋସିଏସନର ସଭାପତି ଇଂ ଅମ୍ବିକା ପ୍ରସାଦ ଭଟ୍ଟ ଏକ ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଜିଏସଟି ୧୦% କମାଇ ଦେଇଥିବାରୁ ଏହାର ଫାଇଦା ଗ୍ରାହକମାନେ ଉଠାଇବା ପାଇଁ ପ୍ରକାଶ କରିଥିଲେ । ପ୍ରତ୍ୟେକ ମୋଟରସାଇକେଲ/ ସ୍କୁଟରରେ ଗ୍ରାହକମାନେ ପ୍ରାୟ ଦଶ ହଜାର ଟଙ୍କା ପର୍ଯ୍ୟନ୍ତ ଫାଇଦା ପାଇପାରିବେ ବୋଲି କହିଛନ୍ତି । ଉଲ୍ଲେଖ ଯେ, ୨୦୧୭ ମସିହାରେ ସାରା ଦେଶରେ ଜିଏସଟି ଲାଗୁ କରାଗଲା, ଦୁଇ ଚକିଆ ଯାନ ଉପରେ ଜିଏସଟି ୨୮ % ଲାଗୁ କରାଯାଇଥିଲା, ସେତେବେଳେ ଭାରତୀୟ ଅଟୋମୋବାଇଲ ଡିଲର୍ସ ଫେଡେରେସନ ଦୁଇ ଚକିଆ ଯାନ ବର୍ତ୍ତମାନ ସମୟରେ ଏକ ଅତ୍ୟାବଶ୍ୟକୀୟ ବସ୍ତୁ ହୋଇ ଯାଇଥିବାରୁ, ଏହା ଉପରେ ୧୨% ଜିଏସଟି ଲାଗୁ ହେବା ଉଚିତ ବୋଲି ଯୁକ୍ତି ଦର୍ଶାଇଥିଲେ । ଫଳରେ ସମସ୍ତ ବର୍ଗର ଲୋକଙ୍କ ପାଇଁ ଗ୍ରହଣୀୟ ହେବା ପାଇଁ ଜିଏସଟିକୁ ୧୨%ଭିତରେ ରଖିବାକୁ ଦାବି କରାଯାଇଥିଲା । ହେଲେ ସରକାର ଯାହାହେଉ ଦୀର୍ଘ ଆଠ ବର୍ଷ ପରେ ଆମର ଦାବିକୁ ଗ୍ରହଣ କରିଛନ୍ତି ଓ ଜିଏସଟି ୧୮% ରଖିବା ପାଇଁ ଘୋଷଣା କରିଛନ୍ତି । ଫଳରେ ଗ୍ରାହକ ଏହାର ସୁଫଳ ପାଇପାରିବେ ବୋଲି ସଭାପତି ପ୍ରକାଶ କରିଥିଲେ । ଏ ନେଇ  ଅନୁଗୋଳ ଜିଲ୍ଲା ଆସୋସିଏସନ ପକ୍ଷରୁ ସେ ଫେଡେରେସନକୁ ଧନ୍ୟବାଦ ଅର୍ପଣ କରିଥିଲେ। ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ସର୍ବଶ୍ରୀ ଅଶୋକ ମାଣ୍ଡୋଠିଆ,ମନୋଜ ଗୁପ୍ତା, ଅନୀଲ କୁମାର ରାଉତ, ବିକ୍ରମ ଅଗ୍ରୱାଲ, ସନ୍ତୋଷ କୁମାର ଅଗ୍ରୱାଲ ଓ ରଜତ କୁମାର ବେହେରା ପ୍ରମୁଖ ଉପସ୍ଥିତ ରହିଥିଲେ ।