କାନାଡାରେ ହିନ୍ଦୁ ମନ୍ଦିର ଉପରେ ଆକ୍ରମଣକୁ ଦୃଢ଼ ନିନ୍ଦା କଲେ ମୋଦି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିକଟରେ କାନାଡାର ଏକ ହିନ୍ଦୁ ମନ୍ଦିର ଉପରେ ହୋଇଥିବା ଆକ୍ରମଣ ଏବଂ ଭାରତୀୟ କୂଟନୀତିଜ୍ଞମାନଙ୍କୁ ଭୟଭୀତ କରିବାର ପ୍ରୟାସକୁ ଦୃଢ଼ ନିନ୍ଦା କରିଛନ୍ତି । ଭାରତର ଦୃଢ଼ ସଂକଳ୍ପ ଉପରେ ଗୁରୁତ୍ୱାରୋପ କରି ସେ ନ୍ୟାୟ ସୁନିଶ୍ଚିତ କରିବା ଏବଂ ଆଇନର ଶାସନକୁ ବଜାୟ ରଖିବାକୁ କାନାଡା ସରକାରଙ୍କୁ ଆହ୍ୱାନ ଦେଇଛନ୍ତି । ଏକ୍ସରେ ପୋଷ୍ଟ କରିଥିବା ନିଜ ବିବୃତ୍ତିରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, କାନାଡ଼ାର ଏକ ହିନ୍ଦୁ ମନ୍ଦିର ଉପରେ ଯୋଜନାବଦ୍ଧ ଆକ୍ରମଣକୁ ମୁଁ ଦୃଢ଼ ନିନ୍ଦା କରୁଛି । ଆମ କୂଟନୀତିଜ୍ଞମାନଙ୍କୁ ଭୟଭୀତ କରିବାର କାପୁରୁଷତାପୂର୍ଣ୍ଣ ପ୍ରୟାସ ମଧ୍ୟ ସେତିକି ଉଦବେଗଜନକ । ଏଭଳି ହିଂସାକାଣ୍ଡ ଭାରତର ସଂକଳ୍ପକୁ କେବେ ବି ଦୁର୍ବଳ କରିବ ନାହିଁ । କାନାଡା ସରକାର ନ୍ୟାୟ ସୁନିଶ୍ଚିତ କରିବେ ଏବଂ ଆଇନର ଶାସନକୁ ବଜାୟ ରଖିବେ ବୋଲି ଆମେ ଆଶା କରୁଛୁ ।