ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକ୍ଷକଙ୍କ ବିରୋଧରେ ପ୍ରଶାସନିକ ତଦନ୍ତ 

ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକ୍ଷକଙ୍କ ବିରୋଧରେ ପ୍ରଶାସନିକ ତଦନ୍ତ 

                             ତଦନ୍ତକୁ ପ୍ରଭାବିତ କଲେ ସିଡିଏମଓ !

ଭଣ୍ଡାରିପୋଖରୀ : ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକ୍ଷକ ଡା.କମଳାକାନ୍ତ ସ୍ୱାଇଁଙ୍କ ବିରୋଧରେ ସିଏଚଓମାନଙ୍କ ଦ୍ୱାରା ହୋଇଥିବା କର୍ମକ୍ଷେତ୍ରରେ ଉତ୍ତପୀଡନ ଓ ନିର୍ଯ୍ୟାତନା ଆଦି ଏକାଧିକ ଅଭିଯୋଗର ପ୍ରଶାସନିକ ତଦନ୍ତ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ସୋମବାର ଅପରାହ୍ନରେ ଅନୁଷ୍ଠିତ ହୋଇଛି । ଅତିରିକ୍ତ ଜିଲ୍ଲାପାଳ ସରୋଜ କୁମାର ଦତ୍ତ, ବିଡିଓ ଦେବଦ୍ର ଦାଶ, ତହସିଲଦାର ରୋଜାଲିନ ବେହେରା, ଡା. ସଙ୍ଗୀତା ବଳ, ସ୍ୱାସ୍ଥ୍ୟକେନ୍ଦ୍ର ଭାରପ୍ରାପ୍ତ ଅଧିକ୍ଷକ ଡା. ସରୋଜ କୁମାର ରାଉଳ ତଦନ୍ତ କରିଥିଲେ । 

ତଦନ୍ତ କମିଟିରେ ଭାରପ୍ରାପ୍ତ ସିଡିଏମଓ ସୁଧିରଞ୍ଜନ ନାୟକ ସିଏଚଓମାନଙ୍କ ପ୍ରତ୍ୟେକଟି ଅଭିଯୋଗକୁ ଖଣ୍ଡନ କରି କମିଟିକୁ ପ୍ରଭାବିତ କରିଥିଲେ ବୋଲି ନାମ ଗୋପନ ରଖି ଅଭିଯୋଗକାରୀ ସିଏଚଓମାନେ ସୂଚନା ଦେଇଥିଲେ । ଏପରିକି ଭାରପ୍ରାପ୍ତ ସିଡିଏମଓ ଡା.ସ୍ୱାଇଁଙ୍କ ସପକ୍ଷରେ ଜବାବ ସୁଆଲ କରି ଅଭିଯୋଗ ଗୁରୁତ୍ୱହୀନ ବୋଲି ସାବ୍ୟସ୍ତ କରିବାକୁ ଭରପୁର ଉଦ୍ୟମ କରିଥିଲେ । ତଦନ୍ତ ପାଇଁ ହୋଇଥିବା ପତ୍ରରେ ଅଧିକ୍ଷକ ଡା. ସ୍ୱାଇଁଙ୍କ ବିରୋଧରେ ତଦନ୍ତ ପାଇଁ ଉଲ୍ଲେଖ ରହିଥିଲେ ମଧ୍ୟ ଡା. ସ୍ୱାଇଁଙ୍କ ସପକ୍ଷରେ କେତେକ ବିଶୃଙ୍ଖଳିତ କର୍ମଚାରୀଙ୍କ ଦ୍ୱାରା ହୋଇଥିବା ପ୍ରାୟୋଜିତ ଦରଖାସ୍ତକୁ ଗୁରୁତ୍ୱ ଦିଆଯାଇ ତଦନ୍ତ ପରିସରଭୁକ୍ତ କରାଯିବାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ସ୍ଥାନୀୟ ଅଞ୍ଚଳବାସୀ । ଏହା ଦ୍ୱାରା ତଦନ୍ତକୁ ବାଟବଣା କରାଯାଇଛି ବୋଲି ମତଦେଇ ସମ୍ପୁର୍ଣ୍ଣର୍ ତଦନ୍ତ ପ୍ରକ୍ରିୟାକୁ କଡା ସମାଲୋଚନା କରାଯାଇଛି । ଏହାଦ୍ୱାରା ପରିସ୍ଥିତି ଅଧିକ ଜଟିଳ ହେବ ବୋଲି ସମିତି ସଭ୍ୟ ଗୁରୁପ୍ରସାଦ ଗିରି, ପୂର୍ବତନ ସରପଞ୍ଚ ପ୍ରଶାନ୍ତ କୁମାର ସାହୁ, ମନୋଜ କୁମାର ନାୟକ, ନଗୁଆଁ ସମବାୟ ସମିତି ସଭାପତି ରମେଶ ଚନ୍ଦ୍ର ଭାରତୀ ପ୍ରଶାସନକୁ ଚେତାଇ ଦେଇଛନ୍ତି ।