ପାଣି ପାଇଁ ରାଜପଥରେ ବସିଲେ ମହିଳା

ପାଣି ପାଇଁ ରାଜପଥରେ ବସିଲେ ମହିଳା

ଯଖପୁରା : ଦାନଗଦୀ ବ୍ଲକ ଅନ୍ତର୍ଗତ ଚାନ୍ଦିଆ ପଞ୍ଚାୟତ ଗୋଲା ଗାଁରେ ପାନୀୟ ଜଳର ସମସ୍ୟା ଦେଖା ଦେଇଛି । ଫଳ ସ୍ୱରୂପ ଆଜି ଶତାଧିକ ମହିଳା ଦିନ ୩ଟା ବେଳେ ଗରା, ମାଣ୍ଡିଆ, ଡେକଚି ଆଦି ଧରି ୫୩ ନମ୍ବର ଜାତୀୟ ରାଜପଥ ଦୈତାରୀ ପାରାଦୀପ ରାସ୍ତାକୁ ଅବରୋଧ କରିଥିବାର ଦେଖିବାକୁ ମିଳିଥିଲା । ଶତାଧିକ ମହିଳା ରାସ୍ତା ଉପରେ ଗରା, ମାଠିଆ ଧରି ବସି ରହିଥିଲେ । 

ଅଭିଯୋଗ ମୁତାବକ ଗ୍ରାମରେ ୪୦ପରିବାର ବସବାସ କରୁଥିବା ବେଳେ ପାନୀୟ ଜଳ ପାଇଁ ମାତ୍ର ଗୋଟିଏ ନଳକୂପ ରହିଛି । ଗ୍ରାମର ଲୋକ ସଂଖ୍ୟା ୩୦୦ରୁ ଅଧିକ । ସମସ୍ତ ଗ୍ରାମବାସୀ ଗୋଟିଏ ନଳକୂପ ଉପରେ ନିର୍ଭର କରୁଛନ୍ତି । ଫଳରେ ପାନୀୟ ଜଳ ପାଇଁ ଲୋକମାନେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ପାଣି ମାଠିଏ ପାଇଁ ଘଂଟା ଘଂଟା ଧାଡ଼ିରେ ଛିଡା ହେବାକୁ ପଡୁଛି । ପାନୀୟ ଜଳ ପାଇଁ ଗ୍ରାମବାସୀ ଯେଉଁ ନଳକୂପ ଉପରେ ନିର୍ଭର କରୁଛନ୍ତି ସେଥିରୁ ଗୋଳିଆ ପାଣି ବାହାରୁଛି । ଆଇରନ ମିଶା ପାଣି ବାହାରୁଛି । ତାକୁ ଛାଣି ପିଇବାକୁ ପଡୁଛି । ପାଣିର ଘୋର ଅଭାବ ପରିଲକ୍ଷିତ ହେଉଛି । ତେଣୁ ସେମାନେ ପାନୀୟ ଜଳ ପାଇଁ ନିକଟବର୍ତୀ ଗ୍ରାମକୁ ଯଥା ୨ କିଲୋମିଟର ବାଟ ଚାଲି ଚାଲି ଯିବାକୁ ପଡୁଛି । ଏହି ସମସ୍ୟା ଅନେକ ଦିନ ଧରି ରହିଛି । ନେତା ମନ୍ତ୍ରୀ ପ୍ରଶାସନକୁ ଜଣାଇଲା ପରେ ମଧ୍ୟ କେହି ଶୁଣୁ ନ ଥିଲେ ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି । ପାନୀୟ ଜଳ ସମସ୍ୟା ଉତ୍କଟ ହେବାରୁ ଆଜି ଗ୍ରାମବାସୀ ରାଜ ରାସ୍ତା କୁ ଓହ୍ଲାଇଛନ୍ତି ବୋଲି କହିଛନ୍ତି ।

ତେଣୁ ଏହାର ସମାଧାନ ନହେଲା ପର୍ଯ୍ୟନ୍ତ ଜାତୀୟ ରାଜପଥ ଅବରୋଧ କରାଯିବ ବୋଲି ଜଣାଇଛନ୍ତି । ଦୀର୍ଘ ୩ ଘଂଟା ରାସ୍ତା ଅବରୋଧ ପରେ ବ୍ଲକ୍‌ ପ୍ରଶାସନର ନିଦ ଭାଙ୍ଗିଥିଲା । ଅର୍ଥାତ ସାନ୍ଧ୍ୟ ୬ଟା ବେଳେ ବ୍ଲକ ପ୍ରଶାସନ ତରଫରୁ ପାନୀୟ ଜଳ ସୁବିଧା ସୁଯୋଗ ଦିଆଯିବାର ପ୍ରତିଶୃତି ପରେ ଧାରଣାରେ ବସିଥିବା ଶତାଧିକ ମହିଳା ରାଜରାସ୍ତା ଧାରଣରୁ ଓହରିଥିଲେ । ବ୍ଲକ ପ୍ରଶାସନ ତରଫରୁ ଆସନ୍ତା କାଲି ଗ୍ରାମରେ ଏକ ନୂତନ ନଳକୂପ ବସାଇବା ପାଇଁ ପ୍ରତିଶ୍ରୁତି ଦିଆଯିବା ସହିତ ଆସନ୍ତା ୪ମାସ ମଧ୍ୟରେ ଗ୍ରାମରେ ଏକ ଉଚ୍ଚ ଟାଙ୍କି ନିର୍ମାଣ କରାଯାଇ ସମସ୍ତ ଘରକୁ ପାଣି ଯୋଗାଇ ଦିଆଯିବ ବୋଲି ମଧ୍‌ଯ ପ୍ରତିଶୃତି ଦିଆଯାଇଛି । ଏବେ ଦେଖିବାକୁ ବାକି ରହିଲା ପାଣି ପାଇଁ ବ୍ୟାକୁଳ ଗୋଲା ଗାଁ ଗ୍ରାମବାସମାନଙ୍କୁ କେବେ ବିଶୁଦ୍ଧ ପାନୀୟଜଳ ଯୋଗାଇ ଦିଆଯାଉଛି ନା ପ୍ରଶାସନର ପ୍ରତିଶୃତି ପାଣିର ଗାର ହେଉଛି ।