ଗ୍ରାମ୍ୟ ରାସ୍ତା ପାଲଟିଛି ମରଣଯନ୍ତା
ବନ୍ତ : ବନ୍ତ ବ୍ଲକ ଛୟାଳସିଂହ ପଞ୍ଚାୟତ ମଙ୍ଗୁଲି ବ୍ରାହ୍ମଣସାହି ରାସ୍ତା ପାଲଟିଛି ମରଣଯନ୍ତା । ଏହି ଗ୍ରାମ୍ୟରାସ୍ତା ଠାରୁ ଟିଲୋ–ଜାମବଣି ଆରଡି ରାସ୍ତା ପର୍ଯ୍ୟନ୍ତ ପ୍ରାୟ୫୦୦ମିଟର ରାସ୍ତା ଦିନକୁ ଦିନ ଶୋଚନୀୟ ହୋଇପଡୁଛି । ବହୁବାର ଅଭିଯୋଗ କରିବାପରେ ଆର୍ଥିକ ବର୍ଷ ୨୦୨୦-୨୧ ମସିହାରେ ୩ ଲକ୍ଷ ଟଙ୍କାର ଖର୍ଚ୍ଚ କରି ନାମକୁ ମାତ୍ର ମାଟି ମୋରମ ପକାଯାଇଥିଲା । ରାସ୍ତା ପାର୍ଶ୍ୱରେ ସରୁସାଗର ନଈ ଯାଇଥିବାରୁ ଏହି ମରାମତି କାର୍ଯ୍ୟ ମାତ୍ର ଅଳ୍ପଦିନରେ ନଷ୍ଟ ହୋଇଥିଲା । ଏବେ୫ ବର୍ଷରୁ ଅଧିକ ଦିନ ବିତିଯାଇଥିଲେ ମଧ୍ୟ ରାସ୍ତା ମରାମତି ହୋଇପାରୁ ନାହିଁ । ଅସରାଏ ବର୍ଷା ହେଲେ ଉକ୍ତ ରାସ୍ତାରେ ଆମ୍ବଲାନ୍ସ, ଦମକଳ ଦୂରର କଥା ସାଧାରଣ ଲୋକଟେ ଚାଲିକି ଯିବା କଷ୍ଟକର ହୋଇପଡୁଛି । ଆଗକୁ ବର୍ଷା ଦିନ ଆସୁଛି ।ରାସ୍ତା ମରାମତା ନ ହେଲେ ଲୋକେ ନାହିଁ ନ ଥିବା ହଇରାଣ ହେବେ । ବର୍ତମାନ ଏହି ରାସ୍ତାଦେଇ ଲୋକମାନେ ଜରୁରୀ କାମରେ ବ୍ଲକ୍, ଜିଲ୍ଲା କାର୍ଯ୍ୟାଳୟ, ମେଡିକାଲ ଯାଇପାରୁ ନ ଥିବାବେଳେ, ବିଦ୍ୟାଳୟ, ଅଙ୍ଗନୱାଡିକୁ ଯିବା ସମ୍ଭବପର ହୋଇପାରୁନାହିଁ ।
ରାସ୍ତା ପାର୍ଶ୍ୱରେ ସରୁସାଗର ନଈ ଥିବାରୁ ବର୍ଷା ଋତୁରେ ମାସ ମାସ ଧରି ୨ରୁ ୩ ଫୁଟ୍ ଉଚ୍ଚତାର ପାଣି ଦେଖିବାକୁ ମିଳିଥାଏ । ୫୦୦ ମିଟର ରାସ୍ତାର ନଈ ପାଖରେ ସୁରକ୍ଷା ପାଚେରୀ ସହିତ କଂକ୍ରିଟ ରାସ୍ତା ନିର୍ମାଣ ଗ୍ରାମବାସୀ ଦାବି କରିଛନ୍ତି । ଉକ୍ତ ରାସ୍ତା ଉପରେ ପ୍ରତିଦିନ ୫୦୦ରୁ ଅଧିକ ଲୋକେ ନିର୍ଭର କରିଥାନ୍ତି । ଏହି ରାସ୍ତା ସମସ୍ୟାକୁ ନେଇ ୨୦୨୫ ଫେବୃଆରୀ ମାସରେ ଯନ୍ତ୍ରୀ, ବିଡିଓ, ଜିଲ୍ଲାପାଳ, ମୁଖ୍ୟମନ୍ତ୍ରୀଙ୍କ ସମେତ ଏହି ବିଭାଗର ବିଭିନ୍ନ ପଦାଧିକାରୀଙ୍କୁ ଅବଗତ କରିଥିଲେ ମଧ୍ୟ କେହି କର୍ଣ୍ଣପାତ କରୁ ନ ଥିବା ଦେଖିବାକୁ ମିଳିଛି । ଖୁବଶୀଘ୍ର ଏହି ରାସ୍ତା ସ୍ଥାୟୀ ମରାମତି ନହେଲେ ପ୍ରଶାନ୍ତ ପତି, ମାଧବ କର ନାରାୟଣ ଦାଶ, ଗୌତମ ପତି, ସ୍ନିଗ୍ଧା କର, ପ୍ରଣତି ପତି, ପ୍ରତାପ ସାହୁ, ଅକ୍ଷୟ ଦାଶଙ୍କ ସମେତ ଗ୍ରାମବାସୀ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି ।