ଚାରି ବଖରା ଜଳିଗଲା
ବୁଗୁଡ଼ା : ବୁଗୁଡା ବ୍ଳକ ଅଧିନସ୍ତ କରଚୁଲି ଗ୍ରାମର ଗୁଡିସାହିରେ ଗତକାଲି ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟି ଭାସ୍କର ଡାକୁଆ ଓ ଦେବ ଡାକୁଆଙ୍କ ଦୁଇ ବଖରା ଲେଖାଏଁ ଚାଳଘର ଜଳି ପୋଡି ପାଉଁଣ ହୋଇଯାଇଥିବା ଜଣାଯାଇଛି । ପ୍ରକାଶ ଯେ, ମଙ୍ଗଳବାର ରାତି ପ୍ରାୟ ଦୁଇଟା ବେଳେ ସେହି ଦୁଇ ପରିବାର ଲୋକେ ଶୋଇଥିବା ସମୟରେ ଏହି ଭୟାବହ ଅଗ୍ନିକାଣ୍ଡ ଘଟିଥିଲା । ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଥିବା ବେଳେ ବିଦୁ୍ୟତ ସର୍ଟସର୍କିଟରୁ ଏହି ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି । ଅଗ୍ନିକାଣ୍ଡରେ ଦୁଇଟି ପରିବାରର ଲକ୍ଷାଧିକ ଟଙ୍କାର ଆସବାବପତ୍ର ନିଆଁରେ ପୋଡିଯାଇଛି । ଗ୍ରାମବାସୀ ଏବଂ ପରିବାର ଲୋକେ ନିଆଁକୁ ଆୟତ୍ତ କରିବାପାଇଁ ଉଦ୍ୟମ କରିଥିଲେ ହେଁ ହୁତୁହୁତୁ ହୋଇ ଜଳୁଥିବା ନିଆଁକୁ ଲିଭାଇ ପାରିନଥିଲେ । ଖବର ପାଇ ବୁଗୁଡା ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ମଧ୍ୟ ଘର ସହ ଆସବାବପତ୍ର ସମ୍ପୂର୍ଣ୍ଣ ଜଳିପୋଡି ଛାରଖାର ହୋଇଯାଇଥିଲା । ତେବେ ଅଗ୍ନିକାଣ୍ଡରେ କ୍ଷତିଗ୍ରସ୍ତ ପରିବାର ଦ୍ୱୟ ସରକାରୀ ସହାୟତା ପାଇବା ପାଇଁ ହାତପାତି ବସିଥିବା ଜଣାଯାଇଛି ।