ଗୋରୁ ଚାଲାଣକାରି ସକ୍ରିୟ ; ଗାଡି ଜବତ, ଡ୍ରାଇଭର ଫେରାର

ଗୋରୁ ଚାଲାଣକାରି ସକ୍ରିୟ ;  ଗାଡି ଜବତ, ଡ୍ରାଇଭର ଫେରାର

କାକଟପୁର : ପୁରୀ ଜିଲ୍ଲା କାକଟପୁର ଅଞ୍ଚଳରେ ଦେବୀ ନଦୀ ବନ୍ଧରେ ପ୍ରତ୍ୟେକ ଦିନ ଅବାଧରେ ଚାଲିଛି ଗୋ ଚାଲାଣ । ଏ ସ୍ଥିତିରେ ବିଭିନ୍ନ ସ୍ଥାନରେ ଗୋ ରକ୍ଷକଙ୍କ ଚଢାଉ ଓ ଆଇନି ଶୃଙ୍ଖଳା ପରିସ୍ଥିତି ଉପୁଯିବାରୁ ବେଆଇନି ଗୋରୁ ଚାଲାଣ କାରୀଙ୍କ ତରିକା ବଦଳିଛି । ଖୋଲା ଡାଲା ଗାଡି ଏବଂ ଟ୍ରକ ବଦଳରେ ଏବେ ବନ୍ଦ କଣ୍ଟେନର ଅବା ବନ୍ଦ ଟାଟା ଏସି ଯୋଗେ ଅତି ଦୟନୀୟ ଅବସ୍ଥାରେ ଗୋରୁ ଚାଲାଣ କରାଯାଉଛି । ନିବୁଜ କଣ୍ଟେନର ଭିତରେ ବନ୍ଧା ହୋଇ ଗୋରୁ ଅଣନିଶ୍ୱାସୀ ହୋଇ ପଡୁଛନ୍ତି । ଏଭଳି ଗାଡିକୁ କାକଟପୁର ପୁଲିସ ଧରିବାରେ ସଫଳ ହୋଇଛି ।   ଏବେ ପ୍ରଚଣ୍ଡ ଗରମ ଅନୁଭୂତ ହେଉଥିବା ବେଳେ ଏକ ନିବୁଜ ଟାଟା ଏସି ଭିତରେ ସ୍ୱଳ୍ପ ସ୍ଥାନରେ ଗୋରୁଙ୍କୁ ବାନ୍ଧି ଶ୍ୱାସରୁଦ୍ଧ ସ୍ଥିତିରେ ବିଳମ୍ବିତ ରାତିରେ ଚାଲାଣ କରାଯାଉଥିଲା । ଅସ୍ତରଙ୍ଗ ଓ କାକଟପୁର ରୁ ପଶ୍ଚିମବଙ୍ଗ କୁ ଏହି କାରବାର ଚେର ଲମ୍ବିଥିବା ବେଳେ ବିଭିନ୍ନ ସ୍ଥାନରେ ଗୋରୁ ଚାଲାଣ ରାକେଟ ସକ୍ରିୟ ଥିବା ସନ୍ଦେହ କରାଯାଉଛି । କାକଟପୁର ପୁଲିସ ଗୋରୁ ଯାଉଥିବା ଗାଡି (ଓଡି ୦୨ବି ଏ ୦୧୦୯)କୁ ବୁଧବାର ବିଳମ୍ବିତ ରାତ୍ର୨ଘଟିକା ସମୟରେ ମୂଳାଗଡ଼ ଛକ ନିକଟସ୍ଥ ସୋମେଶ୍ୱର ମନ୍ଦିର ସାମ୍ନାରୁ ଜବତ କରି ତଦନ୍ତ ଆରମ୍ଭ କରିଛି ପୋଲିସ । ଗାଡି ଚାଳକ ଚଢାଉ ସ୍ଥଳରୁ ଫେରାର ହୋଇ ଯିବାରୁ ଏ ନେଇ ସାଧାରଣରେ ବିଭିନ୍ନ ଆଲୋଚନା ହେଉଛି । ରାତି ଅନ୍ଧାର ସୁଯୋଗ ନେଇ ଅସ୍ତରଙ୍ଗରୁ ଦେବୀ ନଦୀ ବନ୍ଧ ଦେଈ କାକଟପୁର ପହଂଚୁଛି ଗୋରୁ ଚାଲାଣ ଗାଡି । କାକଟପୁର ପୁଲିସ ଖବର ପାଇଁ ସୋମେଶ୍ୱର ମନ୍ଦିର ସାମ୍ନା ମୁଖ୍ୟ ରାସ୍ତାରୁ କୌଶଳ କ୍ରମେ ଚାଲାଣ କରୁଥିବା ଗାଡି ଧରିବା ସହ ବନ୍ଧା ହୋଇଥିବା ଗୋରୁଙ୍କୁ ଉଦ୍ଧାର କରିଥିଲେ । ଉଦ୍ଧାର ଏକ ଗାଈ ଓ ଛୋଟ ଷଣ୍ଡକୁ ସୁରକ୍ଷିତ ଅବସ୍ଥାରେ ପୁରୀ ସ୍ଥିତ ଗୋଶାଳା ଛାଡି ଦିଆଯାଇଛି । ହେଲେ ପୁଲିସ ଅଚାନକ ଚଢାଉ ସତ୍‌ବେ ଗାଡି ଚାଳକ ଫେରାର ହେବାରେ ସଫଳ ହୋଇଥିଲା । ଇତି ମଧ୍ୟରେ ଗାଡିକୁ ଜବତ କରି କାକଟପୁର ପୁଲିସ ଥାନା କେଶ ନମ୍ବର ୧୦୩/୨୫ରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ଏହି ବେଆଇନି କାରବାର ପଛରେ କିଏ ସମ୍ପୂକ୍ତି, ଗାଡିର ମାଲିକ କିଏ? ପୁଲିସ ଉଚ୍ଚ କର୍ତ୍ତୃପକ୍ଷ ଏ ଦିଗରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକଲେ ଆଗାମୀ ଦିନରେ ଗୋରୁ ଚାଲାଣକୁ କେନ୍ଦ୍ର କରି ଆଇନି ଶୃଙ୍ଖଳା ପରିସ୍ଥିତି ଉପୁଯିବାର ଆଶଙ୍କା ସୃଷ୍ଟି ହୋଇପାରେ ।