ନିମ୍ନମାନର ପେଭର ବ୍ଲକ୍‌ କାମ

ନିମ୍ନମାନର ପେଭର ବ୍ଲକ୍‌ କାମ

ନବରଙ୍ଗପୁର : ନବରଙ୍ଗପୁର ସହରର ୧୭ଟି ୱାର୍ଡର ୨୦ରୁ ଊର୍ଦ୍ଧ୍ୱ ବସ୍ତି ଓ ଶତାଧିକ ଗଳି ରାସ୍ତାରେ ପକାଯାଇଛି ପେଭର୍‌ ବ୍ଲକ୍‌ । ଏଥିପାଇଁ ୨୦ କୋଟି ଖର୍ଚ୍ଚ ହୋଇଛି । ହେଲେ ନିମ୍ନମାନର କାମ ଯୋଗୁଁ ନିର୍ମାଣର ମାସେ ଦୁଇ ମାସ ମଧ୍ୟରେ ରାସ୍ତା ସବୁ ଦାବି ଯାଉଛି । ଏସ୍‌ଏଚଜି ନାମରେ କାର୍ଯ୍ୟାଦେଶ ହେଉଥିବାରୁ ବିଭାଗ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରୁନାହିଁ । କିନ୍ତୁ ପରଦା ପଛରେ ରହି ଠିକା କାମ କରି ଲାଭବାନ ହେଉଛନ୍ତି ଠିକାଦାର । ୧୬ନଂ ୱାର୍ଡରେ ଶୁଭ ଅଭିନନ୍ଦନ କଲ୍ୟାଣ ମଣ୍ଡପ ପାର୍ଶ୍ୱ ରାସ୍ତା ୪୨ ଲକ୍ଷରେ ନିର୍ମାଣ ହୋଇଥିଲା । ତେବେ ରାସ୍ତାରୁ ପେଭର୍‌ ବ୍ଲକ ବାହାରି ପଡ଼ିବା ସହ ରାସ୍ତା ନଷ୍ଟ ହୋଇଗଲାଣି । ଏହାର ତଦନ୍ତ କରିବାକୁ ଦାବି କରି ଏକ ସ୍ମାରକପତ୍ର ପୂର୍ବତନ କାଉନସିଲର ଉତ୍ତମ ତ୍ରିପାଠୀ, ସରୋଜ ପାତ୍ର, ପ୍ରମୋଦ ରଥ, ସଂଜୟ ନାୟକ, ନଗେନ୍ଦ୍ର ପଟ୍ଟନାୟକ ପ୍ରମୁଖ ଜିଲ୍ଲାପାଳ ଡ. ଶୁଭଙ୍କର ମହାପାତ୍ରଙ୍କୁ ପ୍ରଦାନ କରିଛନ୍ତି । ସାତ ଦିନ ମଧ୍ୟରେ ଏହାର ତଦନ୍ତ କରି ପଦକ୍ଷେପ ନେବେ ବୋଲି କହିଛନ୍ତି ଜିଲ୍ଲାପାଳ ।

  • ୨ ମାସରେ ଦବିଲା ରାସ୍ତା
  • ତଦନ୍ତ ପାଇଁ ଜିଲ୍ଲାପାଳଙ୍କୁ ଦାବି

ସହରର ବିଭିନ୍ନ ସ୍ଥାନରେ ପେଭର ବ୍ଲକ ରାସ୍ତା ନିର୍ମାଣ ପାଇଁ ୨୦ କୋଟି ଖର୍ଚ୍ଚ ହେଲାଣି । କିଛି ସ୍ଥାନରେ ପୂର୍ବରୁ ଥିବା ପିଚୁ, ସିମେଣ୍ଟ କଂକ୍ରିଟ ରାସ୍ତା ଉପରେ ଫେଭର ବ୍ଲକ୍‌ ପକାଯାଇଛି । ଏପରିକି ସହରର  ପ୍ରମୁଖ ରାସ୍ତାରେ ବି ପେଭର୍‌ ବ୍ଲକ୍‌ ପଡ଼ିଛି । ତେବେ ରକ୍ଷଣାବେକ୍ଷଣ ଅଭାବରୁ ରାସ୍ତା ନିର୍ମାଣର ଅଳ୍ପ ଦିନ ମଧ୍ୟରେ ପେଭର ଇଟା ଗୁଡ଼ିକ ରାସ୍ତାରୁ ବାହାରି ପଡ଼ୁଛି ।  ପେଭର ବ୍ଲକ ରାସ୍ତା ନିର୍ମାଣ ପରେ ବାଲି, କ୍ରସରଗୁଣ୍ଡ ଏବଂ ରାସ୍ତା ପାର୍ଶ୍ୱରେ ସିମେଣ୍ଟ ପ୍ଲାଷ୍ଟର କରିବା କଥା । କାମ କରିଥିବା ଏସ୍‌ଏଚ୍‌ଜିଙ୍କୁ ଅଭିଯୋଗ କଲେ ପୌର କାର୍ଯ୍ୟାଳୟରେ ଅଭିଯୋଗ କରିବାକୁ କହୁଛନ୍ତି । ପୂର୍ବରୁ ପିଚୁ କିମ୍ବା ସିମେଣ୍ଟ ରାସ୍ତା ରହିଥିଲା । କିନ୍ତୁ ଏବେ ନବରଙ୍ଗପୁର ସହରରେ ପେଭର ବ୍ଲକ ମାନିଆ ଚାଲିଛି । ଏହି କାର୍ଯ୍ୟରେ ଅଧିକ ଲାଭ ଥିବାରୁ ପୌର ପ୍ରଶାସନ ଜାଣିଶୁଣି ଅଧେ ଅଧେ ନ୍ୟାୟରେ ଏଷ୍ଟିମେଟ କରୁଥିବା ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି ।