ଶୁଝିପାରିଲେନି ବ୍ୟାଙ୍କ୍ ଋଣ : ଘରକୁ ସିଲ୍ କଲା ବ୍ୟାଙ୍କ୍

 ହିଞ୍ଜିଳିକାଟୁ: ସମ୍ପତ୍ତି ବନ୍ଧକ ରଖି ବ୍ୟାଙ୍କରୁ ଆଣିଥିଲେ ଋଣ । ଦୀର୍ଘ ଦିନ ଧରି ଋଣ ଟଙ୍କା ସୁଝିନପାରିବାରୁ ବାଧ୍ୟ ହୋଇ ଋଣଖିଲାପକାରୀଙ୍କ ଘରକୁ ସିଲ୍ କରିଛି ବ୍ୟାଙ୍କ । ଏଭଳି ଏକ ଘଟଣା ଶୁକ୍ରବାର ହିଞ୍ଜିଳି ଥାନା ଇଲାକାରେ ଦେଖିବାକୁ ମିଳିଛି । ପୁଲିସ ସୂଚନା ପ୍ରକାରେ, ହିଞ୍ଜିଳି ଥାନା ସାରୁ ଗ୍ରାମର କୃଷ୍ଣଚନ୍ଦ୍ର ପାଢି ବ୍ରହ୍ମପୁର ବ୍ରହ୍ମାନଗର ଏସବିଆଇ ଆଞ୍ଚଳିକ ଶାଖାରୁ ଘର ବନ୍ଧକ ରଖି ବ୍ୟାଙ୍କରୁ ଋଣ ଆଣିଥିଲେ  । ବ୍ୟାଙ୍କ କର୍ତ୍ତୁପକ୍ଷ ଋଣ ସୁଝିବା ଲାଗି କୃଷ୍ଣଙ୍କୁ ବାରମ୍ବାର ନୋଟିସ ପଠାଇଥିଲେ ମଧ୍ୟ ସେ ଏଥିପ୍ରତି ଗୁରୁତ୍ୱ ଦେଇନଥିଲେ କିମ୍ବା ଋଣ ସୁଝିବା ଲାଗି ଆଗ୍ରହ ପ୍ରକାଶ କରିନଥିଲେ  । ବ୍ୟାଙ୍କ କର୍ତ୍ତୁପକ୍ଷ ଶେଷ ଥର ଲାଗି ଗତ ଋଣ ବାବଦକୁ ୧୮ ଲକ୍ଷ ୯୧ ହଜାର ୯୮ ଟଙ୍କା ପରିଶୋଧ କରିବା ପାଇଁ କହିବା ସହ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୃଷ୍ଣଙ୍କୁ ନୋଟିସ ଜାରି କରିଥିଲେ  । କିନ୍ତୁ କୃଷ୍ଣ ଏଥିପ୍ରତି କୌଣସି କର୍ଣ୍ଣପାତ ନକରିବାରୁ ଘଟଣା ନେଇ ବ୍ୟାଙ୍କ କର୍ତ୍ତୁପକ୍ଷ ଗଞ୍ଜାମ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଥିଲେ  । ଜିଲ୍ଲାପାଳଙ୍କ ଆଦେଶ ପ୍ରକାରେ ସଂପୃକ୍ତ ଋଣ ଖିଲାପକାରୀଙ୍କ ହିଞ୍ଜିଳି ଥାନା ସାରୁ ଗ୍ରାମ ବାସଗୃହ ଜବତ କରିବା ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଇଥିଲା ।