ଗ୍ୟାସ୍ ବିତରକଙ୍କ ନାମରେ ଅଭିଯୋଗ :ଇ-କେୱାଇସି ବାହାନାରେ ଗ୍ରାହକଙ୍କୁ ଶୋଷଣ
ଗୋଳମୁଣ୍ଡା: କେନ୍ଦ୍ର ସରକାର ଗରିବ ଲୋକଙ୍କୁ ମାଗଣାରେ ରନ୍ଧନ ଗ୍ୟାସ ବିତରଣ କରିଛନ୍ତି । ହେଲେ କିଛି ଅସାଧୁ ଗ୍ୟାସ ବିତରକ ମାନେ ଗ୍ରାହକ ମାନଙ୍କୁ ଶୋଷଣ କରୁଛନ୍ତି । ଆଗରୁ ଅଭିଯୋଗ ହୋଇଆସୁଥିଲା ଯେ, ଗ୍ୟାସକୁ ଗୋଦାମରେ ନରଖି ମୁଖ୍ୟ ରାସ୍ତା କଡରେ ରଖି ବିକ୍ରି କରାଯାଉଥିଲା । ସେହିଭଳି ଗ୍ୟାସ ସିଲିଣ୍ଡର ଗ୍ରାହକଙ୍କୁ ନ ଦେଇ ଢ଼ାବା, ହୋଟେଲ ମାନଙ୍କୁ ସପ୍ଲାଇ କରୁଥିବା ଅଭିଯୋଗ ହୋଇଥିଲା । ଯିଏ ଏହାର ପ୍ରତିବାଦ କଲେ ଗ୍ୟାସ ବିତରକମାନେ ଗ୍ରାହକ ମାନଙ୍କୁ ନାଲି ଆଖି ମଧ୍ୟ ଦେଖାଉଛନ୍ତି । ବର୍ତ୍ତମାନ ଗ୍ୟାସ୍ ବିତରକ ଏବେ ଆଉ ଏକ ନୂଆ କେଲେଙ୍କାରୀ ଆରମ୍ଭ କଲେଣି । ଗରିବ ଗ୍ୟାସ ହିତାଧିକାରୀଙ୍କୁ ଇ-କେୱାଇସି କରିଦେବା ବାହାନାରେ ଗ୍ରାହକଙ୍କୁ ଶୋଷଣ କରୁଥିବା ନେଇ ଅଭିଯୋଗ ହୋଇଛି । ସରକାର ଇ-କେୱାଇସି କରିବା ପାଇଁ କୌଣସି ଦେୟ ଦେବାକୁ ପଡିବ ନାହିଁ ବୋଲି ଘୋଷଣା କରିଥିବା ବେଳେ ଗ୍ୟାସ ବିତରକ ମାନେ ଗ୍ରାହକଙ୍କ ଠାରୁ ଟଙ୍କା ନେଉଥିବା ଜଣାପଡିଛି । ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ, କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଚପ୍ରିୟା ଗ୍ରାମ ଠାରେ ଥିବା ଇଣ୍ଡେନ ଗ୍ୟାସ ଗ୍ରାମୀଣ ବିତରକ ଆଖପାଖ ଅଞ୍ଚଳରେ ଥିବା ଲୋକଙ୍କୁ ଠକୁଥିବା ଅଭିଯୋଗ ହୋଇଛି । ଇ-କେୱାଇସି କରିବା ପାଇଁ କୌଣସି ଦେୟ ଦେବାକୁ ନ ଥିବା ବେଳେ ପ୍ରତି ଗ୍ରାହକ ମାନଙ୍କ ଠାରୁ ୧୦୦ ଟଙ୍କା ନେଉଥିବା ଲୋକେ ଅଭିଯୋଗ କରିଛନ୍ତି । ଲାଞ୍ଜି ଗ୍ରାମରେ ଇ-କେୱାଇସି ଅପଡେଟ କରିବା ପାଇଁ ଚପ୍ରିୟା ଇଣ୍ଡେନ ଗ୍ୟାସର କର୍ମଚାରୀ ମାନେ ଘର ଘର ବୁଲି ଲୋକଙ୍କ ଠାରୁ ୧୦୦ ଟଙ୍କା ଲେଖାଏଁ ମାଗୁଥିଲେ । ଏନେଇ ଜଣେ ଗ୍ରାହକ ଚପ୍ରିୟା ଇଣ୍ଡେନ ଗ୍ୟାସ ଗ୍ରାମୀଣ ବିତରକର ମାଲିକଙ୍କୁ ପଚାରିବାରୁ ସେ ମଧ୍ୟ ସମାନ ଢଙ୍ଗରେ ଉତ୍ତର ଦେଇଥିଲେ । ସେ କହିଥିଲେ ଯେ, ଆପଣମାନେ ଏଠାକୁ ଇ-କେୱାଇସି ଅପଡେଟ କରିବା ପାଇଁ ଆସିଲେ ମଧ୍ୟ ୧୦୦ ଟଙ୍କା ଖର୍ଚ୍ଚ ହେବ ,ତେଣୁ ଘର ଘର ଯାଇ ଅପଡେଟ କରି ୧୦୦ ଟଙ୍କା ନିଆଯାଉଛି ବୋଲି କହିବାରୁ ବାଧ୍ୟ ହୋଇ ଗ୍ରାହକ ଜଣକ ଫୋନପେରେ ୧୦୦ ଟଙ୍କା ପ୍ରଦାନ କରିଥିଲେ । ଟଙ୍କା ନେବା ପାଇଁ ସରକାରି ଭାବେ ଘୋଷଣା ହୋଇନଥିବା ବେଳେ ଚପ୍ରିୟା ଇଣ୍ଡେନ ଗ୍ୟାସ ବିତରକ ଟଙ୍କା ନେଉଥିବା ଯୋଗୁଁ ତୁରନ୍ତ ଏହାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି ।