ଗଡ଼ିଲାନି ଗାଡ଼ି, ଖୋଲିଲାନି ସଟର
ଭୁବନେଶ୍ୱର : କଳାହାଣ୍ଡିରୁ କଟକ, ବରଗଡ଼ରୁ ଭୁବନେଶ୍ୱର, ସମ୍ବଲପୁରରୁ ବାଲେଶ୍ୱର, କୋରାପୁଟ ହେଉ କି ଗଞ୍ଜାମ ସବୁଠି ଓଡ଼ିଶା ବନ୍ଦର ପ୍ରଭାବ ଦେଖିବାକୁ ମିଳିଥିଲା । ବସ୍ଷ୍ଟାଣ୍ଡରେ ସେମିତି ପଡ଼ି ରହିଥିଲା ବଡ଼ ବଡ଼ ବସ୍ । ରାସ୍ତାରେ ଗଡ଼ିଲାନି ଅଟୋ କି ଟାକ୍ସି । କାଁ ଭାଁ ବାଇକ୍ ହିଁ ଦେଖିବାକୁ ମିଳିଥିଲା । ଦୋକାନ ସଟର ବି ଖୋଲିନଥିଲା । କିଛି ଛୋଟକାଟର ପାନ କି ଚା’ ଦୋକାନକୁ ଛାଡ଼ିଦେଲେ ବାକି ସବୁ ବନ୍ଦ ଥିଲା । ବେସରକାରୀ ଅଫିସରେ ବି ତାଲା ଝୁଲିଥିଲା । କେବଳ ସୁରକ୍ଷା ବ୍ୟବସ୍ଥା ସହ ଚାଲିଥିଲା ସରକାରୀ ଅଫିସ୍ । ମଧ୍ୟାହ୍ନ ଯାଏଁ ସାରା ଓଡ଼ିଶାର ଚିତ୍ର ଏମିତି ହିଁ ଥିଲା । ଏହାପରେ ଧିରେଧିରେ ବନ୍ଦ କୋହଳ ହେବାରୁ ଜନଜୀବନ ସ୍ୱାଭାବିକ ହୋଇଥିବା ଲକ୍ଷ୍ୟ କରାଯାଇଥିଲା ।
ସାରା ଓଡ଼ିଶାରେ ସୌମ୍ୟାଶ୍ରୀ ତାତି ଅନୁଭୂତ ହୋଇଛି । କଂଗ୍ରେସ ସମେତ ୮ ଦଳ ପକ୍ଷରୁ ଆହୂତ ଓଡ଼ିଶା ବନ୍ଦ ଡାକରାର ପ୍ରଭାବ ସାରା ରାଜ୍ୟରେ ପରିଲକ୍ଷିତ ହୋଇଛି । ସକାଳ ୬ରୁ ସଂଧ୍ୟା ୬ ପର୍ଯ୍ୟନ୍ତ ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଥିଲା । ବନ୍ଦ ଡାକରା ଦିଆଯାଇଥିବାରୁ ଆଜି ସକାଳୁ ସକାଳୁ ବସଗୁଡ଼ିକ ସେମିତି ବସଷ୍ଟାଣ୍ଡରେ ରହିଥିଲା । ସେହିପରି ଦୋକାନ ବଜାର ବି ଖୋଲିନଥିଲା । ସକାଳ ୭ଟା ୮ଟା ବେଳକୁ କଂଗ୍ରେସ ଓ ଅନ୍ୟଦଳଗୁଡ଼ିକ ପିକେଟିଂ ଆରମ୍ଭ କରିଦେଇଥିଲେ । ଭୁବନେଶ୍ୱରରେ ବରିଷ୍ଠ ନେତା ଭକ୍ତଚରଣ ଦାସ ଓ ପିସିସି ପ୍ରଭାରୀ ଅଜୟ ଲଲୁଙ୍କ ସମେତ ବହୁ ବରିଷ୍ଠ ନେତା ସାମିଲ୍ ହୋଇଥିଲେ ।
ଓଡ଼ିଶା ପ୍ରଦେଶ ଯୁବ କଂଗ୍ରେସ ପକ୍ଷରୁ ରାଜ୍ୟ ଯୁବ କଂଗ୍ରେସ ସଭାପତି ରଞ୍ଜିତ ପାତ୍ରଙ୍କ ନେତୃତ୍ୱରେ ଭୁବନେଶ୍ୱରରେ ଜୋରଦାର ପିକେଟିଂ ହୋଇଥିଲା । ଭୁବନେଶ୍ୱର ଲୋକସଭା ସାଂସଦ ପ୍ରାର୍ଥୀ ୟାସିର ନୱାଜଙ୍କ ନେତୃତ୍ୱରେ ଶତାଧିକ ଯୁବକ ଏକ ବିଶାଳ ମଟର ସାଇକେଲ ରାଲିରେ ଭୁବନେଶ୍ୱରର ବିଭିନ୍ନ ଅଞ୍ଚଳରେ ପିକେଟିଂ କରିଥିଲେ । କେତେକ ସ୍ଥାନରେ କଂଗ୍ରେସ ନେତାମାନେ ପିକେଟିଂ କରିବା ସହ ଆନେ୍ଦାଳନରେ ସହଯୋଗ କରିବାକୁ ଗୋଲାପ ଫୁଲ ଦେଇଥିଲେ । ଲୋକମାନଙ୍କୁ ସେମାନେ ବୁଝାଉଥିବା ଦେଖିବାକୁ ମିଳିଥିଲା । ତେବେ କଂଗ୍ରେସ ପକ୍ଷରୁ ଅତ୍ୟାବଶ୍ୟକୀୟ ସେବା ଉପରେ ପ୍ରତିବନ୍ଧକ ଲାଗିବନି ବୋଲି କୁହାଯାଇଥିଲା । କେତେକ ସ୍ଥାନରେ କଂଗ୍ରେସ କର୍ମୀମାନେ କିନ୍ତୁ ଏହାକୁ ମାନିନଥିଲେ । ମେଡ଼ିକାଲକୁ ଯାଉଥିବା ଲୋକମାନଙ୍କୁ ବି ଅଟକାଇଥିଲେ । ଯାହାକୁ ନେଇ କିଛି ସ୍ଥାନରେ ଉତ୍ତେଜନା ବି ପ୍ରକାଶ ପାଇଥିଲା । ସେହିପରି କେତେକ ବେସରକାରୀ ଅଫିସ୍ ଖୋଲିଥିବାରୁ ସେଠାକୁ କର୍ମଚାରୀମାନେ ଯିବାକୁ ଚାହିଁଥିଲେ । କିନ୍ତୁ ରାସ୍ତାରେ ସେମାନଙ୍କୁ କଂଗ୍ରେସ କର୍ମୀମାନେ ଛାଡ଼ିନଥିଲେ । ଫଳରେ ଅନେକ ମହିଳା ଅସନ୍ତୋଷ ବି ଝାଡ଼ିଛନ୍ତି ।