ଧୋଇଗଲା ପ୍ରଶ୍ନକାଳ ଓ ଶୂନ୍ୟକାଳ
ଭୁବନେଶ୍ୱର : ଜିଦରେ ଅଟଳ ରହିଛି କଂଗ୍ରେସ । ସେପଟେ ପ୍ରତିଦିନ ନୂଆ ପ୍ରସଙ୍ଗକୁ ନେଇ ପ୍ରଶ୍ନକାଳରେ ହଟ୍ଟଗୋଳ କରୁଛି ବିଜେଡ଼ି । ଆଜି ଗୃହ ମଧ୍ୟଭାଗରେ ବିରୋଧୀଙ୍କ ତୁମୁଳ ହଟ୍ଟଗୋଳ ଯୋଗୁଁ ପ୍ରଶ୍ନକାଳ ଓ ଶୂନ୍ୟକାଳ ଧୋଇ ହୋଇଯାଇଛି ।
ଆଜି ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ବିରୋଧୀ କଂଗ୍ରେସ ଓ ବିଜେଡ଼ି ବିଧାୟକମାନେ ଗୃହର ମଧ୍ୟଭାଗକୁ ମାଡ଼ି ଆସିଥିଲେ । କଂଗ୍ରେସ ବିଧାୟକମାନେ ନାରୀ ସୁରକ୍ଷା ନେଇ ଜୋରଦାର ନାରାବାଜି କରି ଗୃହକୁ କମ୍ପାଇ ଦେଇଥିଲେ । ସେପଟେ ରାଜ୍ୟର ବିଭିନ୍ନ ସ୍ଥାନରେ ହୋଲିଦିନ ହତ୍ୟାକାଣ୍ଡକୁ ନେଇ ସରକାରଙ୍କୁ ଟାର୍ଗେଟ୍ କରିଥିଲେ । ଦୁଇ ବିରୋଧୀ ତୁମୁଳ ହଟ୍ଟଗୋଳ କରିବାରୁ ଗୃହରେ ଅସ୍ୱାଭାବିକ ସ୍ଥିତି ସୃଷ୍ଟି ହୋଇଥିଲା । ବାଚସ୍ପତି ସୁରମା ପାଢ଼ୀ ଗୃହକାର୍ଯ୍ୟରେ ସହଯୋଗ କରିବା ପାଇଁ ବାରବାର ନିବେଦନ କରିଥିଲେବି ବିରୋଧୀ ସେଥିପ୍ରତି କର୍ଣ୍ଣପାତ କରିନଥିଲେ । ଅପରପକ୍ଷରେ ପ୍ରଶ୍ନକାଳରେ ମନ୍ତ୍ରୀ ଉତ୍ତର ରଖୁଥିଲେବି ତାହା ସ୍ପଷ୍ଟ ଭାବେ ଶୁଣାଯାଇନଥିଲା । ଏମିତି ହଟ୍ଟଗୋଳ ଭିତରେ ଗୃହ ପ୍ରାୟ ୫ ମିନିଟ୍ ଚାଲିବା ପରେ ବାଚସ୍ପତି ଗୃହକୁ ୧୦ଟା ୩୫ରୁ ୧୨ଟା ୧୫ ପର୍ଯ୍ୟନ୍ତ ବନ୍ଦ କରିଦେଇଥିଲେ । ବିରୋଧୀ ସଦସ୍ୟଙ୍କ ଏଭଳି ଆଚରଣ ପାଇଁ ଗୃହ ମୁଲତବୀ ରଖିବାକୁ ପଡ଼ିଲା ବୋଲି ବାଚସ୍ପତି କହିଥିଲେ ।
୧୨ଟା ୧୫ରେ ଗୃହକାର୍ଯ୍ୟ ପୁନର୍ବାର ଆରମ୍ଭ ହୋଇଥିଲା । ସେତେବେଳେ ବିଜେଡ଼ି ବିଧାୟକମାନେ ନିଜ ନିଜ ଆସନରେ ବସି ରହିଥିଲେ । କିନ୍ତୁ କଂଗ୍ରେସ ପୂର୍ବଭଳି ନାରୀ ସୁରକ୍ଷା ପ୍ରସଙ୍ଗରେ ଗୃହରେ ହଟ୍ଟଗୋଳ କରିବା ସହ ନାରାବାଜି କରିଥିଲେ । କଂଗ୍ରେସ ବିଧାୟକମାନେ ହଟ୍ଟଗୋଳ କରୁଥିବାବେଳେ ବାଚସ୍ପତି ଶିଳ୍ପ ଏବଂ ଗୃହ ଓ ନଗର ଉନ୍ନୟନ ବିଭାଗର ଖର୍ଚ୍ଚଦାବି ଆଲୋଚନା ପାଇଁ ମନ୍ତ୍ରୀଙ୍କୁ ଡାକିଥିଲେ । କିଛି ସମୟ କଂଗ୍ରେସ ବିଧାୟକମାନେ ହଟ୍ଟଗୋଳ କରିବା ସହ କକ୍ଷତ୍ୟାଗ କରିଥିଲେ ।
ଖର୍ଚ୍ଚଦାବି ଆଲୋଚନାରେ ବିଧାୟକ ସର୍ବଶ୍ରୀ ପ୍ରତାପ ଦେବ, ପୂର୍ଣ୍ଣଚନ୍ଦ୍ର ସେଠୀ, ସୁନୀଲ ମହାନ୍ତି, ଦୁଷ୍ମନ୍ତ ସ୍ୱାଇଁ, ତୁଷାରକାନ୍ତି ବେହେରା, ଧ୍ରୁବଚରଣ ସାହୁ, ପ୍ରତାପ ଚନ୍ଦ୍ର ନାୟକ, ସାରଦା ନାୟକ ଓ ସନ୍ତୋଷ ଖଟୁଆ ପ୍ରମୁଖ ଅଂଶଗ୍ରହଣ କରିଥିଲେ । ଆଲୋଚନାର ଉତ୍ତର ରଖି ଶିଳ୍ପମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ କହିଥିଲେଯେ, ସୁନ୍ଦରଗଡ଼ ଜିଲ୍ଲାର ରାଉରକେଲା ଠାରେ ୧୬୦୬, ଖୋର୍ଦ୍ଧାର ଜୟମଙ୍ଗଳ ଠାରେ ୧୩୪୯, ଛତାବର ଶିଳ୍ପାଞ୍ଚଳରେ ୧୪୪୨, ଖୋର୍ଦ୍ଧାର ଶ୍ରମିକ ନିବାସ ଠାରେ ୨ ହଜାର ଏବଂ ବାଲେଶ୍ୱର ଠାରେ ୧୩୪୯ ଶଯ୍ୟା ବିଶିଷ୍ଟ ହଷ୍ଟେଲ ନିର୍ମାଣ କାର୍ଯ୍ୟ ଖୁବଶୀଘ୍ର ଶେଷ ହେବ । ଏହାଛଡ଼ା ବଲାଙ୍ଗୀର, କଟକର ଚୌଦ୍ୱାର, ସମ୍ବଲପୁରର ବସନ୍ତପୁର, ଝାରସୁଗୁଡ଼ା, ବାଲେଶ୍ୱର, ଯାଜପୁର କଳିଙ୍ଗନଗର ଶିଳ୍ପ କମ୍ପ୍ଳେକ୍ସ, ପାରାଦୀପରେ ଏକଜକୁ୍ୟଟିଭ ହଷ୍ଟେଲ ଓ ପ୍ଳାଷ୍ଟିକ ପାର୍କରେ ଶ୍ରମିକମାନଙ୍କ ନିମନ୍ତେ ହଷ୍ଟେଲ ନିର୍ମାଣ କରିବା ସହ ଡେରାଶରେ କର୍ମଜୀବୀ ମହିଳା ହଷ୍ଟେଲ ନିର୍ମାଣ ଜାରିରହିଛି ବୋଲି ସୂଚନା ଦେଇଥିଲେ ।