ଘରୋଇକରଣ ସତ୍ତ୍ୱେ ବିଗୁଡିଛି ପରିମଳ ବ୍ୟବସ୍ଥା

ଖଣ୍ଡପଡା : ଖଣ୍ଡପଡା ସହରକୁ ସ୍ୱଚ୍ଛ, ସୁନ୍ଦର ଓ ପଲିଥିନମୁକ୍ତ କରିବା ପାଇଁ ରାଜ୍ୟ ସରକାରଙ୍କ ନଗର ଉନ୍ନୟନ ବିଭାଗ କର୍ତ୍ତୃପକ୍ଷ ଏନଏସି କର୍ତ୍ତୃପକ୍ଷଙ୍କୁ ବିଭିନ୍ନ ଯୋଜନା ମାଧ୍ୟମରେ ଲକ୍ଷ ଲକ୍ଷ ଟଙ୍କାର ଅନୁଦାନ ଅର୍ଥ ପ୍ରଦାନ କରୁଛନ୍ତି । ମାତ୍ର ସହରାଞ୍ଚଳର ପରିମଳ ବ୍ୟବସ୍ଥାରେ ସୁଧାର ଆସୁ ନ ଥିବାରୁ ସହରବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି । ୧୩ ଟି ୱାର୍ଡକୁ ନେଇ ଗଠିତ ଖଣ୍ଡପଡା ବିଜ୍ଞାପିତ ଅଂଚଳ ପରିଷଦର ପରିମଳ ବ୍ୟବସ୍ଥା ବେଳକୁ ବେଳ ବିଗିଡିବାରେ ଲାଗିଛି । ସହରର ମୁଖ୍ୟ ରାସ୍ତା ପାଶ୍ୱର୍ ଠାରୁ ଆରମ୍ଭ କରି ଗଳିକନ୍ଦି ରାସ୍ତାରେ କୁଢ କୁଢ ଅଳିଆ, ଆବର୍ଜନା, ପଲିଥିନ ଦିନ ଦିନ ଧରି ପଡି ରହୁଛି । ଦୈନିକ ଅଳିଆ, ଆବର୍ଜନା ଗଳିକନ୍ଦିରୁ ଉଠୁନଥିବା ଯୋଗୁଁ ଗନ୍ଧମୟ ପରିବେଶ ସୃଷ୍ଟି ହେଉଛି । ଏ ସମ୍ପର୍କରେ ଏନ୍ଏସି କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ ସତ୍ତ୍ୱେ ମଧ୍ୟ କୌଣସି ସୁଫଳ ମିଳୁ ନ ଥିବାରୁ ସହରବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଛି ।
ପ୍ରକାଶଥାଉକି ସହରାଚଂଳର ପରିମଳ ବ୍ୟବସ୍ଥାରେ ସୁଧାର ଆଣିବା ନିମନ୍ତେ ଏନ୍ଏସି କର୍ତ୍ତୃପକ୍ଷ ଏହାର ଘରୋଇକରଣ କରିଥିଲେ ମଧ୍ୟ ସଫେଇ ଦାୟୀତ୍ୱ ଗ୍ରହଣ କରିଥିବା ସଂସ୍ଥା ଠିକ ରୁପେ କାର୍ଯ୍ୟ କରୁ ନଥିବା ଜଣାପଡିଛି । ଫଳରେ ଏଭଳି ଅଭାବନୀୟ ପରିସ୍ଥିତି ସୃଷ୍ଟି ହେଉଛି । ସହରର ମୁଖ୍ୟ ରାସ୍ତା ଗାଇଗୋରୁଙ୍କ ଯୋଗୁଁ ସଦାସର୍ବଦା ଗୋବରମୟ ହୋଇ ଉଠୁଥିବା ବେଳେ, ରାସ୍ତା ପାଶ୍ୱର୍ ଉଠା ଦୋକାନୀଙ୍କ ଯୋଗୁଁ ସବୁଠି କୁଢ କୁଢ ଠୁଙ୍ଗା, ପ୍ଲାଷ୍ଟିକ ଗ୍ଲାସ୍, ପଲିଥିନ ସବୁକିଛି ପଡିରହିବା ଯୋଗୁଁ ସହରାଚଂଳର ପରିମଳ ବ୍ୟବସ୍ଥା ବିଗିଡିବାରେ ଲାଗିଛି । ଖଣ୍ଡପଡା ଏନଏସି ଅଧ୍ୟକ୍ଷା ଓ ଏନ୍ଏସି କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେବାକୁ ଖଣ୍ଡପଡା ସହରବାସୀ ଦାବି କରିଛନ୍ତି ।