୨ ବର୍ଷ ପରେ ବି ... କାର୍ଯ୍ୟକାରୀ ହେଲାନି ସୁନାମୁହିଁ ଭେଣ୍ଡିଂ ଜୋନ୍
ଖଣ୍ଡପଡା : ସୁନାମୁହିଁ ପରିବେଶ ପର୍ଯ୍ୟଟନସ୍ଥଳୀରେ ପର୍ଯ୍ୟଟକଙ୍କ ସମାଗମକୁ ଦୃଷ୍ଟିରେ ରଖି ଏକ ଭେଣ୍ଡିଂ ଜୋନ ନିର୍ମାଣ କରାଯାଇଥିଲା । ଉକ୍ତ ଭେଣ୍ଡିଂ ଜୋନ ନିର୍ମାଣ ବାବଦରେ ଏନଏସି କର୍ତ୍ତୃପକ୍ଷଙ୍କ ଦ୍ୱାରା ବିଭିନ୍ନ ପର୍ଯ୍ୟାୟରେ ୨୮ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ବିନିଯୋଗ ହୋଇଥିବା ପ୍ରଶାସନ ସୁତ୍ରରୁ ଜଣାପଡିଛି । ଇତିମଧ୍ୟରେ ଭେଣ୍ଡିଂ ଜୋନ ନିର୍ମାଣର ୨ ବର୍ଷ ବିତିଥିଲେ ମଧ୍ୟ ଏହା କାର୍ଯ୍ୟରେ ଲାଗିନଥିବା ନଜରକୁ ଆସୁଛି । ସ୍ଥାନୀୟ ଅଞ୍ଚଳର ବ୍ୟବସାୟୀ ଓ ରାସ୍ତା ପାର୍ଶ୍ୱ ଉଠାଦୋକାନୀଙ୍କ ସୁବିଧାକୁ ଦୃଷ୍ଟିରେ ରଖି ସୁନାମୁହିଁ ପରିବେଶ ପର୍ଯ୍ୟଟନସ୍ଥଳୀ ସମ୍ମୁଖରେ ଆମ୍ବ ଆକୃତିର ଏହି ଭେଣ୍ଡିଂ ଜୋନ ନିର୍ମାଣ କରାଯାଇଥିଲା । ପ୍ରଥମେ ସେଠାରେ ୬ ଟି ଆମ୍ବ ଆକୃତି ଫାଇବରରେ ଦୋକାନ ଗୃହ ନିର୍ମାଣ କରାଯାଇଥିବା ବେଳେ ପ୍ରତ୍ୟେକ ଦୋକାନ ସମ୍ମୁଖରେ ୪ଟି ଲେଖାଏଁ ସମୁଦାୟ ୨୪ଟି ଆମ୍ବ ଆକୃତି ଚୌକି ନିର୍ମାଣ କରାଯାଇଥିଲା । ଗତ ୨୦୨୩ ଏପ୍ରିଲ ମାସରେ ଏହି ଭେଣ୍ଡିଂ ଜୋନ ନିର୍ମାଣ ନିମନ୍ତେ ଶିଳାନ୍ୟାସ ଉସôବ ଅନୁଷ୍ଠିତ ହୋଇଥିଲା । ଗତ ୬ ମାସ ତଳେ ଭେଣ୍ଡିଂ ଜୋନ ନିର୍ମାଣ କାର୍ଯ୍ୟ ଶେଷ ହୋଇଥିଲେ ହେଁ ଅଦ୍ୟାବଧି ସେଠାରେ ପାନୀୟଜଳ ସୁବିଧା ନଥିବା ବେଳେ ବିଦୁ୍ୟତ ସଂଯୋଗୀକରଣ କାର୍ଯ୍ୟ ବାକି ଥିବା ଜଣାପଡିଛି । ଜନବସତି ଠାରୁ ଅନତି ଦୂରରେ ଥିବା ଏହି ଭେଣ୍ଡିଂ ଜୋନରେ ବ୍ୟବସାୟୀମାନେ ଦୋକାନ ଗୃହ ଗୁଡିକୁ ନେବାକୁ ଅନିଚ୍ଛା ପ୍ରକାଶ କରୁଥିବା ନେଇ ସାଧାରଣରେ ଆଲୋଚନା ହେଉଛି । ତେଣୁ ଉକ୍ତ ଭେଣ୍ଡିଂ ଜୋନ୍ର କାର୍ଯ୍ୟକାରିତା ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଯଦି ଏହି ଭେଣ୍ଡିଂ ଜୋନ୍ କାର୍ଯ୍ୟକାରୀ ନ ହେବ ସରକାରୀ ଅନୁଦାନ ଅର୍ଥ ପାଣିରେ ପଡିବା ସାର ହେବ ବୋଲି ସାଧାରଣରେ ଆଲୋଚନା ହେଉଛି । ଏଥିପ୍ରତି ଖଣ୍ଡପଡ଼ା ଏନଏସି କର୍ତ୍ତୃପକ୍ଷ ଓ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବାକୁ ଖଣ୍ଡପଡ଼ା ସହରବାସୀ ଦାବି କରିଛନ୍ତି ।