ଘେଁସ କଲେଜ ହେଲା ଶହୀଦ ମାଧୋ ସିଂହ ସ୍ମାରକୀ ମହାବିଦ୍ୟାଳୟ 

ଘେଁସ କଲେଜ ହେଲା ଶହୀଦ ମାଧୋ ସିଂହ ସ୍ମାରକୀ ମହାବିଦ୍ୟାଳୟ 

ଘେଁସର ମହାନାୟକଙ୍କୁ ଉପଯୁକ୍ତ ସମ୍ମାନ ପ୍ରଦର୍ଶନ କରାଯିବ : ମୁଖ୍ୟମନ୍ତ୍ରୀ 


ଭୁବନେଶ୍ୱର : ବରଗଡ ଜିଲ୍ଲା ଘେଁସଠାରେ ରାଜ୍ୟସ୍ତରୀୟ ବୀରତା ଦିବସ ଏବଂ ଶହୀଦ ମାଧୋ ସିଂହଙ୍କ ସ୍ମୃତି ସମାରୋହ ଅବସରରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେଇ ଘେଁସ ଗ୍ରାମରେ ଶହୀଦଙ୍କ ସ୍ମାରକୀ ପ୍ରତିଷ୍ଠା ହେବ ଏବଂ ଏଥିରେ ତାଙ୍କ ପ୍ରତିମୂର୍ତ୍ତି ନିର୍ମାଣ ସହିତ ଏକ ସ୍ୱାଗତ ତୋରଣ, କମ୍ୟୁନିଟି ସେଣ୍ଟର ପ୍ରତିଷ୍ଠା କରାଯିବ ବୋଲି କହିଛନ୍ତି । ଏଥିପାଇଁ ୬.୨୬ କୋଟି ଟଙ୍କା ଖର୍ଚ୍ଚ ହେବ । ରାଜ୍ୟ ସରକାର ବରପୁତ୍ର ଐତିହ୍ୟ ଗ୍ରାମ ଯୋଜନାରେ ପ୍ରଥମ ପର୍ଯ୍ୟାୟରେ ୨୫ ଜଣ ବରପୁତ୍ରଙ୍କ ଜନ୍ମପୀଠର ବିକାଶ କରୁଛନ୍ତି । ଏହି ଯୋଜନାରେ ୧୫ କୋଟି ଟଙ୍କା ବିନିଯୋଗରେ ଶହୀଦ ମାଧୋ ସିଂହଙ୍କ ଜନ୍ମପୀଠ ଓ ଗ୍ରାମର ବିକାଶ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। 

  ଘେଁସ କଲେଜକୁ ଶହୀଦ ମାଧୋ ସିଂହ ସ୍ମାରକୀ ମହାବିଦ୍ୟାଳୟ ନାମରେ ନାମିତ କରାଗଲା ବୋଲି ଘୋଷଣା କରିଛନ୍ତି । ଏଥି ସହିତ ୪ କୋଟି ୪୦ ଲକ୍ଷ ବ୍ୟୟରେ ୧୦୦ ଆସନ ବିଶିଷ୍ଟ ଏକ ଆଧୁନିକ ଅର୍ବାନ ମଡର୍ଣ୍ଣ ଗାର୍ଲ୍‌ସ ହଷ୍ଟେଲ ମଧ୍ୟ ନିର୍ମାଣ କରାଯିବ ଏବଂ ଘେଁସ କଲେଜକୁ ସମ୍ପୂର୍ଣ୍ଣ ନୂଆରୂପରେ ବିକାଶ କରାଯିବ ବୋଲି ସେ ଘୋଷଣା କରିଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେଯେ, ମାଧୋ ସିଂହଙ୍କ ତ୍ୟାଗ କେବଳ ଓଡିଶା ନୁହେଁ, ସାରା ଭାରତ ଏପରିକି ବିଶ୍ୱ ଇତିହାସରେ ବିରଳ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ଦେଶପାଇଁ ସେ ନିଜ ଜୀବନ ସହିତ ନିଜର ଚାରି ପୁଅ ଓ ଜାମାତାଙ୍କର ମଧ୍ୟ ବଳିଦାନ ଦେଇଥିଲେ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ମୁଖ୍ୟମନ୍ତ୍ରୀ କହିଥିଲେଯେ, ଆଦିବାସୀ କେବଳ ଯୁଦ୍ଧ ନୁହେଁ, ସମାଜ ଗଠନ ଦିଗରେ, ସାମାଜିକ ଶୃଙ୍ଖଳା ରକ୍ଷା ଦିଗରେ ମଧ୍ୟ ନିଜର ଯୋଗଦାନ ଦେଇଆସିଛନ୍ତି । ଶହୀଦ ମାଧୋ ସିଂଙ୍କୁ ନିଜର ଆଦର୍ଶ ମନେକରି ବିଂଝାଳ ଜାତି ତାଙ୍କ ବୀରତା ଦିବସରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ଆଗାମୀ ପିଢ଼ି ସହିତ ପରିଚିତ କରିବାର ପ୍ରଶଂସନୀୟ କାର୍ଯ୍ୟ କରୁଛନ୍ତି ବୋଲି କହିବା ସହିତ ଆଦିବାସୀ କଲ୍ୟାଣ ସଂଘକୁ ମୁଖ୍ୟମନ୍ତ୍ରୀ ସାଧୁବାଦ ଜଣାଇଥିଲେ ।


  ମୁଖ୍ୟମନ୍ତ୍ରୀ ଆହୁରି କହିଥିଲେଯେ, ଜନଜାତି ବର୍ଗର ଛାତ୍ରଛାତ୍ରୀଙ୍କ ମଧ୍ୟରେ ସ୍କୁଲ୍‌ ଡ୍ରପ-ଆଉଟ୍‌ ହାର ରୋକିବା ପାଇଁ‘ଶହୀଦ ମାଧୋ ସିଂ ହାତଖର୍ଚ୍ଚ’ ଯୋଜନା ପ୍ରସ୍ତୁତ ହୋଇଛି । ଏହି ଯୋଜନାରେ ଛାତ୍ରଛାତ୍ରୀ ମାନଙ୍କୁ ନବମ ଓ ଏକାଦଶ ଶ୍ରେଣୀରେ ଅଧ୍ୟୟନ ପାଇଁ ଏକକାଳୀନ ସହାୟତା ରାଶି ଭାବରେ ଛାତ୍ରଛାତ୍ରୀ ପିଛା ୫ ହଜାର ଟଙ୍କା ପ୍ରଦାନ କରାଯାଉଛି । କାର୍ଯ୍ୟକ୍ରମର ପରିସମାପ୍ତି ପରେ ମୁଖ୍ୟମନ୍ତ୍ରୀ ଶହୀଦ ମାଧୋ ସିଂଙ୍କ ବାସଗୃହ ପରିସରରେ ତାଙ୍କ ପରିବାର ବର୍ଗଙ୍କୁ ଭେଟିଥିଲେ । କାର୍ଯ୍ୟକ୍ରମରେ ବରଗଡ ସାଂସଦ ପ୍ରଦୀପ ପୁରୋହିତ, ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାୟକ, ବରଗଡ ବିଧାୟକ ଅଶ୍ୱିନୀ କୁମାର ଷଡଙ୍ଗୀ, ଅତାବିରା ବିଧାୟକ ନିହାର ରଞ୍ଜନ ମହାନନ୍ଦ, ଭଟଲି ବିଧାୟକ ଇରାଶିଷ ଆଚାର୍ଯ୍ୟ, ବିଜେପୁର ବିଧାୟକ ସନତ କୁମାର ଗଡତିଆ, ପଦ୍ମପୁର ବିଧାୟିକା ବର୍ଷା ସିଂ ବରିହା, ବିଶିଷ୍ଟ କୋଶଳି କବି ପଦ୍ମଶ୍ରୀ ଡକ୍ଟର ହଳଧର ନାଗ, ଶହୀଦ ମାଧୋ ସିଂଙ୍କ ଦାୟାଦ ଲୋକେଶ୍ୱର ସିଂ ବରିହା, ଜିଲ୍ଲାପାଳ ଆଦିତ୍ୟ ଗୋୟଲ ପ୍ରମୁଖ ଉପସ୍ଥିତ ଥିଲେ ।