ଐନ୍ଦ୍ରଜାଲିକ ସଂସାର
ସୌର ଚନ୍ଦ୍ର ମହାପାତ୍ର : ଆମେମାନେ ସବୁ କୁହୁକ ବିଦ୍ୟା ଯାହାକୁ ଇନ୍ଦ୍ରଜାଲ, ଭୋଜ ବିଦ୍ୟା କୁହାଯାଏ, ଦେଖିଥାଉ। ପଲକ ମାତ୍ରକେ ଆମ ଆଗରେ ମୁହୂର୍ତ୍ତକ ମଧ୍ୟରେ ଆମ୍ବ ଗଛଟିଏ ଠିଆ କରିଦେବା ଘଟଣାକୁ ଅନେକ ସାମ୍ନା କରିଥାଉ। ବାସ୍ତବରେ ମୂଳକଥା ହେଉଛି ଏ ସଂସାର ମଧ୍ୟ ମନ ବୋଲି ଗୋଟିଏ ଐନ୍ଦ୍ରଜାଲିକର ସୃଷ୍ଟି । ମାଟିରୁ ମାଠିଆ, ପଲମ, ଠେକି ଆଦି ନାନା ପ୍ରକାର ଘଟ ତିଆରି ହୁଏ । ସେଗୁଡ଼ିକ ଭାଙ୍ଗିଗଲେ ପୁଣି ମାଟିରେ ମଶି ମାଟି ହୋଇଯାଏ । ସେହିପରି ଏ ସମଗ୍ର ସଂସାର ନିରାକାର ସଚ୍ଚିଦାନନ୍ଦଙ୍କ ଠାରୁ ହିଁ ମନର ଅବିଦ୍ୟା ଓ ଅଜ୍ଞାନରୁ ସାକାର ଭାବରେ କିଛି ସମୟ ପାଇଁ ପ୍ରକାଶିତ ହୁଏ । ଏସବୁ ନାମ ଓ ରୂପ ଗ୍ରହଣ କରିବାରୁ କେତେକ ବସ୍ତୁ ଆମର ଦରକାରରେ ଆସେ, ଆଉ କେତେକ ଦରକାର ହୁଏ ନାହିଁ । ମାତ୍ର ସମସ୍ତ ରୂପ ସେହି ବ୍ରହ୍ମରୂପ, ସମସ୍ତେ ବ୍ରହ୍ମ । ଏହି ତତ୍ତ୍ୱରେ ଚିତ୍ତକୁ ସ୍ଥିର କର । ଆମେ ଜଣେ ଜଣେ ନିଜେ ଯେ ପରଂବ୍ରହ୍ମ ସ୍ୱରୂପ ସବୁବେଳେ ଏହି ଭାବନାରେ ମଜ୍ଜି ରହିବା ଉଚିତ । ଏହା ହିଁ ଆମ ମାନଙ୍କୁ ଜ୍ଞାନ ଲାଭ ପ୍ରଦାନ କରିପାରିବ ।
ଐକ୍ୟ ଜ୍ଞାନ ଯାହା ଶିକ୍ଷା ଦିଏ, ତାହାକୁ ଅଦ୍ୱୈତ କୁହାଯାଏ । ଯେଉଁ ତତ୍ତ୍ୱ ପ୍ରେମିକ ଓ ପ୍ରିୟବସ୍ତୁ ବା ଜୀବ ଓ ବ୍ରହ୍ମ ଅଲଗା ଅଲଗା ବୋଲି କହେ ତାହା ଦ୍ୱୈତ। ଯେଉଁ ବାଦ ପ୍ରେମ, ପ୍ରେମିକ ଓ ପ୍ରିୟବସ୍ତୁ ବା ପ୍ରକୃତି, ଜୀବ ଓ ବ୍ରହ୍ମ ତିନୋଟି ଯାକ ବିଭିନ୍ନ ବୋଲି ବିଶ୍ୱାସ କରେ ତାହା ବିଶିଷ୍ଟାଦ୍ୱୈତ । ମାତ୍ର ପ୍ରକୃତରେ ତିନୋଟିଯାକ ଏକ । ଯେଉଁ ଶିଶୁଟି ଜନ୍ମ ହୁଏ, ସେ ଦିନେ କିଶୋର, ପୁଣି ପରେ ଗୃହସ୍ଥ ହୁଏ । ମାତ୍ର ଶିଶୁ, କିଶୋର ଓ ଗୃହସ୍ଥ ସେହି ଏକା ମନୁଷ୍ୟ ନୁହେଁ କି ? ଟିକିଏ ମନେ ପକାନ୍ତୁ ଆମେ ନିତିଦିନିଆ ଜୀବନରେ କ୍ଷୀର ବ୍ୟବହାର କରିଥାଉ । ଏହି କ୍ଷୀରରୁ ଲହୁଣୀ ଓ ଦହି ମଧ୍ୟ ବାହାରି ଥାଏ । ତେବେ କ୍ଷୀର ମଧ୍ୟରେ ଏ ସମସ୍ତ ଥିବାରୁ ଏହା ହେଲା ଅଦ୍ୱୈତ । ତାପରେ ଲହୁଣୀରେ ଦ୍ୱିବିଧ ବସ୍ତୁ ଥିବାରୁ ତାହା ହେଲା ଦ୍ୱୈତ । ଦହି ହେଲା ବିଶିଷ୍ଟା ଦ୍ୱୈତ । କ୍ଷୀର, ଲହୁଣୀ ଓ ଦହିର ସ୍ୱାଦ ଅଲଗା ହେଲେ ମଧ୍ୟ ଏଗୁଡ଼ିକର ରଙ୍ଗ ସମାନ । ସମସ୍ତ ଭିତରେ ବ୍ୟାପ୍ତ ଏହି ଏକ ରଙ୍ଗ ହେଲା ନିର୍ଗୁଣ ବ୍ରହ୍ମ । ଐକ୍ୟ ନିମନ୍ତେ ଈଶ୍ୱରଙ୍କ ସହ ଆମ୍ଭେମାନେ ଆକୁଳ ନ ହୋଇ ଚାହିଁବା ଉଚିତ ଯେ ପ୍ରଭୁଙ୍କର ଇଛାରେ ଅଧୀନ ହୋଇ ମନପ୍ରାଣ ଦେଇ ତାଙ୍କର ସେବା କରିବ ଏବଂ ସେ କଳ୍ପନା କରିଥିବା ପ୍ରଭୁଙ୍କ ରୂପର ମାଧୁର୍ଯ୍ୟ ଆସ୍ୱାଦନ କରିବ। ପରମେଶ୍ୱର କୃପାଶୀଳ ହୋଇ ତାକୁ ସାଯୁଜ୍ୟ ମୁକ୍ତି ମଧ୍ୟ ପ୍ରଦାନ କରନ୍ତି । ଭକ୍ତିମାର୍ଗର ପରିଣତି ବ୍ରହ୍ମଜ୍ଞାନପ୍ରାପ୍ତି । ଭକ୍ତ କାମନା ନକଲେ ମଧ୍ୟ ଭଗବାନ ସ୍ୱତଃ ଏହା ତାକୁ ଦେଇଥାନ୍ତି । କୃପାମୟଙ୍କ ଏହି ଦିବ୍ୟ ଆଶୀର୍ବାଦ ଆମ ସମସ୍ତଙ୍କ ଜୀବନକୁ ଆଧ୍ୟାତ୍ମିକ ଉପଲବ୍ଧିରେ ପୂରଣ କରିଦିଏ ।
ମୋ: ୯୪୩୭୦୦୪୪୬୬
Samir Kumar Rout