ଚଳିତ ରଣଜୀରେ ଓଡ଼ିଶାର ପ୍ରଥମ ବିଜୟ : ନାଗାଲାଣ୍ଡକୁ ୨୯୯ରେ ହରାଇଲା

ଭୁବନେଶ୍ୱର : ନୈରାଶ୍ୟଜନକ ପ୍ରଦର୍ଶନ ପରେ ଶେଷରେ ଚଳିତ ରଣଜୀ ସିଜିନରେ ପ୍ରଥମ ବିଜୟ ହାସଲ କରିଛି ଓଡିଶା । ଘରୋଇ ମଇଦାନରେ ଓଡିଶା ଭ୍ରମଣକାରୀ ନାଗାଲାଣ୍ଡକୁ ୨୯୯ ରନରେ ହରାଇଛି । ବିଶାଳ ବିଜୟ ସହ ଏଲିଟ୍‌ ଗ୍ରୁପ ଏରେ ଅଷ୍ଟମ ସ୍ଥାନକୁ ଉଠିଛି ଓଡିଶା । ଚଳିତ ସିଜିନରେ ପଞ୍ଚମ ମ୍ୟାଚରୁ ଓଡିଶାର ଏହା ପ୍ରଥମ ବିଜୟ । ସ୍ୱସ୍ତିକ ସାମଲଙ୍କ ୧୬୯ ରନ ଓ ଅଧିନାୟକ ଶୁଭ୍ରାଂଶୁ ସେନାପତିଙ୍କ ୧୩୭ ରନର ଶତକୀୟ ଇନିଂସ ପରେ ଗୋବିନ୍ଦ ପୋଦ୍ଦାରଙ୍କ ୫ ୱିକେଟ୍‌ ବଳରେ ଓଡିଶା ନାଗାଲାଣ୍ଡକୁ ହରାଇ ପାରିଛି । ଓଡିଶା ୫ଟି ମ୍ୟାଚ୍‌ ଖେଳି ୩ ପରାଜୟ, ଗୋଟିଏ ଡ୍ର ଓ ଗୋଟିଏ ବିଜୟ ସହ ୭ ପଏଣ୍ଟ ପାଇଛି ।
ଭୁବନେଶ୍ୱର ସ୍ଥିତ କିଟ୍‌ ଷ୍ଟାଡିୟମରେ ଖେଳା ଯାଇଥିବା ରଣଜୀ ମୁକାବିଲାରେ ଓଡିଶା ପ୍ରଥମେ ବ୍ୟାଟିଂ କରିଥିଲା । ଅନୀଲ ପରିଡାଙ୍କ ଅପରାଜିତ ୧୧୮ ରନ ଓ ବିପ୍ଳବ ସାମନ୍ତରାୟଙ୍କ ୯୨ ରନ ବଳରେ ୨୭୫ ରନ କରିଥିଲା ଓଡିଶା । ଜବାବରେ ନାଗାଲାଣ୍ଡ ୧୬୧ ରନରେ ଅଲଆଉଟ୍‌ ହୋଇଥିଲା । ଦଳ ପକ୍ଷରୁ ଦେଗା ନିତ୍ସଲ ୭୨ ରନ କରିଥିଲେ । ଓଡିଶା ପକ୍ଷରୁ ରାଜେଶ ମହାନ୍ତି, ସମ୍ବିତ ଏସ ବରାଲ ଓ ଗୋବିନ୍ଦ ପୋଦ୍ଦାର ପ୍ରତ୍ୟେକ ୩ଟି ଲେଖାଏଁ ୱିକେଟ୍‌ ନେଇଥିଲେ ।


       ୧୧୪ ରନର ଅଗ୍ରଣୀ ହାସଲ କରିଥିବା ଓଡିଶା ଦ୍ୱିତୀୟ ଇନିଂସରେ ଦମଦାର ବ୍ୟାଟିଂ କରିଥିଲା । ସ୍ୱସ୍ତିକ ସାମଲ ୧୬୯ ରନର ଦମଦାର ଇନିଂସ ଖେଳିଥିଲେ । ଏଥିରେ ୧୧ ଚୌକା ଓ ୬ ଛକା ସାମିଲ୍‌ । ଏହା ସହ ଅଧିନାୟକ ଶୁଭ୍ରାଂଶୁ ସେନାପତି ମଧ୍ୟ ୧୩୭ ରନର ଶତକୀୟ ଇନିଂସ ଖେଳି ଓଡିଶାର ସ୍ଥିତି ମଜଭୁତ କରିଥିଲେ । ଦ୍ୱିତୀୟ ଇନିଂସରେ ସ୍ୱସ୍ତିକ ଓ ସେନାପତିଙ୍କ ମଧ୍ୟରେ ୩ୟ ୱିକେଟରେ ୨୬୧ ରନର ଭାଗିଦାରୀ ହୋଇଥିଲା । ଓଡିଶା ୫ ୱିକେଟ୍‌ ହରାଇ ୩୫୦ ରନ ସ୍କୋରରେ ପାଳି ସମାପ୍ତି ଘୋଷଣା କରିଥିଲା । ଆଉ ନାଗାଲାଣ୍ଡ ସମ୍ମୁଖରେ ଥିଲା ୪୬୪ ରନର ବିଶାଳ ବିଜୟ ଲକ୍ଷ୍ୟ । ଜବାବରେ ଭ୍ରମଣକାରୀ ଦଳ ଓଡିଶା ବୋଲରଙ୍କ ଶାଣିତ ବୋଲିଂର ମୁକାବିଲା କରି ପାରି ନ ଥିଲା । ବିଶେଷ କରି ଗୋବିନ୍ଦ ପୋଦ୍ଦାର ଘାତକ ବୋଲିଂ କରି ନାଗାଲାଣ୍ଡର ବ୍ୟାଟିଂ ବିପର୍ଯ୍ୟୟ ଘଟାଇଥିଲେ । ନାଗାଲାଣ୍ଡ ପକ୍ଷରୁ ଡେଗା ନିତ୍ସଲ ସର୍ବାଧିକ ୫୨ ରନ କରିଥିଲେ । ଦଳ ୧୬୫ ରନରେ ଅଲଆଉଟ୍‌ ହୋଇଥିଲା । ଆଉ ଓଡିଶା ମ୍ୟାଚକୁ ୨୯୯ ରନରେ ଜିତି ନେଇଥିଲା । ଗୋବିନ୍ଦ ପୋଦ୍ଦାର ୬୯ ରନ ଦେଇ ୫ ୱିକେଟ୍‌ ଓ ବାଦଲ ବିଶ୍ୱାଳ ୩୮ ରନ ଦେଇ ୩ଟି ୱିକେଟ୍‌ ନେଇଥିଲେ ।