ଚାରି ଲେନ୍ ରାସ୍ତା ପାଇଁ ପ୍ରଧାନମନ୍ତ୍ରୀଙ୍କୁ କୃତଜ୍ଞତା
ଅନୁଗୁଳ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପୂର୍ବୋଦୟ ମିଶନରେ ଓଡିଶାର ଦ୍ରୁତ ବିକାଶ ଚାଲିଛି । ଡବଲ ଇଂଜିନ ସରକାର ବିକଶିତ ଓଡିଶା ପାଇଁ ସଂକଳ୍ପ ନେଇ କାର୍ଯ୍ୟ କରୁଛନ୍ତି । ଅନୁଗୁଳ ଜିଲ୍ଲାର ବିକାଶ ପାଇଁ ସଦାସର୍ବଦା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରୟାସ ଜାରି ରଖିଛନ୍ତି ବୋଲି ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି ପ୍ରକାଶ କରିଛନ୍ତି । ଅନୁଗୁଳ ଥାନା ଚକରୁ ମହୀଧରପୁର ଦେଇ ଆଠଗଡ ପର୍ଯ୍ୟନ୍ତ ପୁରୁଣା କଟକ ସମ୍ବଲପୁର ରାସ୍ତା ତଥା ଏନଏଚ ୬୫୫କୁ ଚାରି ଲେନରେ ପରିଣତ କରିବା ପାଇଁ କେନ୍ଦ୍ର ସରକାର ମଞ୍ଜୁରୀ ପ୍ରଦାନ କରିଛନ୍ତି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉକ୍ତ ରାସ୍ତା ବିଷୟରେ କେନ୍ଦ୍ର ସରକାରଙ୍କର ଦୃଷ୍ଟି ଆକର୍ଷଣ କରିବା ସହ ସଡକ ପରିବହନ ମନ୍ତ୍ରୀ ନିତିନ ଗଡକରୀଙ୍କର ଦୃଷ୍ଟି ଆକର୍ଷଣ କରିଥିଲେ ଏବଂ ସଂସଦରେ ଉକ୍ତ ବିଷୟରେ ମୁଁ ଉପସ୍ଥାପନ କରିଥିଲି ବୋଲି ସାଂସଦ ଶ୍ରୀ ପାଣି ପ୍ରକାଶ କରିଛନ୍ତି । ସେଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର ସଡକ ପରିବହନ ମନ୍ତ୍ରୀ ନିତିନ ଗଡକରୀ,କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଧନ୍ୟବାଦ ଜଣାଉଛି ବୋଲି ସାଂସଦ କହିଛନ୍ତି । ସେହିପରି ବିଜେପି ଜିଲ୍ଲା ସଭାପତି ଯଯାତି ପଟ୍ଟନାୟକ, ବିଧାୟକ ଅଶୋକ ମହାନ୍ତି, ପ୍ରତାପ ଚନ୍ଦ୍ର ପ୍ରଧାନ ଓ ଅଗସ୍ତି ବେହେରା, ବରିଷ୍ଠ ନେତା କାଳନ୍ଦି ସାମଲ, ପ୍ରାକ୍ତନ ମନ୍ତ୍ରୀ ସଂଜୀବ ସାହୁ, ପ୍ରାକ୍ତନ ବିଧାୟକ ରମେଶ ସାଏ, ପ୍ରାକ୍ତନ ଜିଲ୍ଲା ସଭାପତି ଦିଲେଶ୍ୱର ପ୍ରଧାନ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ପ୍ରତିମା ମିଶ୍ର ଓ ଜୋନାଲ ମିଡ଼ିଆ ସେଲ ସଂଯୋଜକ ପର୍ଶୁରାମ ବାରିକ ପ୍ରମୁଖ ଉକ୍ତ ଜାତୀୟ ରାଜପଥର ଚାରି ଲେନ କାର୍ଯ୍ୟ ମଞ୍ଜୁରୀ ପାଇଁ ମଧ୍ୟ କୃତଜ୍ଞତା ଜଣାଇଛନ୍ତି ।