ଚାଷ ଜମି କିସମ ପରିବର୍ତ୍ତନର ତଦନ୍ତ ଦାବି
ଜୟପୁର: ଆଗାମୀପିଢୀ ସହରର ଆଖପାଖ ଅଞ୍ଚଳରେ ଆଉ ଦେଖିବାକୁ ପାଇବେ ନାହିଁ ଚାଷ ଜମି । ପୂର୍ବରୁ ଏକ ପ୍ରବାଦ ରହିଛି ଚାଷ କାମ ଯାହାର, କେତେ ସୁଖ ତାହାର । କିନ୍ତୁ ବର୍ତ୍ତମାନ ଏହା ପ୍ଲଟ ଅଛି ଯାହାର, କେତେ ସୁଖ ତାହାର ହୋଇଛି । କେବଳ ଓଡ଼ିଶା ଲେଣ୍ଡ ରିଫର୍ମ ଆକଟ ୧୯୬୦ ପରିବର୍ତ୍ତିତ ଧାରା ୮ଏ ଯୋଗୁଁ । ପୂର୍ବରୁ ରହିଥିଲା ଓଏଲଆର ଆକଟ୍ ୧୯୬୦ର ଧାରା ୧ସିରେ କୌଣସି ଚାଷ ଜମି କିସମ ଧାନ-୧,୨,୩,ର କିସମ ପରିବର୍ତ୍ତନ ହୋଇପାରିବ ନାହିଁ । କିନ୍ତୁ ପରବର୍ତ୍ତୀ ସମୟରେ ଏକ ଅଧ୍ୟାଦେଶ ମାଧ୍ୟମରେ ସଂଶୋଧନ କରି ଓଏଲଆର ୧୯୬୦ର ଧାରା ୮ଏ ନିୟମ ଅନୁଯାୟୀ କିଛି ରାଜସ୍ୱ ଦେଇ ଚାଷ ଜମିର କିସମ ପରିବର୍ତ୍ତନ କରାଯାଇପାରିବ ବୋଲି ଉଲ୍ଲେଖ ରହିଛି, କିନ୍ତୁ ବର୍ତ୍ତମାନ ଏହି ଧାରାର ଏକ ପୁନର୍ବାର ସମୀକ୍ଷା କରିବାର ଆବଶ୍ୟକ ରହିଛି । ଏହି ଚାଷ ଜମି କିସମ ପରିବର୍ତ୍ତନ ପରିପ୍ରେକ୍ଷୀରେ ଚାଷୀ ଫର୍ମ ୨୬ରେ ଆବେଦନ କଲେ, ଏହାର ଏକ ତଦନ୍ତ ସ୍ଥାନୀୟ ତହସିଲ କାର୍ଯ୍ୟାଳୟ କରି ଏକ ରିପୋର୍ଟ ଉପଜିଲ୍ଲାପାଳଙ୍କୁ ଆପ୍ରୁଭାଲ ପାଇଁ ଦେବେ । କିନ୍ତୁ ଏହି ଚାଷ ଜମି କିସମ ପରିବର୍ତ୍ତନ ତଦନ୍ତର ନିୟମ ରହିଛି । ଅଧିକାରୀ ନିହାତି ଦେଖିବେ ଜମି କିସମ ପରିବର୍ତ୍ତନ କଲେ ଜଳ ସ୍ରୋତ ବାଧାପ୍ରାପ୍ତ ହେଉଛି କି, ପାଣି ଜମି ରହୁଛି କି, ଅନ୍ୟ ଚାଷୀମାନେ ନିଜ ଜମିକୁ ଯିବାରେ ବାଧା ସୃଷ୍ଟି ହେବ କି ଇତ୍ୟାଦି ଦେଖିବା ଜରୁରୀ ଅଟେ । କିନ୍ତୁ ବର୍ତ୍ତମାନ ଚାଷୀ ଚାଷ କରି ଲାଭବାନ ହେଉନଥିବା ଯୋଗୁଁ ସହର କଡୋରେ ଥିବା ଧାନ କିସମ ୧,୨,୩ କୁ ଜମି ବ୍ୟବସାୟୀମାନଙ୍କୁ ଘର କରିବା ପ୍ଲଟ ନିମନ୍ତେ ବିକ୍ରି କିମ୍ବା ଲିଜ୍ ସୂତ୍ରରେ ଦେଉଛନ୍ତି ଏବଂ ଏହାକୁ ବିନା ରାଜସ୍ୱ ଦେଇ ମାଟି ପକାଇ ପୋତିଦେଇ ଏହା ଚାଷ ପାଇଁ ଅନୁପଯୁକ୍ତ ଦର୍ଶାଇ ଘରବାରି କିସମ ପରିବର୍ତ୍ତନ କରିବାକୁ ଆବେଦନ କରୁଛନ୍ତି । ଏହି ଆବେଦନର ତଦନ୍ତରେ ଜମି ମାଫିଆମାନଙ୍କ ଠାରୁ ଆପ୍ୟାୟିତ ହୋଇ ଭୁଲ ତଥ୍ୟ ତହସିଲ କର୍ତ୍ତୃପକ୍ଷ ଦେଇ ଏହାକୁ ଉପ ଜିଲ୍ଲାପାଳଙ୍କ ଅନୁମତି ନିମନ୍ତେ ପଠାଇଥାନ୍ତି ଏବଂ ଏହାକୁ ଉପଜିଲ୍ଲାପାଳ ମଧ୍ୟ ଉଚିତ ତଦନ୍ତ କରି ଦେବା ବିଧେୟ କିନ୍ତୁ ବିଗତ ଦିନରେ ଜୟପୁର ଉପଜିଲ୍ଲାପାଳ ଭାବେ ନିୟୋଜିତ ହୋଇଥିବା ଲୋକନାଥ ଦଳବେହେରା ଓଏଏସ, ବେଦବର ପ୍ରଧାନ ଓଏଏସ, ହେମକାନ୍ତ ସଏ ଆଇଏଏସ ଭଳି ଅଧିକାରୀମାନେ ଧାନ ୧,୨,୩ ର କିସମ ପରିବର୍ତ୍ତନ କରିବାକୁ ଅନୁମତି ଦେଇଛନ୍ତି । ଏହା ସୂଚନା ଅଧିକାର ଆଇନ ଅନୁଯାୟୀ ପ୍ରାପ୍ତ ସୂଚନାରୁ ଜଣାପଡିଛି ଯେ, ଉପଜିଲ୍ଲାପାଳମାନେ ଅତ୍ୟଧିକ ଆପ୍ୟାୟିତ ହୋଇଥିବା ନେଇ ସନେ୍ଦହ ସୃଷ୍ଟି ହୋଇଛି । ବିଗତ ଦିନରେ ଧର୍ମଗଡ ଉପ ଜିଲ୍ଲାପାଳ ଧୀମାନ ଚକମା ଆଇଏଏସ ଏବଂ ପ୍ରଶାନ୍ତ କୁମାର ରାଉତ ଉପ ଜିଲ୍ଲାପାଳ ନବରଙ୍ଗପୁରଙ୍କ ଠାରୁ ରାଜ୍ୟ ଦୁର୍ନୀତି ନିବାରଣ ବିଭାଗ ଠାବ କରିଥିବା ବିପୁଳ କଳାଧନ ରାଶିକୁ ନେଇ ଜୟପୁର ଠାରେ ବିଗତ ଦିନରେ ଏବଂ ବର୍ତ୍ତମାନ ରିହିଥିବା ତହସିଲଦାର ଏବଂ ଉପଜିଲ୍ଲାପାଳମାନଙ୍କ କାର୍ଯ୍ୟଧାରାକୁ ନେଇ ସାଧାରଣରେ ସନେ୍ଦହ ହେବା ସହ ଏହାର ଏକ ବିଧିବଦ୍ଧ ତଦନ୍ତ କରିବା ସହ ଅଧିକାରୀମାନଙ୍କ ସମ୍ପତ୍ତିର ଏକ ତଦନ୍ତ କଲେ ବହୁ ଅନିୟମିତତାର ପର୍ଦ୍ଦାଫାସ ହୋଇପାରନ୍ତା ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି ।