ଜୟପୁର ମୁହାଁ ବିଶାଖାପାଟଣା ଡାକ୍ତର!
କୋରାପୁଟ : ରୋଗୀ ସେବା କ୍ଷେତ୍ରରେ ପଡୋଶୀ ଆନ୍ଧ୍ରର ବିଶାଖାପାଟଣା ଓଡିଶାରେ ବେଶ୍ ସୁପରିଚିତ । ସ୍ୱାସ୍ଥ୍ୟ ପରୀକ୍ଷା ସାଙ୍ଗକୁ ବିଭିନ୍ନ ଆଳରେ ବିଶାଖାପାଟଣାର କେତେକ ନିର୍ଦ୍ଦିଷ୍ଟ ଘରୋଇ ହସ୍ପିଟାଲର କିଛି ଅନଭିଜ୍ଞ ଡାକ୍ତର ଓ ବିଶେଷଜ୍ଞ ଘନଘନ କୋରାପୁଟ ଓ ଜୟପୁର ମୁହାଁ ହେବା ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି । ବିଶାଖାପାଟଣାର କିଛି ନିର୍ଦ୍ଦିଷ୍ଟ ଡାକ୍ତରଙ୍କ ବାରମ୍ବାର କୋରାପୁଟ ଓ ଜୟପୁର ଗସ୍ତ ସାଙ୍ଗକୁ କିଛି ଡାକ୍ତରଙ୍କ ସହ ସେମାନଙ୍କ ରୁଦ୍ଧଦ୍ୱାର ବୈଠକ ଅନ୍ତରାଳେ ଉନ୍ନତମାନର ଓ ଅତ୍ୟାଧୁନିକ ଚିକିତ୍ସା ବାହାନାରେ ରୋଗୀଙ୍କୁ ବିଶାଖାପାଟଣା ପଠାଇବା ଉଦେ୍ଦଶ୍ୟ ନିହିତ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି । ଉଲ୍ଲେଖ ଯେ, ବିଶାଖାପାଟଣାର ପ୍ରାୟ ଶତ ପ୍ରତିଶତ ଘରୋଇ ହସ୍ପିଟାଲର ବ୍ୟବସାୟର ଚେର ଓଡିଶାର କୋରାପୁଟ ଜିଲ୍ଲାକୁ ବ୍ୟାପିଛି । କିଛି ନାମୀଦାମୀ ଘରୋଇ ହସ୍ପିଟାଲ ପ୍ରାୟତଃ ଓଡିଶାର ରୋଗୀଙ୍କୁ ଲୁଟି ସର୍ବସ୍ୱାନ୍ତ ଉଦେ୍ଦଶ୍ୟର ସ୍ଥାପିତ କହିଲେ ମଧ୍ୟ ଅତୁ୍ୟକ୍ତି ହେବ ନାହିଁ ! ଓଡିଶାର ବିଭିନ୍ନ ସଂସ୍ଥା ବା ସଂଗଠନ ଓ କ୍ଲିନିକ୍ ସହାୟତାରେ ହେଉ ଅବା ସିଧାସଳଖ ହେଉ ବିଶାଖାପାଟଣାର ବହୁ ହସ୍ପିଟାଲରୁ ଆରମ୍ଭ କରି ଡାକ୍ତର ଓ ବିଶେଷଜ୍ଞ ଓଡିଶାର ବିଭିନ୍ନ ସ୍ଥାନରେ ରୋଗୀ ଦେଖା ସାଙ୍ଗକୁ ସ୍ୱାସ୍ଥ୍ୟ ଯାଞ୍ଚ, ମାଗଣା ସ୍ୱାସ୍ଥ୍ୟ ଶିବିର ଆଦି ଆଳରେ ନାମକୁ ମାତ୍ର ରୋଗୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା-ନିରୀକ୍ଷା କରି ଆହୁରି ଉନ୍ନତ ମାନର ଚିକିସôା ସକାଶେ ବିଶାଖାପାଟଣା ଆସିବାକୁ ପରାମର୍ଶ ଦେଇଥାନ୍ତି । ବିଶାଖାପାଟଣାରେ ରୋଗୀ କମିଗଲେ କୋରାପୁଟ ଜିଲ୍ଲାର ବିଭିନ୍ନ ସ୍ଥାନରେ ବଡବଡିଆ ଓ ନାମିଦାମୀ ସଂଗଠନ ସହଯୋଗରେ ମାଗଣା ସ୍ୱାସ୍ଥ୍ୟ ଶିବିର ମାନ ଆୟୋଜନ କରାଯାଇ ରୋଗୀଙ୍କୁ ବିଶାଖାପାଟଣା ପଠାଇବା କୋରାପୁଟ ଜିଲ୍ଲାରେ ଏକ ସହଜ ଅଭ୍ୟାସରେ ପରିଣତ ହୋଇଯାଇଛି । ଅନ୍ୟପକ୍ଷରେ ଜିଲ୍ଲାରେ ରହିଥିବା କୌଣସି ସରକାରୀ ହସ୍ପିଟାଲରେ ଭଲ ବିଶେଷଜ୍ଞ ଓ ଡାକ୍ତର ନିଯୁକ୍ତି ନଥିବାରୁ ଲୋକେ ବିଶାଖାପାଟଣା ଉପରେ ନିର୍ଭରଶୀଳ ଥିବା କୁହାଯାଉଛି । କୋଟପାଡ ଭଳି ଏକ ଉପାନ୍ତ ଅଞ୍ଚଳରେ ଦେଢ ବର୍ଷରୁ ଊଦ୍ଧ୍ୱର୍ ସମୟ ହେଲାଣି ଏକ ଅତ୍ୟାଧୁନିକ ହସ୍ପିଟାଲର ଲୋକାର୍ପିତ କରି ହୋଇଥିବାବେଳେ ସରକାରଙ୍କ ଦୂର ଦୃଷ୍ଟି ଅଭାବରୁ ସେଠାରେ ଏଯାଏ ଆବଶ୍ୟକ ସଂଖ୍ୟକ ଚିକିତ୍ସକଙ୍କ ସମେତ ଶିଶୁ ରୋଗ ବିଶେଷଜ୍ଞ, ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞଙ୍କୁ ପୋଷ୍ଟିଂ ନ ହେବାରୁ ପ୍ରସବ ସକାଶେ ମହିଳାଙ୍କୁ ପଡୋଶୀ ଛତିଶଗଡର ସ୍ୱାସ୍ଥ୍ୟ ସେବାକୁ ଆଦରି ନେବାକୁ ପଡୁଛି । ଅପରପକ୍ଷେ, ଉତ୍ତମ ସଚ୍ଚେତନତା ଓ ଜ୍ଞାନ ଅଭାବରୁ ସ୍ୱାସ୍ଥ୍ୟସେବା ସକାଶେ ବିଶାଖାପାଟଣାରେ ସର୍ବସ୍ୱ ହରାଇ ପେଶି ହେବା ପରିବର୍ତ୍ତେ ଭୁବନେଶ୍ୱର ଏମ୍ସ ସାଙ୍ଗକୁ ବ୍ରହ୍ମପୁର, କଟକ, ବୁର୍ଲାର ବଡ ମେଡିକାଲ ଯିବା ଏହି ଇଲାକାରେ ଦିବା ସ୍ୱପ୍ନ ହୋଇପଡିଛି । ତେବେ ସରକାର ଏହି କିଛି ସମସ୍ୟା ପ୍ରତି ଗୁରୁତ୍ୱ ଦେବା ସହ କୋରାପୁଟ ଭଳି ଏକ ଉପାନ୍ତ ଓ ଆଦିବାସୀ ବହୁଳ ଇଲାକାର କିଛି ସ୍ୱାସ୍ଥ୍ୟ କେନ୍ଦ୍ରରେ ଆବଶ୍ୟକୀୟ ବିଶେଷଜ୍ଞଙ୍କ ପୋଷ୍ଟିଂ କରାଇ ଜିଲ୍ଲାରେ ଏକପ୍ରକାର ଭୁଷୁଡି ପଡିଥିବା ସ୍ୱାସ୍ଥ୍ୟ ସେବାକ୍ଷେତ୍ରରେ ଏକ ବିରାଟ ପରିବର୍ତ୍ତନ ଆଣିବାରେ ସହାୟକ ହୋଇପାରିବେ ବୋଲି ବୁଦ୍ଧିଜୀବି ମହଲରେ ମତପ୍ରକାଶ ପାଉଛି ।