ଚାଷୀ ତାଲିମ ଶିବିର
ମାଲକାନଗିରି : ଆନ୍ତର୍ଜାତିକ ସମବାୟ ବର୍ଷ ପାଳନ ଅବସରରେ, ମାଲକାନଗିରି ଜିଲ୍ଲା ସମବାୟ ବିଭାଗ ଓ ନିୟନ୍ତ୍ରିତ ବଜାର କମିଟିର ମିଳିତ ଆନୁକୁଲ୍ୟରେ ବଳକା ଅଣଧାନ ଶସ୍ୟର ବିକ୍ରି ସୂଚନା ଓ ସଚେତନତା ପାଇଁ ଉଦ୍ଧିଷ୍ଟ ଏକ ଚାଷୀ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଶିବିରକୁ ସମବାୟ ଉପ ନିବନ୍ଧକ ଥିଓଫିଲ୍ ଶବର ସଭାପତିତ୍ୱ କରିଥିଲାବେଳେ ସମ୍ମାନିତ ଅତିଥି ଭାବେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ, ନିୟନ୍ତ୍ରିତ ବଜାର କମିଟିର ସମ୍ପାଦକ ଦେବୀ ପ୍ରସାଦ ତ୍ରିପାଠୀ, କେସିସି ଡାଇରେକ୍ଟୋର ଗୋପୀ ପାଙ୍ଗୀ, କେସିସି ଶାଖା ପରିଚାଳକ ଦୀପକ କୁମାର ଖରା, ଉପ ସହକାରୀ ନିବନ୍ଧକ ଚନ୍ଦ୍ର ସେଠୀଆ ଓ ସଞ୍ଜୟ କୁମାର ଦାସ, ମାର୍କଫେଡ୍ ଅଧିକାରୀ ଦଧିବାମନ ସାହୁ, କୃଷି ଅଧିକାରୀ ଜି.ରାମକୃଷ୍ଣ ପ୍ରମୁଖ ଉପସ୍ଥିତ ଥିଲେ ଓ ସମାଜସେବୀ ଭଗବାନ ସାହୁ କାର୍ଯ୍ୟକ୍ରମର ଶବ୍ଦ ସଞ୍ଚାଳନ କରିଥିଲେ । ଏହି ଅବସରରେ ମାଲକାନଗିରି ଜିଲ୍ଲାର ଆଠ ଗୋଟି ଲ୍ୟାମ୍ପର ସଭାପତି, ପରିଚାଳନା ନିଦେ୍ର୍ଦଶକ ଓ ପରିଚାଳନା ପରିଷଦର ସମସ୍ତ ସଦସ୍ୟ ତଥା ୭୦ ରୁ ଉର୍ଦ୍ଧ ଚାଷୀମାନେ ଉପସ୍ଥିତ ରହି ସମ୍ପୃକ୍ତ ତାଲିମ୍ ପ୍ରକ୍ରିୟାରେ ଭାଗ ନେଇଥିଲେ । ଆଗରୁ ଭାରପ୍ରାପ୍ତ ଦାୟିତ୍ୱରେ ଥିବା ଜିଲ୍ଲା ଉପ ନିବନ୍ଧକ ଥିଓଫିଲ୍ ଶବର ବର୍ତ୍ତମାନ ପୁର୍ଣ୍ଣକାଳୀନ ପଦଭାର ଗ୍ରହଣ କରିଥିବାରୁ ସମସ୍ତେ ଫୁସ୍ପଗୁଚ୍ଛ ଦେଇ ସ୍ୱାଗତ କରିଥିଲେ । ଏହାପରେ ଆରଏମସି ତରଫରୁ ବିଭିନ୍ନ ମଣ୍ଡି ଗୁଡ଼ିକର ସୁପରିଚାଳନା ପାଇଁ ମାର୍କେଟ ସେଡ୍ ଓ ଏହାର ପାଚେରୀ ନିର୍ମାଣ କାର୍ଯ୍ୟ ଉପରେ ସମ୍ପାଦକ ଶ୍ରୀ ତ୍ରିପାଠୀ ସୂଚନା ଦେଇଥିଲେ । ତଥା ଆରଏମସି ଡେମୋନଷ୍ଟ୍ରେଟର ଖରିଫ୍ ଧାନର ମାନ ଓ ଗୁଣବତ୍ତାକୁ ବିଭିନ୍ନ ଯନ୍ତ୍ରପାତି ମାଧ୍ୟମରେ ପରିକ୍ଷଣ କରି ଦେଖାଇଥିଲେ । କୃଷି ଅଧିକାରୀ ବିଭାଗର ବିଭିନ୍ନ ସରକାରୀ ଯୋଜନା ଯଥା ବିହନ ବିତରଣ, କୃଷି ରିହାତି ଅନ୍ତର୍ଗତ ବିଭିନ୍ନ କୃଷି ଉପକରଣ ଉପରେ ସୂଚନା ପ୍ରଦାନ କରିଥିଲେ । ସମବାୟ ବିଭାଗ ପକ୍ଷରୁ ଚାଷୀ ପଞ୍ଜିକରଣ, ବିଭିନ୍ନ ପ୍ରକାରର ଚାଷୀ ଋଣ ଯୋଜନା, ସ୍ୱୟଂ ସହାୟିକ ଗୋଷ୍ଠୀ ମାନଙ୍କୁ ସ୍ୱରୋଜଗାର ଋଣ ପ୍ରଦାନ, କିଷାନ କ୍ରେଡିଟ କାର୍ଡ, ବିହନ, ସାର,କିଟନାଶକ ବଣ୍ଟନ ପ୍ରକ୍ରିୟା ଉପରେ ଏମଡି ଶ୍ରୀ ରାଉତ ସୂଚନା ଦେଇଥିଲେ । ତତ୍ ସହିତ ମାର୍କଫେଡ୍ ଜରିଆରେ ମୁଲ୍ୟ ସହାୟକ ଯୋଜନାରେ ମୁଗ ବିରି ସୋରିଷ ସୁର୍ଯ୍ୟମୁଖି ଶସ୍ୟ ଓ ଚିନାବାଦାମ ଚାଷ ଓ ଏହାର ସର୍ବନିମ୍ନ ସହାୟକ ମୂଲ୍ୟ ଉପରେ ଶ୍ରୀ ସାହୁ ସୂଚନା ଦେଇଥିଲେ । କାର୍ଯ୍ୟକ୍ରମ ଶେଷରେ ଚାଷୀ ମାନେ ସେମାନଙ୍କ ଅଞ୍ଚଳର ବିଭିନ୍ନ ସମସ୍ୟା ବିଷୟରେ ଅଧିକାରୀ ମାନଙ୍କୁ ଜଣାଇଥିଲେ ଓ ସମ୍ପୃକ୍ତ ଅଧିକାରୀ ସମିଚୀନ ଉତ୍ତର ରଖିଥିଲେ । ଜିଲ୍ଲା ସମବାୟ ଉପ ନିବନ୍ଧକ ଶ୍ରୀ ସବର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ ସହ ଶିବିର ସମାପନର ଘୋଷଣା କରିଥିଲେ ।