ସାମ୍ବାଦିକ ମୁକେଶଙ୍କ ମୃତୁ୍ୟକୁ ନେଇ ଶୋକ 

ମାଲକାନଗିରି  : ଛତିଶଗଡର ବିଜାପୁର ଜିଲ୍ଲାରେ ଏନଡିଟିଭି ସାମ୍ବାଦିକ ମୁକେଶ ଚନ୍ଦ୍ରାକାରଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଥିବା ବେଳେ ଏହି ଘଟଣାକୁ ବିରୋଧ କରି ବିରୋଧ ସଭା ଏବଂ ସ୍ୱର୍ଗତ ସାମ୍ବାଦିକଙ୍କ ଅମର ଆତ୍ମାର ସଦ୍ଗତି କାମନା କରି ଶୋକ ସଭା ଅନୁଷ୍ଠିତ ହୋଇଯାଇଛି । ସୂଚନା ଅନୁଯାୟୀ ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ବିଜାପୁର ଜିଲ୍ଲାରେ କାର୍ଯ୍ୟରତ ସାମ୍ବାଦିକ ମୁକେଶ ଚନ୍ଦ୍ରକାରଙ୍କୁ ହତ୍ୟା କରାଯାଇଥିବା ବେଳେ ପାଇଖାନା ଟାଙ୍କିରୁ ତାଙ୍କର ମରଶରୀର ଉଦ୍ଧାର କରାଯାଇଛି । ରାସ୍ତା କାମରେ ହୋଇଥିବା ଦୁର୍ନୀତିର ପର୍ଦାଫାଶ କରିବା ଯୋଗୁଁ ସୁରେଶ ଚନ୍ଦ୍ରାକାର ତାଙ୍କୁ ହତ୍ୟା କରିଥିବା ନେଇ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି । ମୁକେଶ ଚନ୍ଦ୍ରାକାର ଛତିଶଗଡର ବେଶ ଜଣାଶୁଣା ସାମ୍ବାଦିକ ଥିଲେ । ବସ୍ତର ଜଂଶନ ନାମରେ ତାଙ୍କର ଏକ ୟ୍ୟୁଟୁବ ଚେନାଲ ରହିଥିବା ବେଳେ ସେ ବର୍ତ୍ତମାନ ଏନଡିଟିଭିରେ ସାମ୍ବାଦିକ ଭାବେ କାର୍ଯ୍ୟ କରୁଥିଲେ । ମାଓ ଉପଦ୍ରବ ଗାଙ୍ଗାଲୁର ଅଞ୍ଚଳରେ ହୋଇଥିବା ରାସ୍ତା ନିର୍ମାଣ କାର୍ଯ୍ୟରେ ହୋଇଥିବା ଦୁର୍ନୀତିକୁ ନେଇ ଠିକାଦାର ସୁରେଶ ଚନ୍ଦ୍ରାକାରଙ୍କ ଆକ୍ରୋଶର ଶିକାର ହୋଇଥିବା ମୁକେଶଙ୍କ ହତ୍ୟା ଘଟଣାକୁ ମାଲକାନଗିରି ଜିଲ୍ଲା ସାମ୍ବାଦିକ ଓ ସାଧାରଣ ଜନତା ପକ୍ଷରୁ ଦୃଢ ଭାଷାରେ ନିନ୍ଦା କରାଯାଇଛି । ଗତ ୧ ତାରିଖରୁ ସାମ୍ବାଦିକ ମୁକେଶ ଚନ୍ଦ୍ରାକାର  ନିଖୋଜ ଥିବାବେଳେ ଗତକାଲି ଠିକାଦାର ସୁରେଶ ଚନ୍ଦ୍ରାକାରଙ୍କ ଠିକା କେମ୍ପର ଏକ ପାଇଖାନା ଟାଙ୍କିରୁ ତାଙ୍କ ଶବ ଉଦ୍ଧାର ପରେ ହତ୍ୟାର ଶିକାର ହୋଇଥିବା ସାମ୍ବାଦିକ ମୁକେଶ ଚନ୍ଦ୍ରାକାରଙ୍କ ପରିବାରକୁ ନ୍ୟାୟ ପ୍ରଦାନ କରିବା ଲାଗି ବିଜାପୁର ମୁଖ୍ୟ ରାସ୍ତାରେ ବସ୍ତର ଅଞ୍ଚଳର ସାମ୍ବାଦିକ ମାନେ ଆନ୍ଦୋଳନ ମଧ୍ୟ ଜାରି ରଖିଛନ୍ତି । ତେବେ ଏହି ଘଟଣାରେ ତିନି ଜଣ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି ଓ ଅଧିକ ତଦନ୍ତ ଜାରି ରହିଥିବା ଜଣାପଡିଛି । ତେବେ ଏହାକୁ ନେଇ ମାଲକାନଗିରି ସାମ୍ବାଦିକ ସମନ୍ୱୟ କମିଟି ପକ୍ଷରୁ ଏକ ବିରୋଧ ଓ ଶୋକ ସଭାର ଆୟୋଜନ କରଯାଇଥିଲା । ମାଲକାନଗିରି ଜିଲ୍ଲା ସଦରରେ ଥିବା ଆଓମା ଗୁରୁକୁଳରେ ଜିଲ୍ଲା ସାମ୍ବାଦିକ ସମନ୍ୱୟ କମିଟି ପକ୍ଷରୁ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିବା ବେଳେ ଏଥିରେ ଜିଲ୍ଲାର ବରିଷ୍ଠ ସାମ୍ବାଦିକ ଗଣ ଏବଂ ମାଲକାନଗିରି ପୌର ପରିଷଦର ସାଂସଦ ପ୍ରତିନିଧି ବିଜୟ ମହାରଣା, ବିଧାୟକ ପ୍ରତିନିଧି ରାହୁଲ ତିବାରି, ଜିଲ୍ଲା କଂଗ୍ରେସ କମିଟିର ବରିଷ୍ଠ ନେତା ଜି ଶ୍ରୀନିବାସ ରାଓ ଓଅ ବିଜେପି ଦଳର ବରିଷ୍ଠ ନେତୃ ମଣ୍ଡଳୀ ଏବଂ ସାଧାରଣ ଜନତା ମଧ୍ୟ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମରେ ମୃତ ସାମ୍ବାଦିକଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଏହି ଘଟଣାକୁ ନିନ୍ଦା କରି ପୋଲିସ ପକ୍ଷରୁ ଉଚିତ ପଦକ୍ଷେପ ପାଇଁ ଦାବି କରାଯାଇଛି ।