ଏକାଧିକ ପ୍ରକଳ୍ପର ଶିଳାନ୍ୟାସ କଲେ ବିଧାୟକ

ବାଲେଶ୍ୱର : ବାଲେଶ୍ୱର ସଦର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ରୁପ୍ସା ସାମିଲ ହସନପୁର ପଞ୍ଚାୟତର ଜନସାଧାରଣଙ୍କ ପାଇଁ ବିକାଶର ନୂତନ ପଥ ପ୍ରଦର୍ଶନ କରିଛନ୍ତି ବିଧାୟକ ମାନସ କୁମାର ଦତ୍ତ । ଏହି ପରିପ୍ରେକ୍ଷୀରେ ମହାତ୍ମାଗାନ୍ଧୀ ଜାତୀୟ ନିଶ୍ଚିତ ଗ୍ରାମୀଣ କର୍ମ ନିଯୁକ୍ତି ଯୋଜନା ଅନ୍ତର୍ଗତ ୨୦ଲକ୍ଷ ଟଙ୍କା ଖର୍ଚ୍ଚ ଅଟକଳରେ ନୂତନ ପଞ୍ଚାୟତ କାର୍ଯ୍ୟାଳୟ ଗୃହ ନିର୍ମାଣ ଏବଂ ୪ର୍ଥ ରାଜ୍ୟ ଅର୍ଥ କମିଶନ ଅନୁଦାନରେ ପଞ୍ଚାୟତ ଅଧିକାରୀଙ୍କ କ୍ୱାଟର୍ସ ନିର୍ମାଣ ସହିତ ସଂଖ୍ୟାଧିକ ଉନ୍ନତିମୂଳକ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି ବିଧାୟକ ଶ୍ରୀ ଦତ୍ତ । ଅନ୍ୟାନ୍ୟ ପ୍ରକଳ୍ପ ମଧ୍ୟରେ ବାଲେଶ୍ୱର ସଦର ପଞ୍ଚାୟତ ସମିତି ପକ୍ଷରୁ ମହାତ୍ମାଗାନ୍ଧୀ ଜାତୀୟ ନିଶ୍ଚିତ ଗ୍ରାମୀଣ କର୍ମ ନିଯୁକ୍ତି ଯୋଜନା ଅନ୍ତର୍ଗତ ୮ଲକ୍ଷ ଟଙ୍କା, ମହିଳା ଓ ଶିଶୁ ବିକାଶ ଯୋଜନାରେ ୨ଲକ୍ଷ ଟଙ୍କା ଓ ୫ମ ଅର୍ଥ କମିଶନ ପଞ୍ଚାୟତ ଡିଭୋଲୁ୍ୟସନ ଫଣ୍ଡର ୨ଲକ୍ଷ ଟଙ୍କା ଅନୁଦାନରେ ରୁପ୍ସା ସାମିଲ ହସନପୁର -୧ ଅଙ୍ଗନବାଡି କେନ୍ଦ୍ର, ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ସହାୟତା ଯୋଜନା ଅନ୍ତର୍ଗତ ୨ଲକ୍ଷ ଟଙ୍କା ଖର୍ଚ୍ଚ ଅଟକଳରେ ଚକ୍ରଧର ସାହୁ ଘର ଠାରୁ ରବିନ୍ଦ୍ର ସାହୁଙ୍କ ଘର ପର୍ଯ୍ୟନ୍ତ ପକ୍କାରାସ୍ତା, ଦାନା ଯୋଜନା ଅନ୍ତର୍ଗତ ୧ଲକ୍ଷ ୨୬ହଜାର ଟଙ୍କା ଖର୍ଚ୍ଚ ଅଟକଳରେ ଗଗନଗିରି ଠାରୁ ବାବୁଲି ନାୟକ ଛକ ପର୍ଯ୍ୟନ୍ତ ପକ୍କା ରାସ୍ତା, ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ସହାୟତା ଯୋଜନା ଅନ୍ତର୍ଗତ ଦେଢଲକ୍ଷ ଟଙ୍କା ଖର୍ଚ୍ଚ ଅଟକଳରେ ୱାର୍ଡ ନଂ ୧୫ର ରାଜା ଘର ଠାରୁ ଛଚିନା ଛକ ପର୍ଯ୍ୟନ୍ତ ଗାର୍ଡ ୱାଲ ନିର୍ମାଣ ପ୍ରଭୃତି ପ୍ରକଳ୍ପ ପାଇଁ ବିଧାୟକ ଶ୍ରୀ ଦତ୍ତ ଶୁଭ ଦେଇଥିଲେ । ଉତ୍ତମ ଗୁଣବତ୍ତା ଓ ସଠିକ୍ ମାନଦଣ୍ଡରେ ସମସ୍ତ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ଧାର୍ଯ୍ୟ ସମୟସୀମା ମଧ୍ୟରେ ସାରିବାକୁ ବିଧାୟକ ଶ୍ରୀ ଦତ୍ତ ବିଭାଗୀୟ ଅଧିକାରୀଙ୍କୁ ପରାମର୍ଶ ଦେଇଛନ୍ତି । ରୁପସା ସାମିଲ ହସନପୁର ପଞ୍ଚାୟତର ମାଳତୀ ପ୍ରଧାନ, ସମିତି ସଭ୍ୟା ଶାନ୍ତିଲତା ବେହେରା, ନାଏବ ସରପଞ୍ଚ ଜତ ବର ପ୍ରମୁଖଙ୍କ ସହ ଅନ୍ୟମାନେ ଶିଳାନ୍ୟାସ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।