ଚୀନ ରପ୍ତାନୀ କଟକଣା ପରେ

୭୨୮୦ କୋଟି ଟଙ୍କାର ରେୟାର ଆର୍ଥ ଯୋଜନାକୁ କ୍ୟାବିନେଟ ମଞ୍ଜୁରୀ

ନୂଆଦିଲ୍ଲୀ  : କେନ୍ଦ୍ର କ୍ୟାବିନେଟ୍‌ ସିଣ୍ଟର୍ଡ ରେୟାର ଆର୍ଥ ପର୍ମାନେଣ୍ଟ ମ୍ୟାଗ୍‌ନେଟ୍‌ (ଆରଇପିଏମଏସ) ଯୋଜନାକୁ ଆଜି ଅନୁମୋଦନ କରିଛି । ଯାହା ଇଲେକ୍ଟ୍ରିକ୍‌ ଯାନ (ଇଭି), ନବୀକରଣୀୟ ଶକ୍ତି ଏବଂ ପ୍ରତିରକ୍ଷା କ୍ଷେତ୍ରରେ ଏକ ପ୍ରମୁଖ ଉପାଦାନ । ତାହାର ଉତ୍ପାଦନ ବୃଦ୍ଧି ପାଇଁ ନୂତନ ପଦକ୍ଷେପ ସ୍ୱରୂପ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି । ଏହି ନିଷ୍ପତ୍ତି ଏପରି ସମୟରେ ଆସିଛି ଯେତେବେଳେ ବିରଳ ଚୁମ୍ବକୀୟ ଉପାଦାନ ସାମଗ୍ରୀ ଉପରେ ଚୀନର କଠୋର ରପ୍ତାନୀ ନିୟମ ଭାରତୀୟ ଶିଳ୍ପ ପାଇଁ ଲାଗୁ ହୋଇଛି । 


     ଭାରତରେ ପ୍ରତିବର୍ଷ ୬,୦୦୦ ମେଟ୍ରିକ୍‌ ଟନ୍‌ ପୂର୍ଣ୍ଣ ସମନ୍ୱିତ ଆରଇପିଏମ ଉତ୍ପାଦନ କ୍ଷମତା ସ୍ଥାପନ କରିବା ପାଇଁ ସରକାର ୭,୨୮୦ କୋଟି ଟଙ୍କାର ଆର୍ଥିକ ବ୍ୟୟବରାଦକୁ ମଞ୍ଜୁର କରିଛନ୍ତି । ଏଥିରେ ସମସ୍ତ ପ୍ରକ୍ରିୟା ଅନ୍ତର୍ଭୁକ୍ତ ହେବ । ବିରଳ ପଦାର୍ଥ ଅକ୍ସାଇଡକୁ ଧାତୁରେ ପରିଣତ କରିବା, ଧାତୁକୁ ମିଶ୍ରଧାତୁରେ ପରିଣତ କରିବା ଏବଂ ଶେଷରେ ପ୍ରସ୍ତୁତ ଚୁମ୍ବକ ଉତ୍ପାଦନ କରିବା ।
ବର୍ତ୍ତମାନ ଭାରତର ପ୍ରାୟ ସମସ୍ତ ଆରଇପିଏମ ଆବଶ୍ୟକତା ଆମଦାନୀ ମାଧ୍ୟମରେ ପୂରଣ କରାଯାଏ । ୨୦୩୦ ସୁଦ୍ଧା ଚାହିଦା ଦ୍ୱିଗୁଣିତ ହେବା ଆଶା କରାଯାଉଥିବାରୁ ନୂତନ ପଦକ୍ଷେପର ଲକ୍ଷ୍ୟ ଯୋଗାଣ ସୁରକ୍ଷିତ କରିବା ଏବଂ ଏକ ଦୃଢ଼ ଘରୋଇ ଇକୋସିଷ୍ଟମ ବିକଶିତ କରିବା । ମୋଟ ବଜେଟରୁ ପାଞ୍ଚ ବର୍ଷ ମଧ୍ୟରେ ବିକ୍ରୟ-ସଂଯୁକ୍ତ ପ୍ରୋତ୍ସାହନ ଭାବରେ ୬,୪୫୦ କୋଟି ଟଙ୍କା ଦିଆଯିବ ଏବଂ ସୁବିଧା ସ୍ଥାପନ ପାଇଁ ୭୫୦ କୋଟି ଟଙ୍କା ପୁଞ୍ଜି ସବସିଡି ଭାବରେ ପ୍ରଦାନ କରାଯିବ । ସରକାର ଏକ ବିଶ୍ୱସ୍ତରୀୟ ବିଡିଂ ପ୍ରକ୍ରିୟା ମାଧ୍ୟମରେ ପାଞ୍ଚଟି ନିର୍ମାତାଙ୍କୁ କ୍ଷମତା ପ୍ରଦାନ କରିବାକୁ ଯୋଜନା କରୁଛନ୍ତି, ପ୍ରତ୍ୟେକଙ୍କୁ ୧,୨୦୦ ଏମଟିପିଏ ପର୍ଯ୍ୟନ୍ତ ଅନୁମତି ଦିଆଯିବ ।


      ଏହି କାର୍ଯ୍ୟକ୍ରମ ସାତ ବର୍ଷ ପାଇଁ ଚାଲିବ, ଯେଉଁଥିରେ ପ୍ଲାଣ୍ଟ ସ୍ଥାପନ ପାଇଁ ଦୁଇ ବର୍ଷର ଅବଧି ଏବଂ ପ୍ରୋତ୍ସାହନ ପ୍ରଦାନ ପାଇଁ ପାଞ୍ଚ ବର୍ଷ ଅନ୍ତର୍ଭୁକ୍ତ । ଆରଇପିଏମ ବିଶ୍ୱବ୍ୟାପୀ ବ୍ୟବହୃତ ସବୁଠାରୁ ଶକ୍ତିଶାଳୀ ଚୁମ୍ବକ ମଧ୍ୟରେ ଅନ୍ତର୍ଭୁକ୍ତ ଏବଂ ଇଭି ମୋଟର, ପବନ ଟର୍ବାଇନ୍‌, ଡ୍ରୋନ୍‌, ଉପଗ୍ରହ ଏବଂ ଚିକିତ୍ସା ଉପକରଣ ପାଇଁ ଗୁରୁତ୍ୱପୂର୍ଣ୍ଣ । ଘରୋଇ କ୍ଷମତା ନିର୍ମାଣ କରି ଭାରତ ଆମଦାନୀ ନିର୍ଭରତା ହ୍ରାସ କରିବା, ଯୋଗାଣ ଶୃଙ୍ଖଳକୁ ସୁଦୃଢ଼ କରିବା ଏବଂ ଏହାର ନେଟ୍‌ ଜିରୋ ୨୦୭୦ ଲକ୍ଷ୍ୟକୁ ସମର୍ଥନ କରିବା ଲକ୍ଷ୍ୟ ରଖିଛି । ସରକାର କହିଛନ୍ତି ଯେ ଏହି ପଦକ୍ଷେପ ୨୦୪୭ ସୁଦ୍ଧା ବିକଶିତ ଭାରତର ବ୍ୟାପକ ଦୃଷ୍ଟିକୋଣକୁ ସମର୍ଥନ କରି ଏକ ପ୍ରଯୁକ୍ତିବିଦ୍ୟା ଦୃଷ୍ଟିରୁ ଦୃଢ଼ ଏବଂ ବିଶ୍ୱସ୍ତରୀୟ ପ୍ରତିଯୋଗିତାମୂଳକ ଉତ୍ପାଦନ ଆଧାର ନିର୍ମାଣ କରିବାରେ ସାହାଯ୍ୟ କରିବ । ଏହି ଐତିହାସିକ ପଦକ୍ଷେପ ନିଯୁକ୍ତି ସୃଷ୍ଟି କରିବ, ନିବେଶକୁ ଆକର୍ଷିତ କରିବ ଏବଂ ବିଶ୍ୱସ୍ତରୀୟ ବିରଳ ଉପାଦନ ଚୁମ୍ବକ ବଜାରରେ ଭାରତକୁ ଏକ ଗୁରୁତ୍ୱପୂର୍ଣ୍ଣ ଉତ୍ପାଦକ ଭାବରେ ସ୍ଥାନିତ କରିବ ବୋଲି ଆଶା କରାଯାଉଛି ।